ଓଡ଼ିଶାଲାଇଭ୍‌ ବ୍ୟୁରୋ

ଲୋକପ୍ରିୟ ଜଣାଣ ‘ଆହେ ନୀଳ ଶଇଳ’କୁ ଭିନ୍ନ ଢ଼ଙ୍ଗରେ ଗାଇଥିବା ଓଡ଼ିଆ କଣ୍ଠଶିଳ୍ପୀ ସୋନା ମହାପାତ୍ରଙ୍କୁ ନେଇ ବିବାଦ ଘନେଇଛି। ଓଡ଼ିଆ ସଙ୍ଗୀତ ଜଗତର ବହୁ ପ୍ରତିଭାଧର ଏପରି କାର୍ଯ୍ୟକୁ ନିନ୍ଦା କରିବା ସହ ସେ ଜଗନ୍ନାଥଙ୍କ ନିକଟରେ ଭୁଲ ମାଗନ୍ତୁ ବୋଲି କହିଛନ୍ତି।

ମହାପ୍ରଭୁ ଜଗନ୍ନାଥଙ୍କ ଉପରେ ଆଧାରିତ ଲୋକପ୍ରିୟ ଜଣାଣ ‘ଆହେ ନୀଳ ଶଇଳ’କୁ ଭୁଲ୍ ଢଙ୍ଗରେ ଗାଇବାକୁ ନେଇ ସୋନା ମହାପାତ୍ରଙ୍କ ବିରୋଧରେ ବଢୁଛି ଅସନ୍ତୋଷ।

ମଙ୍ଗଳବାରଦିନ ପୁରୀ ସ୍ୱର୍ଗଦ୍ୱାର ଆଗରେ ସଚେତନ ନାଗରିକ ମଞ୍ଚ ପକ୍ଷରୁ ସୋନା ମହାପାତ୍ରଙ୍କ କୁଶପୁତ୍ତଳିକା ଦାହ କରାଯାଇଛି। ନାଗରିକ ସୁରକ୍ଷା ମଞ୍ଚ ପକ୍ଷରୁ ବିକ୍ଷୋଭ କରାଯିବା ସହ ସୋନା ତୁରନ୍ତ କ୍ଷମା ମାଗନ୍ତୁ ବୋଲି ଦାବି କରାଯାଇଛି।

ସେହିପରି ଭୁଲ ଢଙ୍ଗରେ ସେ ଗାଇଥିବା ଜଣାଣକୁ ୟୁଟ୍ୟୁବ୍‌ରୁ ହଟାଇବାକୁ ପଦକ୍ଷେପ ନେବାକୁ ରାଜ୍ୟ ସଂସ୍କୃତି ବିଭାଗକୁ ନାଗରିକ ମଞ୍ଚ ଅନୁରୋଧ କରିଛି।

ଜଗନ୍ନାଥଙ୍କ ଏଭଳି ଲୋକପ୍ରିୟ ଜଣାଣକୁ ଭୁଲଭାଲ ଗାଇବା ନେଇ ସୋନାଙ୍କୁ ବିଭିନ୍ନ ମହଲରେ ବିରୋଧ କରାଯାଇଛି। ସମାଜସେବୀ ପ୍ରସନ୍ନ କୁମାର ଦାଶ ସୋନାଙ୍କ ବିରୋଧରେ ସିଂହଦ୍ଵାର ଥାନାରେ ଏତଲା ଦେଇଛନ୍ତି। ଜଗନ୍ନାଥ ଭଜନକୁ ସୋନା ମହାପାତ୍ର କଦର୍ଥ କରି ଗାଇବା ଯୋଗୁଁ ଜଗନ୍ନାଥପ୍ରେମୀ ଭକ୍ତଙ୍କ ମନରେ ଗଭୀର ଆଘାତ ଲାଗିଥିବା ସେ ଅଭିଯୋଗ କରିଛନ୍ତି।

ସୋମବାରଦିନ ଭକ୍ତ ସାଲବେଗଙ୍କ ଲୋକପ୍ରିୟ ଜଗନ୍ନାଥ ଜଣାଣ ‘ଆହେ ନୀଳ ଶଇଳ’କୁ ଅତି କଦର୍ଥ ଭାବେ ଗାଇଛନ୍ତି ସୋନା ମହାପାତ୍ର। ଯାହାକୁ ନେଇ ଉଠିଛି ବିବାଦ। ‘ଆହେ ନୀଳ ଶଇଳ’ ଭଜନରେ ଥିବା ସାଲବେଗକୁ ସାଲେବେଗ, ଜଣାଣକୁ ଜନନ, ଆହେ ନୀଳ ଶଇଳକୁ ଆହେ ନୀଲୋ ଶଇଲୋ, ମତକୁ ମାତ, ଉଦ୍ଧାରିଲ ଆପଣକୁ ଉଦ୍ଧାରିଲା ଆପଣ ଭଳି ବିକୃତ କରି ଗାଇଛନ୍ତି ସୋନା।

ପୂର୍ବରୁ ମଧ୍ୟ ଚର୍ଚ୍ଚିତ ଓଡ଼ିଆ ସମ୍ବଲପୁରୀ ଗୀତ ‘ରଙ୍ଗବତୀ’ ଏବଂ ପ୍ରଖ୍ୟାତ ସୁଫି ଗୀତ ‘ତୋରୀ ସୁରତ’କୁ ନେଇ ମଧ୍ୟ ସୋନା ବିବାଦ ଘେରକୁ ଆସିଥିଲେ।

Comment