ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତର ନିର୍ବାଚନ କମିଶନ ଏବେ ଏକ ବଡ଼ କାମରେ ଲାଗିଛନ୍ତି। କାମଟି ହେଉଛି ଗୋଟିଏ ଆପ୍ଲିକେସନ ବା ଆପ୍‌ର ପ୍ରସ୍ତୁତି। ଏହା ଭୋଟରଙ୍କୁ ପୋଲିସର କ୍ଷମତା ଦେବ।

ନିର୍ବାଚନରେ ଦୁର୍ନୀତି ରୋକିବା ପାଇଁ ଏହା ଏକ ବଡ଼ ପଦକ୍ଷେପ ବୋଲି କୁହାଯାଉଛି। ଯୋଜନାକୁ କାର୍ଯ୍ୟକାରୀ କରିବା ପୂର୍ବରୁ ନିର୍ବାଚନ କମିଶନର ଏକ ଟିମ୍ ଏହି ମୋବାଇଲ ଆପକୁ ଶେଷ ସ୍ପର୍ଶ ଦେଉଛନ୍ତି। ଏହାର ନାମ ରଖାଯାଇଛି ଇ-ନେତ୍ର। ନିର୍ବାଚନ ସମୟରେ ଯଦି କୌଣସି ନେତା ନିର୍ବାଚନ ଆଚରଣ ବିଧି ପାଳନ କରୁନାହାନ୍ତି ଅର୍ଥାତ ଭୋଟରଙ୍କୁ ଟଙ୍କା ବାଣ୍ଟୁଛନ୍ତି କିମ୍ବା ଉତ୍ତେଜନାମୂଳକ ଭାଷଣ ଦେଉଛନ୍ତି ଅଥବା ମଦ ଯାଚୁଛନ୍ତି ତେବେ ଯେ କୌଣସି ବ୍ୟକ୍ତି ଏହି ଆପ ଜରିଆରେ କମିଶନଙ୍କ ନିକଟରେ ଅଭିଯୋଗ କରିପାରିବେ।

ଏହାର ପ୍ରମାଣ ପାଇଁ ଫୋଟୋ ବା ଭିଡିଓକୁ ଅପଲୋଡ଼ କରିବାକୁ ହେବ। ମୁଖ୍ୟ ନିର୍ବାଚନ କମିଶନର ଓମ ପ୍ରକାଶ ରାୱତ କହିଛନ୍ତି ଯେ ଆଗାମୀ ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି କମିଶନ ପକ୍ଷରୁ ଏହି ଆପ ତିଆରି କରାଯାଉଛି।

ଏହାର ପାଇଲଟ ପ୍ରକଳ୍ପ ଚାରି ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନରେ ପ୍ରୟୋଗ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି କମିଶନ। ଚଳିତ ବର୍ଷ ରାଜସ୍ଥାନ, ମଧ୍ୟପ୍ରଦେଶ, ଛତିଶଗଡ଼ ଓ ମିଜୋରାମରେ ନିର୍ବାଚନ ହେବ।

Comment