ଓଡ଼ିଶାଲାଇଭ୍ ବ୍ୟୁର

ହେଲପେଜ୍ ଇଣ୍ଡିଆ ସର୍ଭେ ଅନୁଯାୟୀ ନିଜ ଘରେ ଅବହେଳିତ ଓ ନିର୍ଯାତିତ ହେଉଛନ୍ତି ବରିଷ୍ଠ ନାଗରିକ।

ରାଜଧାନୀ ଭୁବନେଶ୍ୱର ବରିଷ୍ଠ ନାଗରିକଙ୍କ ପାଇଁ ଆଦୌ ଅନୁକୂଳ ନୁହେଁ ଏକଥା ଏକ ରିପୋର୍ଟରୁ ଜଣାପଡ଼ିଛି। ହୁଏତ ରାଜଧାନୀ ବାସିନ୍ଦାଙ୍କ ହାବଭାଵ ଓ ଚାଲିଚଳଣି ସରଳ ଓ ଶାନ୍ତିପ୍ରିୟ ଲାଗିପାରେ। କିନ୍ତୁ ବୁଢ଼ା ବାପା-ବୋଉଙ୍କ କଥା ଉଠିବା ବେଳକୁ ସେମାନଙ୍କ ବ୍ୟବହାର ରେକର୍ଡ଼ ଅତ୍ୟନ୍ତ ଖରାପ।

ପରିବାର ଭିତରେ ବରିଷ୍ଠ ପରିଜନଙ୍କୁ କେବଳ ଅବହେଳା କରାଯାଇଥାଏ ତାହା ନୁହେଁ, ସେମାନଙ୍କୁ ହତାଦର ମଧ୍ୟ କରାଯାଏ। ବରିଷ୍ଠ ନାଗରିକଙ୍କ ଭିତରୁ ୮୨ ଭାଗ ଲୋକ କହିଛନ୍ତି ଯେ ପରିବାର ଭିତରେ ସେମାନଙ୍କୁ ଉପଯୁକ୍ତ ସମ୍ମାନ ମିଳୁନାହିଁ, ଭଲ ଦେଖାଶୁଣା କରିବା ତ ପରର କଥା।

‘ବରିଷ୍ଠ ନାଗରିକଙ୍କୁ ନିର୍ଯାତନା’ ଶୀର୍ଷକ ଏକ ରିପୋର୍ଟରୁ ଏହି ସବୁ ତଥ୍ୟ ପଦାକୁ ଆସିଛି। ଦେଶର ୨୩ଟି ସହରରେ ଏହି ସର୍ଭେ କରାଯାଇଥିଲା ଆଉ ଭୁବନେଶ୍ୱର ବୃଦ୍ଧ-ନିର୍ଯାତନାରେ ଏକ ନମ୍ବର ସ୍ଥାନରେ ରହିଛି।

ହେଲପେଜ ଇଣ୍ଡିଆ ନାମକ ଏକ ସ୍ଵେଚ୍ଛାସେବୀ ସଂସ୍ଥା ପକ୍ଷରୁ ଗୁରୁବାର ଦିନ ଏହି ରିପୋର୍ଟ ଜାରି କରାଯାଇଛି। ସର୍ଭେରୁ ଜଣାପଡ଼ିଛି ଯେ ମନ୍ଦିରମାଳିନୀ ସହରରେ ୮୨ ପ୍ରତିଶତ ବୁଢ଼ା ବାପା ମା ଓ ଜେଜେଙ୍କୁ ପରିବାର ଭିତରେ ସମ୍ମାନ ପ୍ରଦାନ କରାଯାଏ ନାହିଁ। ପରିବାରର ଛୋଟ ସଦସ୍ୟ ଯଥା ନାତି ନାତୁଣୀ ବୁଢ଼ା ବାପା ଓ ମା’ଙ୍କ କଥା ଆଦୌ ମାନନ୍ତି ନାହିଁ ଓ ନିଷ୍ପତ୍ତି ଗ୍ରହଣ ପ୍ରକ୍ରିୟାରେ ସେମାନଙ୍କୁ ସାମିଲ କରାଯାଏ ନାହିଁ।

ମୋବାଇଲ ଫୋନ ଓ କମ୍ପୁଟରରେ ମଜି ରହୁଥିବା ନାତି ନାତୁଣୀ ବଡ଼ଙ୍କ କଥାକୁ ଖାତିର ବି କରନ୍ତିନି ବୋଲି ଏହି ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଷାଠିଏ ବର୍ଷରୁ ଉର୍ଦ୍ଧ୍ଵ ପୁରୁଷ ଓ ସ୍ତ୍ରୀଙ୍କୁ ନେଇ ଏହି ସର୍ଭେ କରାଯାଇଥିଲା। ବିଭିନ୍ନ ସହରରେ ବରିଷ୍ଠଙ୍କ ପ୍ରତି କିଭଳି ଆଚରଣ କରାଯାଏ ତାହା ଜାଣିବା ପାଇଁ ସଂସ୍ଥା ପକ୍ଷରୁ ୬ଟି ଉପାଦାନକୁ ନିଆଯାଇଥିଲା। ଏଗୁଡିକ ହେଲା: ଅସମ୍ମାନ, ଶାରୀରିକ ନିର୍ଯାତନା, ବାଚନିକ ଅତ୍ୟାଚାର, ଆର୍ଥିକ ଶୋଷଣ ଓ ଅଶାଳୀନ ଶାରୀରିକ ସମ୍ପର୍କ।

ଭୁବନେଶ୍ୱରରେ ବାସ କରୁଥିବା ପରିବାରମାନଙ୍କରେ ବରିଷ୍ଠଙ୍କୁ ଅସମ୍ମାନ ଏକ ସାଧାରଣ ଘଟଣା ହୋଇଥିବା ବେଳେ ୨୩ ପ୍ରତିଶତ ଲୋକେ କହିଛନ୍ତି ଯେ ଚାପୁଡ଼ା ଓ ଧକ୍କା ମାରିବା ଏକ ନିୟମିତ କଥା। ୨୯ ପ୍ରତିଶତ ବରିଷ୍ଠ କହିଛନ୍ତି ଯେ ସେମାନଙ୍କୁ ଅଧିକାଂଶ ସମୟରେ ଗାଳି କରାଯାଇଥାଏ। ୩୧ ପ୍ରତିଶତ ବରିଷ୍ଠ ନାଗରିକଙ୍କ ମତରେ ସେମାନଙ୍କୁ ଆର୍ଥିକ ଶୋଷଣ କରାଯାଇଥାଏ। ୨୯ ପ୍ରତିଶତ କହିଲେ ସେମାନଙ୍କୁ ନିୟମିତ ଭାବେ ପରିବାର ଭିତରେ ଅକଥନୀୟ ଦୁର୍ଦ୍ଦଶାର ଶିକାର ହେବାକୁ ପଡ଼ିଥାଏ। ବରିଷ୍ଠ ନାଗରିକଙ୍କୁ ନିର୍ଯାତନା ଦେବାରେ ଭାରତର ଅନ୍ୟ ଯେଉଁ ୪ଟି ସହର ଭୁବନେଶ୍ୱର ତଳେ ଅଛନ୍ତି ସେ ଗୁଡିକ ହେଲା: ମାଙ୍ଗାଲୋର (୪୭%), ଅହମଦାବାଦ(୪୬%), ଭୋପାଳ( ୩୯%), ଅମୃତସର(୩୫%) ଓ ଦିଲ୍ଲୀ(୩୩%)।

Comment