କୃଷ୍ଣ କୁମାର ମହାନ୍ତି

ଫୁର୍‌ଫୁର୍‌ ପବନରୁ ଧରି ଆଣି ବିସ୍ମୟମାନଙ୍କୁ ପ୍ରଜାପତି ବନେଇ ଠୋ ଠୋ ହସୁଥିବା କହ୍ନେଇ ବେଫିକର୍, ବେଧଡ଼କ, ବେସାଲିସ୍ ଓ ବିନ୍ଦାସ୍ ଜୀବନ ଜିଉଁଥିବା ଜଣେ ଅଦ୍ଭୁତ ଶବ୍ଦ-ସ୍ଥପତି। ନାହିଁ ନାହିଁର ପୃଥିବୀରେ ସ୍ୱପ୍ନର ଟୋକେଇ ମୁଣ୍ଡେଇ ସେ ବିକୁଥିଲେ ଜୀବନ, ପ୍ରେମ ଓ ବେଦନା। ଢିଲା ସାର୍ଟ ପକେଟରେ ଖୁଚୁରା କିଛି ଦାରିଦ୍ର୍ୟ ପୂରେଇ ସେ କିନ୍ତୁ ଜିଉଁଥିଲେ ସମ୍ରାଟ ଜୀବନ।

ଅନେକ ପ୍ରେମିକାଙ୍କ ସୁଖଦ ସାନ୍ନିଧ୍ୟରେ ସଜଡ଼ା ଶେଯରେ ସେ କିନ୍ତୁ ଏକା ଶୋଇ ଆଙ୍କୁଥିଲେ ନୂଆ ନକ୍ସା। ଜୀବନର, ପ୍ରେମର, ଅପ୍ରାପ୍ତିର ଓ ମାନବବାଦର! ତାହା ହିଁ ଥିଲା ତାଙ୍କ କଥାଘର। ସେ ଘରସାରା ମନ୍ତ୍ର ପରି ବିଞ୍ଚି ହୋଇ ପଡ଼ୁଥିଲା ଗଳ୍ପ ପରେ ଗଳ୍ପ। କେତେ କେତେ ଗଳ୍ପ। ସେଇ ସବୁ ଗଳ୍ପର ବାସ୍ନା ଆଜି ବି ବିଭୋର କରେ, ଉଚ୍ଚାଟ କରେ ସମ୍ବେଗୀ ପାଠକଟିଏକୁ। ଅଥଚ ସେସବୁ ଗଳ୍ପର ସ୍ରଷ୍ଟା ଆମ ଠୁ ଉଭାନ୍। ୧୯୪୭ ମସିହା ଜୁନ୍ ୨୭ ତାରିଖରେ ଜନ୍ମଗ୍ରହଣ କରିଥିବା ସଭିଙ୍କ ପ୍ରିୟ କହ୍ନେଇଲାଲ ଆଜି ନାହାନ୍ତି।

ଅନନ୍ତ ଗୋପାଳ କରତକଳ କଡ଼େକଡ଼େ ଯାଇଥିବା ବାଲେଶ୍ୱର ଜେଲ୍ ଗଳି ରାସ୍ତା ହେଉ କି ବାରବାଟୀ-ରାଜବାଟୀ ରାସ୍ତା ହେଉ, ସବୁଠି କହ୍ନେଇନାମାର ସ୍ମୃତି ଆଜି ମଧ୍ୟ ସଜୀବ। ସାରା ସହରରେ ସେ ଗୋଟେ ମୁକ୍ତ ବିହଙ୍ଗ ପରି ଉଡ଼ି ବୁଲୁଥିଲେ। ସମସ୍ତେ ତାଙ୍କୁ ଭଲ ପାଉଥିଲେ। ନିର୍ଭୀକ, ନିର୍ଭେଜାଲ, ନିଃସ୍ୱାର୍ଥୀ, ନିରଭିମାନୀ ମଣିଷଟେ ଥିଲେ ସେ।

