ଓଡ଼ିଶାଲାଇଭ୍‌ ବ୍ୟୁରୋ

‘ଆହେ ନୀଳ ଶଇଳ’ ବିବାଦକୁ ନେଇ ସୋସିଆଲ ମିଡିଆରେ କଣ୍ଠଶିଳ୍ପୀ ସୋନା ମହାପାତ୍ରଙ୍କ ଚଣ୍ଡୀ ରୂପ ଦେଖିବାକୁ ମିଳିଛି!

ବଲିଉଡ କଣ୍ଠଶିଳ୍ପୀ ସୋନା ମହାପାତ୍ର ଖାଣ୍ଟି ସୁନା, ଆଉ ସମସ୍ତେ ବେଙ୍ଗି ପିତ୍ତଳ! ଅର୍ଥାତ୍ ସାଲବେଗଙ୍କ ‘ଆହେ ନୀଳ ଶଇଳ’ ଗୀତକୁ ବିକୃତ କରି ଗାଇଥିଲେ ମଧ୍ୟ ସେଥିରେ ତାଙ୍କର କୌଣସି ତ୍ରୁଟି ନାହିଁ। ସବୁ ଭୁଲ୍ ବିଭିନ୍ନ ଗଣମାଧ୍ୟମର ଏବଂ ତାଙ୍କୁ ସୋସିଆଲ ମିଡିଆରେ ଗତ ପ୍ରାୟ ତିନି ଦିନ ଧରି ଚଢ଼ଉ କରିଚାଲିଥିବା ଲୋକଙ୍କର। ସୋନା ଏହି କଥା ହିଁ ବାରମ୍ବାର କହିବାକୁ ଚାହୁଁଛନ୍ତି।

ସେ ଓଡ଼ିଆ ସଂସ୍କୃତିର ଅପମାନ କରିଛନ୍ତି ବୋଲି ଆଉ ଯଦି କେହି ସିଧାସଳଖ ପ୍ରଶ୍ନ ଉଠାନ୍ତି ତେବେ ସୋନା କହିଛନ୍ତି ସେ ନଙ୍ଗୁଳି ହୋଇ ଚଣ୍ଡୀରୂପ ଧାରଣ କରିବାକୁ ପଛାଇବେ ନାହିଁ। ସୋନାଙ୍କ ଏଭଳି ପ୍ରତିକ୍ରିୟା ତାଙ୍କର ପ୍ରଶଂସକ ଓ ସମାଲୋଚକ ଉଭୟଙ୍କୁ ଚକିତ କରିଛି।

“ସବୁ ପୋଷାକ ଖୋଲିଦେବି, ଚଣ୍ଡୀ ରୂପ ଧାରଣ କରିବି “

ଟୁଇଟର୍‌ରେ ବିଭୂପ୍ରସାଦ ସ୍ୱାଇଁ ନାମକ ଜଣେ ବ୍ୟକ୍ତି ସୋନାଙ୍କ ଭୁଲ୍ ଉଚ୍ଚାରଣକୁ ନେଇ ପ୍ରତିକ୍ରିୟା ପ୍ରକାଶ କରିଥିଲେ। ସେ ଲେଖିଥିଲେ: ମ୍ୟାଡାମ ଲାଲ୍ ପରୀ, ଏହା ଏକ ଭଜନ। କୌଣସି ଆଧୁନିକ ଗୀତ ନୁହେଁ। ଆପଣ ଏଭଳି ଏକ ଭକ୍ତି ଗୀତ ଗାଇଲା ବେଳେ ଅଧା ଖୋଲା ଗାଉନ୍ ଏବଂ ହାଇ ହିଲ୍ ପିନ୍ଧିଥିଲେ। ଏହା ଅତ୍ୟନ୍ତ ଲଜ୍ଜାଜନକ କଥା।

ଆସନ୍ତୁ ଦେଖିବା ଏହି ଟୁଇଟର କ’ଣ ଉତ୍ତର ରଖିଛନ୍ତି ସୋନା। ସେ ଲେଖିଛନ୍ତି: ଓଏ, ତମେ ଓ ତମ ଭଳିଆ ଅଶିକ୍ଷିତ ଦଳ ସଟ୍‌ଅପ୍! ଗତ କିଛିଦିନ ଧରି ମୋ ଟାଇମ୍‌ଲାଇନରେ ତୁମମାନଙ୍କ କଥା ଶୁଣି ଶୁଣି ମୋର ଆଉ ଧୈର୍ଯ୍ୟ ନାହିଁ। ବେଶୀ ପାଟି ତୁଣ୍ଡ କଲେ ମୁଁ ଆହୁରି ଉଚ୍ଚା ହିଲ୍ ପିନ୍ଧି ସବୁ ପୋଷାକ ଖୋଲିଦେଇ ଚଣ୍ଡୀ ରୂପ ଧାରଣ କରିବି। ସେ (ଚଣ୍ଡୀ) କୌଣସି ପୋଷାକ ପିନ୍ଧନ୍ତିନି।

