ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ଅମରନାଥ ଯାତ୍ରୀଙ୍କ ପାଇଁ ଅତ୍ୟାଧୁନିକ ସୁରକ୍ଷା ବ୍ୟବସ୍ଥା
  • ୪୦ ହଜାରରୁ ଅଧିକ ସିଆର୍‌ପିଏଫ୍ ଯବାନ ମୁତୟନ
  • ଯାତ୍ରୀଙ୍କୁ ସୁରକ୍ଷା ଦେଉଛନ୍ତି ସିଆର୍‌ପିଏଫ୍‌ର ମୋଟର ସାଇକେଲ ସ୍କ୍ୱାଡ୍‌
  • ପହଲଗାମ ଓ ବାଲତାଲ ରାସ୍ତାରେ ସିସିଟିଭି
  • ଜରୁରୀକାଳୀନ ସ୍ଥିତି ପାଇଁ ସେନାର ୧୦୦ ଜଣିଆ ସ୍ୱତନ୍ତ୍ର ଟିମ୍

ଆରମ୍ଭ ହୋଇଛି ଚଳିତ ବର୍ଷର ଅମରନାଥ ଯାତ୍ରା। ଆତଙ୍କବାଦୀ ଆକ୍ରମଣ ଆଶଙ୍କା ଯାତ୍ରୀଙ୍କ ଆସ୍ଥାକୁ ପ୍ରଭାବିତ କରିପାରିନାହିଁ। ଯାତ୍ରୀଙ୍କ ସୁରକ୍ଷା ପାଇଁ ସରକାର ବ୍ୟାପକ ଓ ଅତ୍ୟାଧୁନିକ ସୁରକ୍ଷା ବନ୍ଦୋବସ୍ତ କରିଛନ୍ତି। ଯାତ୍ରା ପାଇଁ ପଞ୍ଜୀକୃତ ଦୁଇ ଲକ୍ଷରୁ ଅଧିକ ଯାତ୍ରୀଙ୍କ ମଧ୍ୟରୁ ପ୍ରଥମ ପର୍ଯ୍ୟାୟରେ ତିନି ହଜାରରୁ ଅଧିକ ଯାତ୍ରୀ ଜାମ୍ମୁର ବେସ୍‌ କ୍ୟାମ୍ପରୁ ଯାତ୍ରା ଆରମ୍ଭ କରିଛନ୍ତି।

ଦକ୍ଷିଣ କାଶ୍ମୀରରେ ୩୮୮୦ ମିଟର ଉଚ୍ଚ ପାର୍ବତ୍ୟ ଗୁମ୍ଫାରେ ବିରାଜମାନ ବାବା ଅମରନାଥଙ୍କ ଦର୍ଶନ ପାଇଁ ଏହି ବାର୍ଷିକ ଯାତ୍ରା ଅନୁଷ୍ଠିତ ହୋଇଥାଏ। ଦୁଇଟି ରାସ୍ତା ଦେଇ ଯାତ୍ରୀମାନେ ଅମରନାଥ ଯାତ୍ରା କରିଥାଆନ୍ତି।

ଜାମ୍ମୁରୁ ଶ୍ରୀନଗର କିମ୍ବା ପହଲଗାମ ପହଞ୍ଚିବାକୁ ହୁଏ। ସେଠାରୁ ପାଦରେ ଚାଲି ଚାଲି ଯିବାକୁ ହୁଏ। ବାଲତାଲ, ଡୋମିଆଲ୍‌, ବାରନ୍‌ ଏବଂ ସଙ୍ଗମ ଦେଇ ଯାଇଥିବା ରାସ୍ତାର ଦୈର୍ଘ୍ୟ ପ୍ରାୟ ୧୪ କିଲୋମିଟର। ତୀଖ ପାହାଡ଼ ମଧ୍ୟ ଦେଇ ଯାଇଥିବା ଏହି ରାସ୍ତାରେ ଯାତ୍ରା କଷ୍ଟସାଧ୍ୟ।

