ଓଡ଼ିଶାଲାଇଭ୍‌ ବ୍ୟୁରୋ

ଶନିଧାମ ମନ୍ଦିରର ପ୍ରତିଷ୍ଠାତା ଦାତି ମହାରାଜଙ୍କ ବିରୋଧରେ ଆସିଛି ଦୁଷ୍କର୍ମ ଅଭିଯୋଗ। ଅଭିଯୋଗକୁ ଆଧାର କରି ଦିଲ୍ଲୀ ପୋଲିସ ମାମଲା ରୁଜୁ କରିଛି

ପୁଣି ବଦନାମ ହୋଇଛନ୍ତି ବାବା। ବିଗତ ଦିନରେ ବହୁ ବାବା ଦୁଷ୍କର୍ମ ଅଭିଯୋଗରେ ବିବାଦୀୟ ହେବା ପରେ ସୋମବାର ଦିନ ପୁଣି ଜଣେ ବାବାଙ୍କ କାରନାମା ସାମ୍ନାକୁ ଆସିଛି। ସେ ହେଉଛନ୍ତି ଦିଲ୍ଲୀର ଫତେହପୁରସ୍ଥିତ ଶନିଧାମ ମନ୍ଦିରର ସଂସ୍ଥାପକ ଦାତି ମହାରାଜ।

ଶନିଧାମ ମନ୍ଦିର ପ୍ରତିଷ୍ଠାତା ଦାତି ମହାରାଜଙ୍କ ବିରୋଧରେ ଦିଲ୍ଲୀ ପୋଲିସ୍‍ ବଳାତ୍କାର ଅଭିଯୋଗରେ ଏକ ମାମଲା ଋଜୁ କରିଛି।

ଦାତି ମହାରାଜଙ୍କର ବିରୋଧରେ ଜଣେ ଶିଷ୍ୟା ବଳାତ୍କାର ଅଭିଯୋଗ ଆଣିବା ପରେ ଦିଲ୍ଲୀ ପୋଲିସ୍‍ ଏହାର ତଦନ୍ତ କରିଥିଲା।

ତଦନ୍ତ ପରେ ସୋମବାର ଦିଲ୍ଲୀ ପୋଲିସ୍‍ ଦାତି ମହାରାଜଙ୍କ ବିରୋଧରେ ଆଇପିସି ଧାରାରେ ୩୭୬(ବଳାତ୍କାର), ୩୭୭ (ଅପ୍ରାକୃତିକ ଯୌନକ୍ରିୟା) ଏବଂ ୩୫୪ (ଅସଦାଚରଣ)ରେ ମାମଲା ଋଜୁ କରିଛି।

“ପ୍ରାୟ ଦୁଇ ବର୍ଷ ପୂର୍ବେ ମନ୍ଦିର ଭିତରେ ମହାରାଜ ମୋତେ ବଳାତ୍କାର କରିଥିଲେ। ଧମକ ଏବଂ ଲୋକଲଜ୍ୟା ଭୟରେ ମୁଁ ମୁହଁ ଖୋଲି ନଥିଲି”, ପୀଡ଼ିତା ଜଣଙ୍କ ପୋଲିସକୁ ଏହି ବୟାନ ଦେଇଛନ୍ତି।

କେବଳ ସେ ଏକା ନୁହେଁ ଶନିଧାମର ଅନେକ ମହିଳା ମହରାଜାଙ୍କ ଦ୍ୱାରା ଯୌନ ଶୋଷଣର ଶିକାର ହୋଇଛନ୍ତି ବୋଲି ପୀଡ଼ିତା ଅଭିଯୋଗରେ ଦର୍ଶାଇଛନ୍ତି। ପୋଲିସ୍‍ ମାମଲା ଋଜୁ କରି ତଦନ୍ତ ଆରମ୍ଭ କରିଛି।

ଦିଲ୍ଲୀର ଫତେହପୁରସ୍ଥିତ ଶନିଧାମ ମନ୍ଦିରର ସଂସ୍ଥାପକ ଦାତି ମହାରାଜ ଅନେକ ଟିଭି ଚ୍ୟାନେଲରେ ଜ୍ୟୋତିଷ ସମ୍ପର୍କିତ କାର୍ଯ୍ୟକ୍ରମ ଉପସ୍ଥାପନା କରିଆସୁଛନ୍ତି। ସେ ସୋସିଆଲ ମିଡିଆରେ ମଧ୍ୟ ବେଶ୍ ସକ୍ରିୟ। ତାଙ୍କ ଫେସ୍‍ବୁକ୍‍ ପେଜ୍‍କୁ ୩୪ ଲକ୍ଷରୁ ଅଧିକ ଲୋକ ଫଲୋ କରୁଛନ୍ତି।

ପ୍ରତିଦିନ ରାଶିଫଳ ସମ୍ପର୍କିତ ଭିଡିଓ ଓ ଶୁଭଅଶୁଭର ବାର୍ତ୍ତା ଦେଇଥାନ୍ତି ଦାତି ମହାରାଜ। ପୂର୍ବରୁ ଯୌନ କେଳେଙ୍କାରୀ ମାମଲାରେ ସ୍ୱାମୀ ଶ୍ରୀହରି, ଆଶାରାମ ବାପୁ, ନାରାୟଣ ସାଇ, ସନ୍ଥ ରାମପାଲ, ସ୍ୱାମୀ ନିତ୍ୟାନନ୍ଦ, ସ୍ୱାମୀ ପ୍ରେମାନନ୍ଦ, ମହର୍ଷି ମହେଶ ଯୋଗୀ, ସ୍ୱାମୀ ସଦାଚାରୀ, ଡେରା ମୁଖ୍ୟ ରାମ ରହିମ ପ୍ରମୁଖ ବନ୍ଧା ହୋଇ ଜେଲ ଯାଇଥିବା ବେଳେ ଅନ୍ୟାନ୍ୟ ଅପରାଧିକ ମାମଲାରେ ଅନେକ ବାବାଙ୍କୁ ଜେଲ ଯିବାକୁ ପଡ଼ିଛି।

Comment