ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଇଏଏସ୍‌ ବିନୋଦ କୁମାରଙ୍କ ସରକାରୀ ବାସଭବନରେ ଆଜି ଚଢ଼ାଉ କରିଛି ଭିଜିଲାନ୍ସ ଟିମ୍।

ଓଆର୍‌ଏଚ୍‌ଡିସି ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ଆଇଏଏସ୍ ବିନୋଦ କୁମାରଙ୍କୁ ଗିରଫ କରିବା ପାଇଁ ତନାଘନା କରିଛି ଭିଜିଲାନ୍ସ। ଆଜି ବିନୋଦ କୁମାର ଅଫିସ ଆସି ନଥିବାରୁ ତାଙ୍କ ବାସଭବନରେ ଚଢ଼ାଉ କରିଥିଲା ଭିଜିଲାନ୍ସ ଟିମ୍।

ନୟାପଲ୍ଲୀ ଭିଆଇପି କଲୋନୀସ୍ଥିତ ସରକାରୀ ବାସଭବନରେ ରେଡ୍ କରିଥିଲା ଭିଜିଲାନ୍ସ। ହେଲେ ବିନୋଦ କୁମାରଙ୍କୁ ନପାଇ ଫେରି ଆସିଥିଲା ଭିଜିଲାନ୍ସ ଟିମ୍। ଏବେ ବିନୋଦ କୁମାର କେଉଁଠି ଅଛନ୍ତି ତାକୁନେଇ ପ୍ରକାଶ ପାଇଛି କଳ୍ପନା ଜଳ୍ପନା।

ଓଡ଼ିଶା ଗ୍ରାମ୍ୟ ଗୃହ ଉନ୍ନୟନ ନିଗମ(ଓଆର୍‌ଏଚଡିସି)ରେ ଆର୍ଥିକ ହେରଫେର୍ ଅଭିଯୋଗରେ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ରାୟ ଶୁଣାଇଥିଲେ। ବରିଷ୍ଠ ଆଇଏଏସ୍ ଅଫିସର ବିନୋଦ କୁମାରଙ୍କ ସମେତ ପାଞ୍ଚ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ କୋର୍ଟ। ଦୋଷୀ ସାବ୍ୟ ହୋଇଥିବା ଅନ୍ୟ ୫ ଜଣ ହେଲେ ସଞ୍ଜୟ ମହାନ୍ତି, ପୂର୍ଣ୍ଣ ଚନ୍ଦ୍ର ଦାସ, ପ୍ରଦୀପ କୁମାର ରାଉତ, ଚିତ୍ତ  ରଞ୍ଜନ ମହାନ୍ତି ଏବଂ ଆଶିଷ କୁମାର ନାୟକ।

ମାମଲା ଶୁଣାଣି ବେଳେ କେବଳ ସଞ୍ଜୟ କୋର୍ଟରେ ଉପସ୍ଥିତ ଥିଲେ। ତାଙ୍କୁ ତିନି ବର୍ଷ ଜେଲ୍ ଦଣ୍ଡାଦେଶ ଶୁଣାଇଛନ୍ତି କୋର୍ଟ। ସଞ୍ଜୟ ଓଆର୍‌ଏଚ୍‌ଡିସିର ଆସିଷ୍ଟାଣ୍ଟ ମ୍ୟାନେଜର ଥିଲେ। ୫୫ ଲକ୍ଷ ଟଙ୍କା ହେରଫେର୍ ମାମଲାରେ ବିନୋଦ କୁମାରଙ୍କ ବିରୋଧରେ ଭିଜିଲାନ୍ସ କୋର୍ଟରେ ମାମଲା ରୁଜୁ ହୋଇଥିଲା।

ରାୟ ପ୍ରକାଶ ବେଳେ ବିନୋଦ କୁମାର ଉପସ୍ଥିତ ନଥିବାରୁ ତାଙ୍କ ନାଁରେ ଏନ୍‌ବିଡବ୍ଲ୍ୟୁ ଜାରି କରାଯାଇଥିଲା।

୨୦୦୦-୨୦୦୧ରେ କିଛି ବିଲ୍ଡର ଏବଂ ଠିକଦାରଙ୍କୁ ନିଗମ ଲୋନ୍ ଦେଇଥିଲା। ବିନା ସିକ୍ୟୁରିଟିରେ ଏହି ଲୋନ୍ ଦିଆଯାଇଥିଲା। ଲୋନ୍ ପରିଶୋଧ ପାଇଁ କୌଣସି ବ୍ୟବସ୍ଥା କରାଯାଇ ନଥିଲା।

Comment