ପହଲଗାମ ଦେଇ ଯାଇଥିବା ଦ୍ୱିତୀୟ ରାସ୍ତାର ଦୈର୍ଘ୍ୟ ୩୬ରୁ ୪୮ କିଲୋମିଟର ମଧ୍ୟରେ। ଏହାକୁ ଅତିକ୍ରମ କରିବାକୁ ୩ରୁ ୫ ଦିନ ଲାଗୁଥିଲେ ହେଁ ସାଧାରଣତଃ ଯାତ୍ରୀମାନେ ଏହି ରାସ୍ତାକୁ ଅଧିକ ପସନ୍ଦ କରିଥାଆନ୍ତି। କାରଣ ଏହି ରାସ୍ତା ଅଧିକ ଓସାରିଆ ଏବଂ ଏହା ଏତେଟା ତୀଖ ନୁହେଁ ।

କାଶ୍ମୀର ଉପତ୍ୟକାରେ ଆତଙ୍କବାଦୀଙ୍କ ଉପଦ୍ରବ ଲାଗି ରହିଛି। ଗତ ବର୍ଷ ଆତଙ୍କବାଦୀ ଆକ୍ରମଣରେ ୮ ଜଣ ଅମରନାଥ ଯାତ୍ରୀ ପ୍ରାଣ ହରାଇଥିଲେ। ତେଣୁ ଏ ବର୍ଷ ଅମରନାଥ ଯାତ୍ରୀଙ୍କ ପାଇଁ ଅଭୂତପୂର୍ବ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ପ୍ରତିଟି ରାସ୍ତା ଦେଇ ଦିନକୁ ସର୍ବାଧିକ ୭ ହଜାର ୫୦୦ ଯାତ୍ରୀଙ୍କୁ ଯାତ୍ରା ପାଇଁ ଅନୁମତି ଦିଆଯାଉଛି।

ଯାତ୍ରୀଙ୍କ ସୁରକ୍ଷା ପାଇଁ ରାସ୍ତାରେ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ରରେ ସଜ୍ଜିତ ୪୦ ହଜାରରୁ ଅଧିକ ସିଆର୍‌ପିଏଫ୍‌ ଯବାନ ମୁତୟନ କରାଯାଇଛି। ପ୍ରତି ପର୍ଯ୍ୟାୟରେ ବେସ୍‌ କ୍ୟାମ୍ପ ଛାଡୁଥିବା ଯାତ୍ରୀଙ୍କ ସହିତ ରହିଛନ୍ତି ସିଆର୍‌ପିଏଫ୍‌ର ମୋଟର ସାଇକେଲ ସ୍କ୍ୱାଡ୍‌। ସ୍ୱତନ୍ତ୍ର ଭାବେ ପ୍ରଶିକ୍ଷିତ ଏହି ମୋଟର ସାଇକେଲ ଆରୋହୀ ଯବାନଙ୍କ ହେଲ୍‌ମେଟ୍‌ରେ କ୍ୟାମେରା ଲାଗିଛ।

ସମଗ୍ର ରାସ୍ତାର ଗତିବିଧି ରେକର୍ଡ କରିବା ପାଇଁ ଏହି ବ୍ୟବସ୍ଥା କରାଯାଇଛି। ଯବାନମାନଙ୍କ ପାଖରେ ପ୍ରାଥମିକ ଚିକିତ୍ସା ଉପକରଣ ବି ରହିଛି। ଉଭୟ ପହଲଗାମ ଓ ବାଲତାଲ ରାସ୍ତାର ଦୁଇ ପାର୍ଶ୍ୱରେ ସିସିଟିଭି କ୍ୟାମେରା ଲଗାଯାଇଛ। ଡ୍ରୋନ୍‌ କ୍ୟାମେରା ଦ୍ୱାରା ଆକାଶମାର୍ଗରୁ ବି ରାସ୍ତା ଓ ଆଖପାଖ ଅଞ୍ଚଳ ଉପରେ ନଜର ରଖାଯାଉଛି।

ଯାତ୍ରୀମାନଙ୍କୁ ନେଇ ଯାଉଥିବା ପ୍ରତିଟି ମୋଟରଯାନରେ ଆର୍‌ଏଫ୍‌ଆଇଡି (ରେଡିଓ ଫ୍ରିକ୍ୱେନ୍‌ସି ଆଇଡେଣ୍ଟିଫିକେସନ୍‌) ଟ୍ୟାଗ ଲଗାଯାଇଛି। ଏହା ଦ୍ୱାରା ଏହି ଯାନଗୁଡ଼ିକର ଅବସ୍ଥିତି ଜାଣିହେବ। ଏଥିପାଇଁ ସ୍ୱତନ୍ତ୍ର ନିୟନ୍ତ୍ରଣ କକ୍ଷ ଖୋଲାଯାଇ ଯାନବାହନର ଗତି ଉପରେ ନଜର ରଖାଯାଉଛି।

