ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ଏବେକାର ଜଣେ ଚର୍ଚ୍ଚିତ କଣ୍ଠଶିଳ୍ପୀ ସଙ୍ଗୀତକାର ହେଲେ ଶାନ୍ତନୁ କୁମାର ସିଅ ତାଙ୍କର ସ୍ମାଇଲ୍ ବ୍ୟାଣ୍ଡ୍ନାମରେ ଏକ ବ୍ୟାଣ୍ଡ୍ ବି ଅଛି ଆସନ୍ତୁ ଅଧିକ ଜାଣିବା ଶାନ୍ତନୁଙ୍କ ସମ୍ପର୍କରେ

ବୃତ୍ତିରେ ଶାନ୍ତନୁ ଜଣେ ପରିବେଶବିତ୍। ହେଲେ ସଙ୍ଗୀତ ତାଙ୍କର ପ୍ରବୃତ୍ତି। ଓଡ଼ିଆ ସଙ୍ଗୀତରେ ସୁଫିଆନା ଶୈଳୀକୁ ଆଗେଇଦେବାକୁ ପ୍ରତିଶ୍ରୁତିବଦ୍ଧ ଏହି ଯୁବ କଣ୍ଠଶିଳ୍ପୀ ଜଣକ ହେଲେ ଶାନ୍ତନୁ। ତାଙ୍କ ପ୍ରକୃତ ନାମ ଶାନ୍ତନୁ କୁମାର ସିଅ। ସେ କାହାରିଠୁଁ ବା କୌଣସି ଅନୁଷ୍ଠାନରୁ ବିଧିବଦ୍ଧ ଭାବେ ସଙ୍ଗୀତ ଶିକ୍ଷା ଗ୍ରହଣ କରିନାହାନ୍ତି। ତା’ ସତ୍ତ୍ୱେ ଶାନ୍ତନୁ ଅନେକ ଷ୍ଟେଜ୍ ସୋ’ରେ ଗୀତ ଗାଇ ସାରିଲେଣି। ଖାଲି ସେତିକି ନୁହେଁ, ତାଙ୍କୁ ତିନିଟି ଆଧୁନିକ ଗୀତ ଓ ଗୋଟିଏ ଭଜନ ଏମିତି ଚାରୋଟି ଆଲବମ୍‌ରେ କଣ୍ଠଦାନ କରିବାର ସୁଯୋଗ ମିଳିସାରିଛି।

ଶାନ୍ତନୁ ଇତିମଧ୍ୟରେ ତିନିଟି ଓଡ଼ିଆ ଚଳଚ୍ଚିତ୍ରରେ ପ୍ଲେବ୍ୟାକ୍‌ କରିବାର ମଧ୍ୟ ସୁଯୋଗ ପାଇସାରିଛନ୍ତି। ଶାନ୍ତନୁଙ୍କ କହିବା ଅନୁଯାୟୀ ସେମାନଙ୍କର ସ୍ମାଇଲ୍ ବ୍ୟାଣ୍ଡ୍ ନାମରେ ଏକ ମ୍ୟୁଜିକ୍ ପାର୍ଟି ଅଛି। ଏହାର ସଦସ୍ୟମାନେ ’ଗଡ୍‌ଫାଦର’ରେ ମ୍ୟୁଜିକ୍ କମ୍ପୋଜ୍ କରିବା ପାଇଁ ସୁଯୋଗ ଦେବାକୁ ପ୍ରଯୋଜକଙ୍କୁ ଅନୁରୋଧ କରିଥିଲେ। ସେମାନେ ଏକ ଡେମୋ ଟ୍ରାକ୍ ଶୁଣାଇବା ପରେ ପ୍ରଯୋଜକ ରାଜି ହୋଇଥିଲେ।