ସୋନାଙ୍କ ଏହି ଅସଲ ଚଣ୍ଡୀ ରୂପକୁ ନେଇ ପୁଣି ସୋସିଆଲ ମିଡିଆରେ ଉଠିଛି ଝଡ଼। ସୋନା ନିଜକୁ ଓଡ଼ିଶାର ଝିଅ କହିବା ଦୁର୍ଭାଗ୍ୟଜନକ ବୋଲି ଅନେକ ବ୍ୟକ୍ତି ବିଭିନ୍ନ ସୋସିଆଲ ମିଡିଆ ପ୍ଲାଟଫର୍ମରେ ପ୍ରତିକ୍ରିୟା ରଖିଛନ୍ତି। ଜଣେ କଳାକାର ଗଠନମୂଳକ ସମାଲୋଚନାକୁ ସହଜରେ ଗ୍ରହଣ ନକରି ଏଭଳି ପ୍ରତିକ୍ରିୟାଶୀଳ ହେବା ଏକ ବ୍ୟତିକ୍ରମ ବୋଲି ଆଲୋଚନା ହେଉଛି।

ଓଡ଼ିଶା ମିଡିଆ ଉପରେ ସୋନାଙ୍କ ରାଗ

ଓଡ଼ିଶାର ଖବରକାଗଜ, ଟେଲିଭିଜନ ଏବଂ ବିଭିନ୍ନ ଅନଲାଇନ ମିଡିଆରେ ଗତ କିଛିଦିନ ଧରି ସୋନା ମହାପାତ୍ରଙ୍କ ଉପରେ ଆଲୋଚନା ଚାଲିଛି। ଅଧିକାଂଶ ମିଡିଆ ସିଧାସଳଖ ଭାବେ ସୋନାଙ୍କଠାରୁ ପ୍ରତିକ୍ରିୟା ଜାଣିବାକୁ ଫୋନ, ଇମେଲ ଏବଂ ହ୍ୱାଟସ୍‌ଆପ୍‌ କରିଛନ୍ତି। ସେହିଭଳି ଅନେକ ଗଣମାଧ୍ୟମ ପ୍ରତିନିଧି ସୋନାଙ୍କ ଟୁଇଟର୍ ହ୍ୟାଣ୍ଡେଲରେ ତାଙ୍କୁ ଟ୍ୟାଗ୍ କରି ପ୍ରକାଶିତ ଖବର ସେୟାର କରିବାକୁ ସେ ପସନ୍ଦ କରି ନାହାନ୍ତି। ଏହି ମାମଲାରେ ସେ କୌଣସି ମିଡିଆକୁ ପ୍ରତିକ୍ରିୟା ଦେବକେୁ ଉଚିତ୍ ମନେକରୁନାହାନ୍ତି ବୋଲି ସ୍ପଷ୍ଟ ଭାବେ ଲେଖିଛନ୍ତି। ଏହି ଘଟଣାରେ ଓଡ଼ିଶାରେ ଯେଉଁ ବ୍ୟକ୍ତିମାନେ ଟିଭିରେ ବାଇଟ ଦେଉଛନ୍ତି ବା ଆଲୋଚନାରେ ଭାଗ ନେଉଛନ୍ତି ସେମାନଙ୍କ ପ୍ରତି ମଧ୍ୟ ସୋନା ତାତ୍ସଳ୍ୟ ଭାବ ପ୍ରଦର୍ଶନ କରିବା ଲକ୍ଷ୍ୟ କରାଯାଇଛି।

କେବଳ ସେତିକି ନୁହେଁ, ସେ ‘ସବୁ ପୋଷାକ ଖୋଲିଦେବି, ଚଣ୍ଡୀ ରୂପ ଧାରଣ କରିବି’ କହି ସୋନା ଯେଉଁ ଟୁଇଟ୍ କରିଥିଲେ ତାକୁ ନେଇ ବିଭିନ୍ନ ଗଣମାଧ୍ୟମରେ ଆଲୋଚନା ହୋଇଛି। ଏହି ଆଲୋଚନା ସମ୍ପର୍କରେ ମଧ୍ୟ ପୁଣି ଟୁଇଟ୍ କରିବାକୁ ପଛାଇ ନାହାନ୍ତି ସୋନା ମହାପାତ୍ର।

ତେବେ ସୋସିଆଲ ମିଡିଆରେ କେହି କେହି ମନ୍ତବ୍ୟ ରଖିଛନ୍ତି ଯେ ସୋନା କିଛି ଭୁଲ୍ କରିନାହାନ୍ତି। କେତେକ ବ୍ୟକ୍ତି ସୋନାଙ୍କ ଏହି ସାହସ ପାଇଁ ମଧ୍ୟ ତାଙ୍କୁ ବାହାବା ଦେଇଛନ୍ତି। ଆଉ କଣ୍ଠଶିଳ୍ପୀ ସୋନା ମହାପାତ୍ର ତାଙ୍କୁ ସୁହାଉଥିବା ଏହି କମେଣ୍ଟଗୁଡ଼ିକ ଉପରେ ଇମୋଜୀ ଜରିଆରେ ନମସ୍କାର ଜଣାଇ ସ୍ୱାଗତ କରିଥିବା ଦେଖିବାକୁ ମିଳିଛି।