ପ୍ରେମ ଓ ପ୍ରେମିକ ହେବାର ପରୀକ୍ଷାନିରୀକ୍ଷାରେ ସେ ଥିଲେ ଜଣେ ଆରାଧ୍ୟ ପୁରୁଷ। ସେଇଥିପାଇଁ ତ ରାତି ତମାମ ଲେଖୁଥିଲେ ବସି:  ଜୀବନ ଯନ୍ତ୍ରଣା ଓ ଯାହା ଯେମିତି ହୁଏର କାହାଣୀ।

ସେ ଜାଣିଥିଲେ ମୃତ୍ୟୁ ତାଙ୍କ ନିକଟରେ ଚକାମାରି ବସିଛି। ସେ ଜାଣିଥିଲେ ଏ ଜୀବନ ମୋର ନୁହଁ, ଆଉ କାହାର। ସେ ଜାଣିଥିଲେ ପ୍ରେମିକା ବି ଆଉ କାହାର ହୋଇଯିବ। ଏମିତି ଅନେକ କିଛି ଜାଣିଥିଲେ ବୋଲି ଈଶ୍ୱର ତାଙ୍କୁ ମାତ୍ର ୨୮ବର୍ଷ ବୟସରେ ୧୯୭୫ ମସିହା ଜୁଲାଇ ୨୭ ତାରିଖରେ ଫେରାଇ ନେଇଥିଲେ। ଓଡ଼ିଆ ଗଳ୍ପ-ସାମ୍ରାଜ୍ୟ ହୋଇ ଯାଇଥିଲା କହ୍ନେଇ ଶୂନ୍ୟ।

ବାଲେଶ୍ୱର ଜିଲ୍ଲାର ଭୋଗରାଇ ନିକଟସ୍ଥ କମର୍ଦ୍ଧାର କ୍ଷେତ୍ରମୋହନ ଦାସ ଥିଲେ କହ୍ନେଇଲାଲଙ୍କ ବାପା। ବାପା ଥିଲେ ଫକୀରମୋହନ ଦାସଙ୍କ ପୁତ୍ର। କହ୍ନେଇଲାଲଙ୍କ ବାପା କ୍ଷେତ୍ରମୋହନ କଲିକତାଠାରେ ଏକ ଅଫିସରେ ରେକର୍ଡ କିପର୍ କାମ କରୁଥିଲେ।

କ୍ଷେତ୍ରମୋହନ କେଉଁ ଏକ ବର୍ଷ ଅଜଣା ସମୟରେ ପଶ୍ଚିମବଙ୍ଗ-ଓଡ଼ିଶା ସୀମାନ୍ତ ଅଞ୍ଚଳରୁ ରୋଜଗାର ସନ୍ଧାନରେ କମର୍ଦ୍ଧା ଆସିଥିବାର ଅନୁମାନ କରାଯାଏ। ପରେ କମର୍ଦ୍ଧାରୁ ଆପଣାର ପରିବାର ଛାଡ଼ି କଲିକତା ଯାଇଥିଲେ।

ସ୍ୱଳ୍ପ ଚାଷଜମିର ସୀମିତ ଉପାର୍ଜନରେ ପରିବାରର ଗୁଜୁରାଣ ମେଣ୍ଟିବା ସମ୍ଭବ ନହେବାରୁ କ୍ଷେତ୍ରମୋହନ ଜୀବିକା ସନ୍ଧାନରେ କଲିକତା ଚାଲିଯାଇ ସେଠାରେ ଶଶିଭୂଷଣ ଦେ ଷ୍ଟ୍ରୀଟରେ ଏକ ଘରୋଇ ମାଲିକାନାଧୀନ ସଂସ୍ଥାରେ ଜଣେ ନିମ୍ନ ବେତନଭୋଗୀ କର୍ମଚାରୀ ଭାବରେ କାମ କରୁଥିଲେ। ତାଙ୍କର ସମ୍ପର୍କୀୟ ମଉସା-ମାଉସୀ ଦହମୁଣ୍ଡରେ ରହୁଥିଲେ। ମଉସାଙ୍କର ନାମ ଥିଲା ନେତ୍ରାନନ୍ଦ ଦାସ। ସେମାନେ ଆର୍ଥିକ ଦୃଷ୍ଟିରୁ ସ୍ୱଚ୍ଛଳ ଥିଲେ। ନେତ୍ରାନନ୍ଦବାବୁ କଲିକତାରେ ଚାକିରି କରୁଥିଲେ। ସେ ହିଁ କହ୍ନେଇଙ୍କ ପିତା କ୍ଷେତ୍ରମୋହନଙ୍କୁ ସେଠାକୁ ନେଇଯାଇ ଚାକିରିରେ ଲଗାଇଥିବା ଜଣାଯାଏ ।

