ଓଡ଼ିଶାଲାଇଭ୍ ବ୍ୟୁରୋ

  • ରଥ ପାଇଁ ଦଉଡ଼ି ଚିନ୍ତା
  • କତା ନିଗମ କର୍ମଚାରୀଙ୍କ ଆନ୍ଦୋଳନ
  • ବିଭିନ୍ନ ଦାବି ନେଇ ଆନ୍ଦୋଳନ
  • ସମନ୍ୱୟ କମିଟି ବୈଠକରେ ଆଲୋଚନା
  • ଶ୍ରୀମନ୍ଦିର ପ୍ରଶାସନ ପାଖରେ ଦଉଡ଼ି ମହଜୁଦ ଅଛି: ନୀତି ପ୍ରଶାସକ

ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ଆଜି ବସିଥିଲା ତୃତୀୟ ସମନ୍ୱୟ କମିଟି ବୈଠକ। ପୁରୀ ଗୋପବନ୍ଧୁ ଆୟୁର୍ବେଦ କଲେଜ ସମ୍ମିଳନୀ କକ୍ଷରେ ରାଜସ୍ୱ ମନ୍ତ୍ରୀ ମହେଶ୍ୱର ମହାନ୍ତିଙ୍କ ଅଧ୍ୟକ୍ଷତାରେ ବସିଥିଲା ବୈଠକ।

ଏହି ବୈଠକରେ ସ୍ୱାସ୍ଥ୍ୟ, ପରିମଳ, ସ୍ୱରେଜ, ଡ୍ରେନେଜ, ଆଲୋକ ବ୍ୟବସ୍ଥା, ସୁରକ୍ଷା, ରେଳ ବ୍ୟବସ୍ଥା ଆଦି ପ୍ରସଙ୍ଗରେ ଆଲୋଚନା ହୋଇଥିଲା। କିନ୍ତୁ ରଥ ଦଉଡ଼ିକୁ ନେଇ ଟଣା ଓଟରା ଲାଗିଥିଲା। ଓଡ଼ିଶା ସମବାୟ କତା ନିଗମ କର୍ମଚାରୀମାନେ ଧାରଣା ଦେଇଥିବାରୁ ରଥଟଣା ବେଳେ ଦଉଡ଼ି କୁଆଡ଼ୁ ଆସିବ ତାକୁ ନେଇ ଆଲୋଚନା ହୋଇଥିଲା। କିନ୍ତୁ ପ୍ରଶାସନ ପାଖରେ ଦଉଡ଼ି ମହଜୁଦ ରହିଛି ବୋଲି ନୀତି ପ୍ରଶାସକ ବୈଠକରେ ସୂଚନା ଦେଇଥିଲେ।

ନୀତି ପ୍ରଶାସକ କହିଛନ୍ତି, “ରଥ ଟଣା ପାଇଁ ୧୪ଟି ଦଉଡ଼ି ଆବଶ୍ୟକ ରହିଛି। ସେଥିମଧ୍ୟରୁ ୧୨ଟି ତିଆରି ହୋଇଛି। କତା ନିଗମ କର୍ମଚାରୀଙ୍କ ଆନ୍ଦୋଳନ ପାଇଁ ୨ଟି ଦଉଡ଼ି ତିଆରି ହୋଇପାରିନି। ଶ୍ରୀମନ୍ଦିର ପ୍ରଶାସନ ପାଖରେ ୨୦ଟି ଦଉଡ଼ି ମହଜୁଦ ଅଛି। ଆବଶ୍ୟକ ପଡ଼ିଲେ ଏହି ଦଉଡ଼ି ରଥ ଟଣାରେ ବ୍ୟବହାର ହୋଇପାରିବ।”

ରାଜ୍ୟର ସମସ୍ତ ପ୍ରତିଷ୍ଠିତ ଜଗନ୍ନାଥ ମନ୍ଦିରକୁ କତା ନିଗମ ରଥ ଟାଣିବା ପାଇଁ ଦଉଡ଼ି ଯୋଗାଇଥାଏ। ପୁରୀ ରଥଯାତ୍ରାର ତିନୋଟି ରଥ ପାଇଁ  ୧୪ଟି ଦଉଡ଼ି ଆବଶ୍ୟକ ହୋଇଥାଏ। ହେଲେ ରଥଯାତ୍ରା ପୂର୍ବରୁ ବିଭିନ୍ନ ଦାବି ନେଇ କତା ନିଗମ କର୍ମଚାରୀମାନେ ଆନ୍ଦୋଳନ ପାଇଁ ଚେତାବନୀ ଦେଇଛନ୍ତି। ଫଳରେ ରଥ ଦଉଡ଼ି ତିଆରିରେ ବିଭ୍ରାଟ ଦେଖାଦେଇପାରେ ବୋଲି ଆଲୋଚନା ହେଉଛି।

“ଚତୁର୍ଥ ବେତନ କମିଶନଙ୍କ ସୁପାରିସ୍ ଅନୁସାରେ କର୍ମଚାରୀମାନେ ୧୯୮୯ରୁ ଦରମା ପାଇ ଆସୁଛନ୍ତି। କର୍ମଚାରୀମାନେ ମାସିକ ୩ ହଜାର ଏବଂ ସର୍ବାଧିକ ୭ ହଜାର ଟଙ୍କା ପାଉଛନ୍ତି। ବାରମ୍ବାର ଦାବି କରିବା ପରେ ବତ ଦରମା ବୃଦ୍ଧି କରାଯାଉନାହିଁ। ଏଣୁ ୨୧ ତାରିଖରୁ ଆମେ ଆନ୍ଦୋଳନକୁ ଓହ୍ଲାଇଛୁ। ଜୁଲାଇ ୭ ସୁଦ୍ଧା ଦାବି ପୂରଣ ନହେଲେ ଦଉଡ଼ି ତିଆରି କାମରେ ସହଯୋଗ କରିବୁ ନାହିଁ”, କହିଛନ୍ତି କର୍ମଚାରୀ ସଂଘ ସଭାପତି ମୁକ୍ତିକାନ୍ତ ମହାପାତ୍ର।

Comment