ଓଡ଼ିଶାଲାଇଭ୍‌ ବ୍ୟୁରୋ

ମା’ର ସ୍ନେହ ମମତାକୁ ବୁଝିପାରିଲାନି ପୁଅ। ଯେଉଁ ମା’ ପୁଅର ଅଳି ଅର୍ଦ୍ଦଳିକୁ ସହି ଛୋଟରୁ ବଡ଼ କରିଥିଲା ସେହି ପୁଅ ମା’ର ଜୀବନ ନେବାକୁ ପଛାଇ ନାହିଁ। ସ୍ତ୍ରୀ ସହ ମିଶି ନିଜ ଜନ୍ମଦାତ୍ରୀକୁ କଟୁରୀରେ ହାଣିବା ଘଟଣା ଯାଜପୁର ଜିଲ୍ଲାରେ ଚାଞ୍ଚଲ୍ୟ ଖେଳାଇ ଦେଇଛି।

ଯାଜପୁର ଜିଲ୍ଲା ବରୀ ଥାନା ଅନ୍ତର୍ଗତ ଦରଘା ଗ୍ରାମରେ ସୋମବାର ଘଟିଛି ଅଭାବନୀୟ ଘଟଣା। ପାରିବାରିକ କଳହକୁ କେନ୍ଦ୍ର କରି ପୁଅ-ବୋହୂ ମିଶି ବୁଢ଼ୀ ମା’କୁ କଟୁରୀରେ ହାଣି ହତ୍ୟା କରିବା ଘଟଣା ଚାଞ୍ଚଲ୍ୟ ଖେଳାଇ ଦେଇଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ କରୁଛି। ପୁଅ-ବୋହୂ ଫେରାର ହୋଇଯାଇଛନ୍ତି। ମୃତକଙ୍କ ନାଁ ମେଘି ଜେନା ବୋଲି ଜଣାପଡ଼ିଛି।

୨୦୧୭ ଜୁଲାଇ ମାସରେ ପୁଅର ବାହାଘର ହୋଇଥିଲା। ବୁଢ଼ୀ ବୟସରେ ବୋହୂ ପରସା ଖାଇବା ପାଇଁ ମା’ ଆଶା କରିଥିଲା। ବାହାଘରର କିଛିଦିନ ସବୁ ଠିକ୍‌ଠାକ୍ ଚାଲିଲା। ହେଲେ ବର୍ଷେ ନପୂରୁଣୁ ସବୁକିଛି ଓଲଟପାଲଟ ହୋଇଗଲା।

ପୁଅ-ବୋହୂ ଏବଂ ମା’ ଭିତରେ ସବୁବେଳେ କଳି ଲାଗୁଥିଲା। ହେଲେ ଆଜି ଏହି କଳି ଉଗ୍ରରୂପ ଧାରଣ କରିଥିଲା। ଫଳରେ ପୁଅ ବୋହୂ ସହ ମିଶି ନିଜ ଜନ୍ମକଲା ମା’କୁ କଟୁରୀରେ ହାଣି ଜୀବନ ନେବାକୁ ପଛାଇଲା ନାହିଁ। ପୁଅ-ବୋହୂଙ୍କ କଟୁରୀ ଚୋଟରେ ମା’ ତଳେ ଟଳିପଡ଼ିଥିଲେ।

ପୋଲିସ ଆସିବା ପୂର୍ବରୁ ଘଟଣାସ୍ଥଳରୁ ଚମ୍ପଟ ମାରିଛନ୍ତି ପୁଅ ରାଜେନ୍ଦ୍ର ଜେନା ଏବଂ ବୋହୂ ମଞ୍ଜୁ ଜେନା। ରାଜେନ୍ଦ୍ର ଏବଂ ମଞ୍ଜୁଙ୍କୁ ଫେରାର କରିବାରେ ସାହାଯ୍ୟ କରିଥିବା ଦୀପକ ଓ ଅଜୟକୁ ପୋଲିସ ଅଟକ ରଖିଛି।

LEAVE A REPLY

Please enter your comment!
Please enter your name here