ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

ମହିଳାଙ୍କୁ ନେଇ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମାଷ୍ଟର ଷ୍ଟ୍ରୋକ ଖେଳିଛନ୍ତି। ନବୀନଙ୍କ ଏହି ମହିଳା କାର୍ଡକୁ ବିରୋଧୀ କରିଛନ୍ତି ସମାଲୋଚନା।

୨୦୧୯ ନିର୍ବାଚନ ପାଇଁ ସବୁ ବର୍ଗଙ୍କୁ ସନ୍ତୁଷ୍ଟ କରିବା ପରେ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ମହିଳା କାର୍ଡ ଖେଳିଛନ୍ତି। ମହିଳା ଭୋଟରଙ୍କୁ ସନ୍ତୁଷ୍ଟ କରିବା ପାଇଁ ନବୀନ ଆଜି ମାଷ୍ଟ୍ରର ଷ୍ଟ୍ରୋକ ଖେଳିଥିବା ରାଜନୀତି କରିଡରରେ ଚର୍ଚ୍ଚା ହେଉଛି।

ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ କେବଳ ମହିଳାମାନଙ୍କୁ ୭ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ସୁବିଧା ଯୋଗାଇଦେବା ପାଇଁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ୨୦୧୯ ପୂର୍ବରୁ ନବୀନଙ୍କର ମହିଳା କାର୍ଡ ବିରୋଧୀଙ୍କୁ ଅକଳିଆରେ ପକାଇଛି।

୨୦୧୪ରେ ନବୀନ ପଟ୍ଟନାୟକ ଚତୁର୍ଥ ଥର ପାଇଁ କ୍ଷମତାକୁ ଆସିଥିଲେ। ୧୪୭ ଆସନରୁ ବିଜେଡି ଏକାକୀ ୧୧୭ଟିରେ ବିଜୟୀ ହୋଇଥିଲା। ଏହି ନିର୍ବାଚନରେ ପୁରୁଷଙ୍କ ତୁଳନାରେ ଅଧିକ ମହିଳା ଭୋଟର ବିଜେଡି ସପକ୍ଷରେ ଭୋଟ ଦେଇଥିବାରୁ ବିଜେଡି ଓଡ଼ିଶାରେ ପୁଣି ବିଜୟବାନା ଉଡ଼ାଇବାରେ ସମର୍ଥ ହୋଇଥିଲା।

୨୦୧୪ରେ ୧ କୋଟି ୩୯ ଲକ୍ଷ ୮୭ ହଜାର ୧୮୩ ମହିଳା ଭୋଟରଙ୍କ ନାଁ ପଞ୍ଜିକୃତ ହୋଇଥିଲା। ସେଥିମଧ୍ୟରୁ ୧ କୋଟି ୪ ଲକ୍ଷ ୩୭ ହଜାର ୫୩୭ ମହିଳା ଭୋଟ ଦେଇଥିଲେ। ଅଧିକାଂଶ ମହିଳା ବିଜେଡି ସପକ୍ଷରେ ଭୋଟ ଦେଇଥିବା କୁହାଯାଉଛି। ମହିଳାଙ୍କ ଭୋଟ ପାଇଁ ୨୦୧୪ରେ ବିଜେଡି ନିର୍ବାଚନ ବୈତରଣୀ ପାର୍ ହୋଇଥିବା କୁହାଯାଉଥିବାରୁ ନବୀନ ୨୦୧୯ରେ ମଧ୍ୟ ମହିଳା ଭୋଟରଙ୍କ ଉପରେ ଫୋକସ୍ କରୁଥିବା ଆଲୋଚନା ହେଉଛି।

ମହିଳା ଭୋଟକୁ କବ୍‌ଜା କରିବା ପାଇଁ ନବୀନ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଚିକିତ୍ସା ରାଶିର ପରିମାଣ ବୃଦ୍ଧି କରିଛନ୍ତି।

