ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ଜୁଲାଇ ୯ ଯାଏଁ ଦକ୍ଷିଣ ଓଡ଼ିଶାରେ ବର୍ଷା
  • ଜୁଲାଇ ୧୦ରୁ ଉତ୍ତର ଓଡ଼ିଶାରେ ବର୍ଷା
  • ୧୩ରେ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା

ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୁର୍ଣ୍ଣିବଳୟ ଘନୀଭୂତ ହେଉଛି। ଉତ୍ତର ପଶ୍ଚିମ-ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଆଡ଼କୁ ଘୂର୍ଣ୍ଣବଳୟ ଗତି କରୁଥିବାରୁ ଏହାର ପ୍ରଭାବରେ ଶୁକ୍ରବାରଠୁ ଦକ୍ଷିଣ ଓଡ଼ିଶାର ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏ ସମ୍ପର୍କରେ ସୋଆ ବିଶ୍ୱବିଦ୍ୟାଳୟର ପରିବେଶ ଓ ଜଳବୟୁ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

ବର୍ଷା ଜୁଲାଇ ୯ ତାରିଖ ପର୍ଯ୍ୟନ୍ତ ଲାଗି ରହିବ। ପରେ ଘୂର୍ଣ୍ଣିବଳୟ ପଶ୍ଚିମ ବଙ୍ଗୋପସାଗର ଏବଂ ଓଡ଼ିଶା ଉପକୂଳ ଆଡ଼କୁ ମୁହାଁଇବାର ସମ୍ଭାବନା ଥିବାରୁ ଉତ୍ତର ଓଡ଼ିଶାରେ ଜୁଲାଇ ୧୦ରୁ ବର୍ଷା ହେବାର ସମ୍ଭାବନା ରହିଛି।

ଓଡ଼ିଶାରେ ଜୁନ୍ ମାସରେ ୨୧୩.୮ ମିଲିମିଟର ଏବଂ ଜୁଲାଇରେ ୩୩୬.୮ ମିଲିମିଟର ବର୍ଷା ହୋଇଥାଏ। ହେଲେ ଜୁଲାଇ ୪ ତାରିଖ ସୁଦ୍ଧା ମାଇନସ୍ ୨୬ ପ୍ରତିଶତ କମ୍ ବୃଷ୍ଟିପାତ ହୋଇଛି।

ସୋଆ ପରିବେଶ ଓ ଜଳବୟୁ କେନ୍ଦ୍ର ନିର୍ଦ୍ଦେଶକ ଶରତ ସାହୁ କହିଛନ୍ତି, “ଜୁଲାଇ ୧୩ରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଉତ୍ତର ଓଡ଼ିଶାରେ ଜୁଲାଇ ୧୫ ପର୍ଯ୍ୟନ୍ତ ବର୍ଷା ହେବ। ଏହି ବର୍ଷା ଗତ ଦୁଇ ମାସରେ କମ୍ ହୋଇଥିବା ବର୍ଷାର ପରିମାଣ ପୂରଣ କରିପାରେ।”

Comment