ସମଗ୍ର ରାସ୍ତାକୁ ସୁରକ୍ଷା କର୍ମୀଙ୍କ ଦ୍ୱାରା ତନ୍ନତନ୍ନ କରି ଯାଞ୍ଚ କରାଯିବା ପରେ ଯାତ୍ରୀଙ୍କ ଗାଡ଼ିକୁ ସେହି ରାସ୍ତାରେ ଛଡ଼ାଯାଉଛି। କେତେକ କ୍ଷେତ୍ରରେ ଯାତ୍ରୀଙ୍କ ଗାଡ଼ିର ଉଭୟ ପଟେ ସେନାର ବୁଲେଟ୍‌ପ୍ରୁଫ୍‌ ଯାନ ରଖି ଆଗକୁ ନିଆଯାଉଛି। ଏହା ସତ୍ତ୍ୱେ ଜରୁରୀକାଳୀନ ସ୍ଥିତିର ମୁକାବିଲା ଲାଗି ସେନାର ୧୦୦ ଜଣିଆ ସ୍ୱତନ୍ତ୍ର ଦଳକୁ ସଜାଗ ରଖାଯାଇଛି।

କୌଣସି ଅଘଟଣର ଖବର ପାଇବା ମାତ୍ରେ ଏହି ଦଳ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିବ। ଯାତ୍ରୀମାନଙ୍କ ପାଇଁ ଥିବା ବେସ୍‌ କ୍ୟାମ୍ପରେ ବ୍ୟାପକ ସୁରକ୍ଷା ବନ୍ଦୋବସ୍ତ କରାଯାଇଛି। ସେମାନଙ୍କ ପାଇଁ ଖାଦ୍ୟ ଓ ପାନୀୟ ଜଳ ବ୍ୟବସ୍ଥା ସହିତ ଶୌଚାଳୟ, ପରିବହନ ଏବଂ ଯୋଗାଯୋଗ ବ୍ୟବସ୍ଥାକୁ ସୁଗମ କରାଯାଇଛି। ଅମରନାଥ ଯାତ୍ରା ପାଇଁ ଶ୍ରୀନଗର ଆନ୍ତର୍ଜାତିକ ବିମାନ ବନ୍ଦରରେ ଏକ ସ୍ୱତନ୍ତ୍ର ଡେସ୍କ ଖୋଲାଯାଇଛି ।

ଗତ ବର୍ଷ ଅମରନାଥ ଯାତ୍ରା କରିଥିଲେ ପ୍ରାୟ ୨ ଲକ୍ଷ ୬୦ ହଜାର ଯାତ୍ରୀ। ଏ ବର୍ଷ ୨ ଲକ୍ଷ ୧୧ ହଜାରରୁ ଅଧିକ ଯାତ୍ରୀ ଯାତ୍ରା ପାଇଁ ପଞ୍ଜୀକରଣକରିଛନ୍ତି। ସୁରକ୍ଷିତ ଭାବେ ଯାତ୍ରା ସଂପନ୍ନ କରିବାକୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ସଂସ୍ଥାସହିତ ସେନା, ସିଆର୍‌ପିଏଫ୍‌, ସ୍ଥାନୀୟ ପୋଲିସ, ରାଜ୍ୟ ବିପର୍ଯ୍ୟୟ ମୁକାବିଲା ବାହିନୀ ସମନ୍ୱିତ ଭାବେ କାର୍ଯ୍ୟରତ ଅଛନ୍ତି।

ଦୁଇ ମାସ ଧରି ଚାଲିବ ଅମରନାଥ ଯାତ୍ର। ଅଗଷ୍ଟ ୨୬ ତାରିଖ ରାକ୍ଷୀ ପୂର୍ଣ୍ଣିମା ଦିନ ଯାତ୍ରା ସମାପିତ ହେବ।

Comment