୨୦୦୯ ତୁଳନାରେ ୨୦୧୪ରେ ୧୧ ପ୍ରତିଶତ ଭୋଟ ହାର ବୃଦ୍ଧି ପାଇଥିଲା। ବିଶେଷକରି ଆଦିବାସୀ ଅଧ୍ୟୁଷିତ ଜିଲ୍ଲା ମୟୂରଭଞ୍ଜରେ ୮୨ ପ୍ରତିଶତ ଭୋଟିଂ ହୋଇଥିବା ବେଳେ ନବରଙ୍ଗପୁରରେ ୮୨ ପ୍ରତିଶତ, ବଲାଙ୍ଗିରରେ ୭୩ ପ୍ରତିଶତ, କୋରାପୁଟ, ମାଲକାନଗିରି ଆଦି ଜିଲ୍ଲାରେ ୭୫ରୁ ଅଧିକ ପ୍ରତିଶତ ଭୋଟିଂ ହୋଇଥିଲା। ଏହି ଭୋଟ ସବୁ ବିଜେଡି ଫୋଲ୍ଡକୁ ଆସିଥିବା ଚର୍ଚ୍ଚା ହେଉଛି।

ନବୀନ ୨୦୧୪ରେ ମହିଳା ଭୋଟରଙ୍କ ପ୍ରିୟଭାଜନ ହେବାର ମଧ୍ୟ ଅନେକ କାରଣ ରହିଛି। ମହିଳାମାନଙ୍କ ପାଇଁ ନବୀନ ସରକାର ୨୦୧୪ ନିର୍ବାଚନ ପୂର୍ବରୁ ଯେତିକି ଯୋଜନା କରିଥିଲେ ତାହା ମହିଳାମାନଙ୍କୁ ଆକୃଷ୍ଟ କରିଥିଲା। ଫଳରେ ବିଜେଡି ମହିଳା ଭୋଟରଙ୍କ ଭୋଟ ପାଇ ସରକାର ଗଢ଼ିବାକୁ ସମର୍ଥ ହୋଇଥିଲା।

ମିଶନ ଶକ୍ତି, ମମତା ଯୋଜନା, ପଞ୍ଚାୟତ ଏବଂ ପୌର ଭୋଟରେ ମହିଳାମାନଙ୍କ ପାଇଁ ୫୦ ପ୍ରତିଶତ ଆସନ ସଂରକ୍ଷଣ ବ୍ୟବସ୍ଥା କରି ନବୀନ ମହିଳାମାନଙ୍କର ମନ ଜିଣିଥିଲେ। ଏହାସହ ଗାଁ ଗହଳିରେ ଅଙ୍ଗନବାଡ଼ି କର୍ମୀଙ୍କୁ ପ୍ରୋତ୍ସାହିତ କରି ମାତୃ ଏବଂ ଶିଶୁର ଯତ୍ନ ଉପରେ ଗୁରୁତ୍ୱ ଦେଇଥିଲେ ନବୀନ ସରକାର। ଏହି କାର୍ଡ ହିଁ ୨୦୧୪ରେ ଭଲ କାମ ଦେଇଥିବା ରାଜନୀତି ଶିବିରରେ ଆଲୋଚନା ହେଉଛି।

୨୦୧୪ର ସଫଳତାକୁ ନବୀନ ପୁଣି ୨୦୧୯ରେ ପ୍ରୟୋଗ କରିବାକୁ ଅଣ୍ଟା ଭିଡ଼ିଛନ୍ତି। ମହିଳା ଭୋଟରଙ୍କ ଭୋଟକୁ ଦୃଷ୍ଟିରେ ରଖି ନବୀନ ଏବେଠାରୁ ଗୋଟି ଚାଳନା କରିବା ଆରମ୍ଭ କରିଛନ୍ତି।

ନବୀନଙ୍କ ଏହି ମହିଳା କାର୍ଡକୁ ସମାଲୋଚନା କରିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ।

ନିରଞ୍ଜନ ତାଙ୍କ ଟୁଇଟର୍‌ରେ କହିଛନ୍ତି, “ବିଜେଡି ସରକାର ଅମଳରେ ମହିଳାମାନେ ଅସୁରକ୍ଷିତ ହୋଇପଡ଼ିଛନ୍ତି। ପ୍ରତିଦିନ ଓଡ଼ିଶାର ୨୪ ଜଣ ମହିଳା ଯୌନ ନିର୍ଯାତନାର ଶିକାର ହେଉଛନ୍ତି। ଏଣୁ ମହିଳାମାନଙ୍କର ବିକାଶ ହୋଇଛି କହିବା ବିଜେଡି ବନ୍ଦ କରୁ।”

Comment