ଘୋର ଦାରିଦ୍ର୍ୟ ଓ ଦୁଃସ୍ଥିତି ଭିତରେ ବିତିଥିଲା କହ୍ନେଲାଲଙ୍କର ଓ ତାଙ୍କର ଅନ୍ୟ ଭାଇଭଉଣୀଙ୍କର ପିଲାଦିନ। ସବା ସାନ ଭଉଣୀଙ୍କର ତ ଅକାଳ ବିୟୋଗ ଘଟିଥିଲା; ତାସାଙ୍ଗକୁ ସବା ସାନ ଭାଇ ରବି ଥିଲେ ପୋଲିଓଗ୍ରସ୍ତ। ପିତାଙ୍କର ସ୍ୱଳ୍ପ ବେତନ ଭୂମିହୀନ ସାତଜଣିଆ ପରିବାରର ପରିପୋଷଣ ପାଇଁ, ଆବଶ୍ୟକତା ଠାରୁ ଥିଲା ଯଥେଷ୍ଟ କମ୍।

କହ୍ନେଇଲାଲଙ୍କୁ ଘରେ ଡାକୁଥିଲେ ‘ଭାନୁ’ ନାମରେ। ପୁଣି କେହି କେହି ତାଙ୍କୁ ‘କୁନା’ ବୋଲି ବି ଡାକୁଥିଲେ। ଗାଆଁ ସ୍କୁଲରେ ହିଁ ପ୍ରାଥମିକ ଓ ମାଧ୍ୟମିକ ଶିକ୍ଷା ଲାଭ କରିଥିଲେ ସେ। ପ୍ରଥମରୁ ଚତୁର୍ଥ ଶ୍ରେଣୀ ଯାଏଁ କମର୍ଦ୍ଧା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଏବଂ ପଞ୍ଚମରୁ ସପ୍ତମ ଶ୍ରେଣୀ ଯାଏଁ କମର୍ଦ୍ଧା ଜଗନ୍ନାଥ ହାଇସ୍କୁଲରୁ ସେ ପଢ଼ିଥିଲେ।

ସେ ଖୁବ୍ ମେଧାବୀ ଛାତ୍ର ଥିଲେ। ସବୁବେଳେ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହେଉଥିଲେ। ସାହିତ୍ୟ ଓ ବହିପତ୍ର ପ୍ରତି ଗଭୀର ଅନୁରାଗ ଦୃଷ୍ଟିରୁ ସେଇ ସ୍କୁଲ୍ ପଢ଼ାବେଳେ ‘ଶୁଭ୍ରାବରଣୀ ପାଠାଗାର’ ନାମରେ ପାଠାଗାରାଟିଏ ବି ଗଢ଼ିଥିଲେ। ପରେ ସେ ଆସି ପଢ଼ିଲେ ବାରିପଦାର ମହାରାଜା କୃଷ୍ଣଚନ୍ଦ୍ର ଉଚ୍ଚ ବିଦ୍ୟାଳୟରେ। ତାଙ୍କ ମାମୁଙ୍କର ଜଣେ ସମ୍ପର୍କୀୟ ସେଠାରେ ରହୁଥିଲେ।

