ଓଡ଼ିଶାଲାଇଭ୍‌ ବ୍ୟୁରୋ

ଓଡ଼ିଶାବାସୀ ବିଜେପି ପ୍ରତି ଆକୃଷ୍ଟ ହେଉଛନ୍ତି। ୨୦୧୯ରେ ବିଜେପି ମିଶନ-୧୨୦ ଲକ୍ଷ୍ୟ ନିଶ୍ଚୟ ହାସଲ କରିବ ବୋଲି କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନି କହିଛନ୍ତି।

  • ୪୩ ବର୍ଷ ତଳର ଏମର୍ଜେନ୍ସି କଥା କହିଲେ ସ୍ମୃତି
  • କଂଗ୍ରେସର କଳା ଶାସନ କଥା ମନେପକାଇଲେ
  • କଂଗ୍ରେସକୁ ସମାଲୋଚନା କଲେ କେନ୍ଦ୍ରମନ୍ତ୍ରୀ
  • ବିଜେପିର ମିଶନ-୧୨୦ ସଫଳ ହେବ: ସ୍ମୃତି

“ଓଡ଼ିଶାବାସୀ ବିଜେପି ପ୍ରତି ଆକୃଷ୍ଟ ହେଉଛନ୍ତି। ବିଜେପି ପ୍ରତି ଲୋକଙ୍କ ସମର୍ଥନ ବଢ଼ୁଛି। ଏଣୁ ବିଜେପିର ମିଶନ-୧୨୦ ନିଶ୍ଚୟ ପୂରଣ ହେବ। ରାଷ୍ଟ୍ରୀୟ ସଭାପତି ଅମିତ ଶାହଙ୍କ ଆକଳନ ଭୁଲ୍ ହେବନି”, କହିଛନ୍ତି କେନ୍ଦ୍ର ବୟନ ଶିଳ୍ପ ମନ୍ତ୍ରୀ ସ୍ମୃତି ଇରାନି।

୧୯୭୫ରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧି ଦେଶରେ ଜରୁରିକାଳୀନ ପରିସ୍ଥିତି ଲାଗୁ କରିଥିଲେ। ଆଜି ଏହାକୁ ୪୩ ବର୍ଷ ପୂରିଛି। ଆଜିର ଦିନକୁ ବିଜେପି ସାରା ଦେଶରେ କଳା ଦିବସ ଭାବେ ପାଳନ କରୁଛି। କଳା ଦିବସ ପାଳନ ଅବସରରେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନି ଆଜି ଭୁବନେଶ୍ୱର ଆସି ଉଭୟ କଂଗ୍ରେସ ଏବଂ ବିଜେଡିକୁ ଟାର୍ଗେଟ କରିଛନ୍ତି।

ଜରୁରିକାଳୀନ ପରିସ୍ଥିତି କଥା ମନେପକାଇ ସ୍ମୃତି କଂଗ୍ରେସର ଶାସନକୁ ସମାଲୋଚନା କରିଥିଲେ। ଜରୁରୀକାଳୀନ ପରିସ୍ଥିତି ବେଳେ କଂଗ୍ରେସର କଳା ଶାସନକୁ ବିରୋଧ କରିଥିବା ଓଡ଼ିଶାର ସ୍ୱାଧୀନତା ସଂଗ୍ରାମୀ ଡକ୍ଟର ହରେକୃଷ୍ଣ ମହତାବ, ବିଜୁ ପଟ୍ଟନାୟକ ଏବଂ ନବକୃଷ୍ଣ ଚୌଧୁରୀଙ୍କ ସ୍ମୃତିଚାରଣ କରିଥିଲେ।

“୪୩ ବର୍ଷ ତଳେ ସମ୍ବିଧାନର କଣ୍ଠରୋଧ କରାଯାଇ ରାତି ଅଧିଆ ଜରୁରିକାଳୀନ ପରିସ୍ଥିତି ଲାଗୁ କରାଯାଇଥିଲା। ଗୋଟିଏ ଜାଗାରେ ଏକାଠି ଛିଡ଼ା ହୋଇପାରୁ ନଥିଲେ। କଂଗ୍ରେସର ଏକଛତ୍ରବାଦ ଶାସନରେ ଦେଶବାସୀ ଅତିଷ୍ଠ ହୋଇଯାଇଥିଲେ। ଯେଉଁମାନେ ଜରୁରୀକାଳୀନ ପରିସ୍ଥିତି ବିରୋଧରେ ଆନ୍ଦୋଳନକୁ ଓହ୍ଲାଇଥିଲେ ସେମାନଙ୍କୁ ଜେଲ୍ ପଠାଇ ଦିଆଯାଉଥିଲା। ୪୩ ବର୍ଷ ତଳର କଳା କାହାଣୀକୁ ମନେପକାଇ ବିଜେପି ଆଜି ସାରା ଦେଶରେ କଳା ଦିବସ ପାଳନ କରୁଛି”, କହିଛନ୍ତି ସ୍ମୃତି ଇରାନି।

ବିଜେପିର ମିଶନ-୧୨୦ ପ୍ରଶ୍ନର ଉତ୍ତର ଦେଇ ସ୍ମୃତି କହିଲେ ଯେ ଲୋକଙ୍କୁ ଶିକ୍ଷା, ସ୍ୱାସ୍ଥ୍ୟ ଆଦି ପ୍ରଦାନ କ୍ଷେତ୍ରରେ ରାଜ୍ୟ ସରକାର ବିଫଳ। ଏଣୁ ଓଡ଼ିଶାବାସୀ ବିଜେପିର ସ୍ୱଚ୍ଛ ଶାସନ ପ୍ରତି ଆକର୍ଷିତ ହେଉଛନ୍ତି। ଓଡ଼ିଶାରେ ମିଶନ-୧୨୦ ସଫଳ ହେବ।

କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଭାରତ ଯୋଜନା ଓଡ଼ିଶାରେ କାର୍ଯ୍ୟକାରୀ ହେଉ ନଥିବାରୁ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଥିଲେ ସ୍ମୃତି। କହିଥିଲେ, ସଂଘୀୟ ବ୍ୟବସ୍ଥା ଅନୁସାରେ କେନ୍ଦ୍ର ପ୍ରଣୟନ କରୁଥିବା ଯୋଜନାକୁ ରାଜ୍ୟ ସରକାର କାର୍ଯ୍ୟକାରୀ କରିବା କଥା। ହେଲେ ଓଡ଼ିଶା ସରକାର ନିୟମ ଉଲ୍ଲଂଘନ କରୁଛନ୍ତି। ଓଡ଼ିଶାବାସୀ ଏହାର ଜବାବ ଦେବେ।

Comment