ଲୋକଙ୍କ କମେଣ୍ଟର ଜବାବ ଦେଇ ଦେଇ ବେହାଲ ସୋନା

ଗତ ୩ରୁ ୪ ଦିନ ହେଲା ସୋସିଆଲ ମିଡିଆରେ ଲୋକଙ୍କ  ପ୍ରଶ୍ନ, କ୍ଷୋଭ, ସମାଲୋଚନା ଓ ଆକ୍ରମଣର ଉତ୍ତର ଦେଇ ଦେଇ ବେହାଲ ହୋଇଗଲେଣି ଗାୟିକା ସୋନା ମହାପାତ୍ର। ଏହି ବିବାଦ ଭିତରେ ସେ ପ୍ୟାରିସ୍ ଯାତ୍ରା କରିଛନ୍ତି। ସେଠାରେ ଏକ ମ୍ୟୁଜିକ ଫେଷ୍ଟିଭାଲରେ ସେ ସଙ୍ଗୀତ ପରିବେଷଣ କରିବାର କାର୍ଯ୍ୟକ୍ରମ ରହିଛି। ଯିବା ପୂର୍ବରୁ ସୋନା ଟୁଇଟର୍‌ରେ କହିଛନ୍ତି ଯେ, “ମୁଁ ସେଠାରେ ଅନେକ ଲୋକଙ୍କୁ ଭେଟିବାର ସୁଯୋଗ ପାଇବି। ମୁଁ ଭାରତର ପ୍ରତିନିଧିତ୍ୱ କରିବି। ତେଣୁ ମୋ ରାଜ୍ୟ ଓଡ଼ିଶାରୁ ମୋ ପ୍ରତି ଯେଉଁ ନକରାତ୍ମକ ପ୍ରବାହ ଚାଲିଛି ତାକୁ ପଛରେ ଛାଡ଼ିଦେଇ ମୁଁ ମୋ ଦେଶକୁ ସଫଳ ରୂପେ ପ୍ରତିନିଧିତ୍ୱ କରିବା ଦିଗରେ ମନ ଦେବି।

ସାଲବେଗଙ୍କ ଲୋକପ୍ରିୟ ଜଗନ୍ନାଥ ଜଣାଣ ‘ଆହେ ନୀଳ ଶଇଳ ପ୍ରବଳ ମତ୍ତ ବାରଣ’କୁ ବିକୃତ ଭାବେ ଗାଇଥିଲେ ସୋନା ମହାପାତ୍ର। ଏହି ଗୀତକୁ ସେ ୟୁଟ୍ୟୁବ୍ ଏବଂ ଟୁଇଟର୍‌ରରେ ପୋଷ୍ଟ କରିବା ବିବାଦକୁ ଚାଲି ଆସିଥିଲେ।

ସେ ‘ଜଣାଣ’କୁ ‘ଜନନ’, ‘ମତ୍ତ’କୁ ‘ମାତ୍ତ’ ଏବଂ ‘ଘୋର ଜଳେଣ’କୁ ‘ଗର ଜଳେଣ’, ସାଲବେଗଙ୍କ ନାଁକୁ ‘ସାଲେବେଗ’  ଉଚ୍ଚାରଣ କରି ବିବାଦରେ ରହିଛନ୍ତି। ଏହାସହ ଏହି ଜଣାଣ ଗାଇବା ବେଳେ ସୋନା ଯେଉଁଭଳି ଅଙ୍ଗଭଙ୍ଗି ପ୍ରଦର୍ଶନ କରୁଥିଲେ ତାହାକୁ ଓଡ଼ିଶାର ବହୁ ସଙ୍ଗୀତପ୍ରେମୀ, ବୁଦ୍ଧିଜୀବୀ ଏବଂ ଜଗନ୍ନାଥ ସଂସ୍କୃତି ସହ ଜଡ଼ିତ ଥିବା ବ୍ୟକ୍ତି ସହଜରେ ଗ୍ରହଣ କରିପାରି ନାହାନ୍ତି।

ସୋନାଙ୍କର ଏହି ତ୍ରୁଟିକୁ ନେଇ ସୋସିଆଲ ମିଡିଆରେ ଗତ ଚାରି ଦିନ ହେଲା ବିଭିନ୍ନ କମେଣ୍ଟ ଆସୁଥିଲେ ମଧ୍ୟ ସେ ଏହାକୁ ଗ୍ରହଣ କରିବାକୁ ପ୍ରସ୍ତୁତ ନାହାନ୍ତି। ବିଭିନ୍ନ ଲୋକଙ୍କ କମେଣ୍ଟର ଜବାବ ଦେଇ ସୋନା ଚର୍ଚ୍ଚାରେ ରହିଛନ୍ତି। ସେ ତାଙ୍କ ସମାଲୋଚକଙ୍କୁ ନଗ୍ନ ହୋଇ ଚଣ୍ଡୀ ରୂପ ଧାରଣ କରିବାକୁ ସୋସିଆଲ ମିଡିଆରେ ଧମକ ଦେଇଛନ୍ତି।

Comment