ମାମୁଙ୍କ ସୂତ୍ରରେ ତାଙ୍କ ଘରେ ରହି, ପାଠପଢ଼ି ସେ ପ୍ରଥମ ଶ୍ରେଣୀରେ ମାଟ୍ରିକ ପାସ୍ କଲେ । ତାପରେ ଆସି ପଢ଼ିଲେ ବାଲେଶ୍ୱରର ଫକୀରମୋହନ କଲେଜରେ।

ପରିବାରର ଏପରି ଆର୍ଥିକ ଦୁଃସ୍ଥିତି ଯୋଗୁଁ ବାଲେଶ୍ୱରରେ ପଢ଼ିବା ବେଳେ କହ୍ନେଇଲାଲଙ୍କୁ ଟ୍ୟୁସନ୍ କରି ନିଜ ଖର୍ଚ୍ଚ ନିଜେ ତୁଲାଇବାକୁ ପଡ଼ୁଥିଲା। ସେ ପ୍ରଥମେ ଟ୍ୟୁସନ କରୁଥିଲେ ରତନ କିଶୋର ଦେଙ୍କ ଘରେ, ତାଙ୍କ ଝିଅ ଶୁଭ୍ରା ଓରଫ୍ ରାନୀ ଓ ଅନ୍ୟମାନଙ୍କୁ ।

ବାଲେଶ୍ୱରରୁ ହିଁ ତାଙ୍କ ଭିତରେ ଥିବା ସାହିତ୍ୟର କଳିକାଟି ଅନୁକୁଳ ଆଲୋକ ଓ ଉଷ୍ମା ପାଇ କ୍ରମେ ବିକଶିତ ହେବାକୁ ଆରମ୍ଭ କରିଥିଲେ। ପ୍ରେମର ତିକ୍ତମଧୁର ସ୍ମୃତି, ଦାରିଦ୍ର୍ୟର ତୀବ୍ର ଯାତନା ଏବଂ ବ୍ରଜନାଥ ରଥ ଓ ଅନ୍ୟ ସାହିତ୍ୟିକମାନଙ୍କ ସହିତ ପରିଚୟ ଓ ସଂସର୍ଗ ତାଙ୍କ ଅନ୍ତରରେ ଭରି ଦେଇଥିଲା ଆଲୋକ ଓ ଉଷ୍ମତା।

ପରେ ପରେ ସେ ଡିଫେନ୍ସ ବିଭାଗରେ ଚାକିରି ପାଇ ଚାଲି ଯାଇଥିଲେ ପାନ୍ନାଗଡ଼ ଏବଂ ନିଜର  ପ୍ରିୟ ସହର ଓ ପ୍ରିୟ ସମ୍ପର୍କମାନଙ୍କୁ ଝୁରିଥିଲେ। ଭୁବନେଶ୍ୱରର ଏ.ଜି. ଅଫିସରେ ଚାକିରି ପାଇବା ପରେ ହିଁ ସେ କିଛିଟା ଆଶ୍ୱସ୍ତ ହୋଇଥିଲେ ଏବଂ ସେତେବେଳେ ହିଁ ଆରମ୍ଭ ହୋଇଥିଲା ଆଜିର ଭୁବନେଶ୍ୱରର ପୁରୁଣା ବସଷ୍ଟାଣ୍ଡ ସ୍ଥିତ ‘ଖଟି’ କହ୍ନେଇ ଓ ଅନ୍ୟମାନଙ୍କର ଏକତ୍ର ଆଡ୍ଡାରୁ। ଭୁବନେଶ୍ୱରର ପୁରୁଣା ବସଷ୍ଟାଣ୍ଡ ଖଟିକୁ ତେଣୁ ‘କହ୍ନେଇ ଆଡ୍ଡା ଘର’ ନାମରେ ସରକାରଙ୍କ ତରଫରୁ ରୂପାନ୍ତରିତ କରାଯିବାର ଆବଶ୍ୟକତା ଅଛି।

ଫକୀରମୋହନ ନଗର, ବାଲେଶ୍ୱର-୧

Comment