ସ୍ମାଇଲ୍ ବ୍ୟାଣ୍ଡ୍ ହେଉଛି ଓଡ଼ିଶାର ପ୍ରଥମ ସୁଫିଆନା ରକ୍ ବ୍ୟାଣ୍ଡ୍। ଏହାପରେ ତାଙ୍କୁ ଗାଇବାର ସୁଯୋଗ ମିଳେ ଅନ୍ୟ ଏକ ଓଡ଼ିଆ ସିନେମା ‘ପ୍ରେମ ହୁଏ ଚୋରି ଚୋରି’ରେ। ଏଥିରେ ସେ ଏକ ରୋମାଣ୍ଟିକ୍ ନମ୍ବରରେ କଣ୍ଠଦାନ କରିଛନ୍ତି। ଅଶେଷ ଏହାର ସଙ୍ଗୀତ ନିର୍ଦ୍ଦେଶକ। ଆଗକୁ ଜଣେ ଲୋକପ୍ରିୟ କଣ୍ଠଶିଳ୍ପୀ ହେବା ଲକ୍ଷ୍ୟ ରଖିଛନ୍ତି ଶାନ୍ତନୁ। ଆଉ କେତୋଟି ଅନଟାଇଟଲଡ ଫିଲ୍ମରେ ବି ଗୀତ ଗାଉଛନ୍ତି ଶାନ୍ତନୁ କୁମାର ସିଅ।

ଶାନ୍ତନୁ ଇତିମଧ୍ୟରେ ‘ପ୍ରେମ ଚଢ଼େଇ’ ଓ ‘ଲଭ୍ ଇନ୍ ଚାଇନା’ ଭଳି ଓଡ଼ିଆ ସିନେମାରେ ମଧ୍ୟ କଣ୍ଠଦାନ କରିଛନ୍ତି। ଚୌଧୁରୀ ବିକାଶ ଦାଶ, ମନିଷା ରଥ ଓ ମମତା ମହାନ୍ତି ପ୍ରମୁଖଙ୍କ ଅଭିନୀତ ସର୍ଟ ଫିଲ୍ମ ‘ଚରିତ୍ର’ରେ ମଧ୍ୟ ଗୀତ ଗାଇଛନ୍ତି ଶାନ୍ତନୁ କୁମାର ସିଅ।

ଏବେ ଶାନ୍ତନୁ କୁମାର ସିଅ ସିନେମା ପ୍ରଯୋଜନା କ୍ଷେତ୍ରରେ ପାଦ ଥାପିଛନ୍ତି। ତାଙ୍କ ପ୍ରଯୋଜିତ ପ୍ରଥମ ସିନେମା ହେଲା ‘ରହସ୍ୟ’। ଇତିମଧ୍ୟରେ ‘ରହସ୍ୟ’ର ସମସ୍ତ କାମ ଶେଷ ହୋଇଛି। ଏଥିରେ ସେ ନାରାୟଣ ସାହୁଙ୍କ ସହିତ ମିଶି ପ୍ରଯୋଜନା କରିଛନ୍ତି।

‘ରହସ୍ୟ’ର ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ନିହାର- ଶାନ୍ତନୁ ଯୋଡ଼ି। ଏହି ଫିଲ୍ମରେ ପାଞ୍ଚଟି ଭିନ୍ନ ଭିନ୍ନ ସ୍ୱାଦର ଗୀତ ରହିଛି। ଏଥିମଧ୍ୟରୁ ଗୋଟିଏ ହେଲା- ‘ଓ ଜାନିଆ’। ଏହି ଗୀତରେ ଶାନ୍ତନୁଙ୍କ ସହିତ ଗାଇଛନ୍ତି ସୁଗାୟିକା ଅନ୍ତରା ଚକ୍ରବର୍ତ୍ତୀ। ଏଥିରେ ଗୋଟିଏ ଜର୍ଣ୍ଣିସଙ୍ଗ୍ ରହିଛି, ଯେଉଁଥିରେ ଶୁଭେଚ୍ଛା ମହାନ୍ତି ଓ ଶାନ୍ତନୁ କଣ୍ଠଦାନ କରିଛନ୍ତି। ଏଥିରେ ଥିବା ‘ଅନ୍ଧାର ରାଣୀ…’ ଗୀତରେ କଣ୍ଠଦାନ କରିଛନ୍ତି ଅନ୍ତରା ଚକ୍ରବର୍ତ୍ତୀ। ଏଥିରେ ରହିଛି ଏକ ରେଟ୍ରୋ ଗୀତ ‘ମତେ ନେଇଗଲା ଫଗୁଣ…’, ଯେଉଁଥିରେ କଣ୍ଠଦାନ କରିଛନ୍ତି ଶାନ୍ତନୁ। ଆଉ ଏକ ଟାଇଟଲ ଗୀତ ବି ଅଛି ’ରହସ୍ୟ’ ସିନେମାରେ। ଆଗକୁ ବି ଶାନ୍ତନୁଙ୍କ ବହୁ ନୂଆ ଗୀତ ଫିଲ୍ମରେ ଶୁଣିବାକୁ ମିଳିବ।

Comment