ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ରାଜଭବନକୁ ରିପୋର୍ଟ ତଲବ କଲା ସାଧାରଣ ପ୍ରଶାସନ ବିଭାଗ
  • ସ୍ୱତନ୍ତ୍ର ବିମାନ ଯୋଗେ ଦିଲ୍ଲୀ ଯାଇଥିଲେ ରାଜ୍ୟପାଳ
  • ଦିଲ୍ଲୀରୁ ସ୍ୱତନ୍ତ୍ର ହେଲିକପ୍ଟରରେ ହରିୟାଣାର ଶୀର୍ଷାକୁ ଗସ୍ତ
  • ଗସ୍ତ ଖର୍ଚ୍ଚ ୪୧ ଲକ୍ଷ ୧୮ ହଜାର ଟଙ୍କା

ରାଜ୍ୟପାଳ ଗଣେଶୀ ଲାଲ୍‌ଙ୍କ ବିମାନ ଭଡ଼ାକୁ ନେଇ ଉଠିଛି ବିବାଦ। ପରୋକ୍ଷରେ ମୁହାଁମୁହିଁ ହୋଇଛନ୍ତି ରାଜଭବନ ଏବଂ ରାଜ୍ୟ ସରକାର। ରାଜ୍ୟପାଳଙ୍କ ବିମାନ ଖର୍ଚ୍ଚ ବିଲ୍‌କୁ ନେଇ ସାଧାରଣ ପ୍ରଶାସନ ବିଭାଗ ରାଜଭବନକୁ ରିପୋର୍ଟ ତଲବ କରିଥିବା ବେଳେ ରାଜଭବନ ପକ୍ଷରୁ କୌଣସି ସ୍ପଷ୍ଟୀକରଣ ଆସିନି।

ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ରାଜଭବନକୁ ଜାରି କରାଯାଇଥିବା ଚିଠିରେ ଉଲ୍ଲେଖ ରହିଛି ଯେ ଜୁନ୍ ୧୦ରୁ ୧୪ ତାରିଖ ମଧ୍ୟରେ ରାଜ୍ୟପାଳ ଦିଲ୍ଲୀ ଓ ହରିୟାଣା ଗସ୍ତରେ ଯାଇଥିଲେ।

ରାଜ୍ୟପାଳ ଭୁବନେଶ୍ୱରରୁ ଏକ ସ୍ୱତନ୍ତ୍ର ବିମାନରେ ଦିଲ୍ଲୀ ଗସ୍ତ କରିଥିଲେ। ସେହିପରି ଦିଲ୍ଲୀରୁ ହରିୟାଣାର ଶୀର୍ଷାକୁ ଯିବା ପାଇଁ ରାଜ୍ୟପାଳ ହେଲିକପ୍ଟର ବ୍ୟବହାର କରିଥିଲେ। ଏହି ଗସ୍ତ ବାବଦରେ ରାଜଭବନ ପକ୍ଷରୁ ୪୧ ଲକ୍ଷ ୧୮ ହଜାର ଟଙ୍କାର ବିଲ୍ ସାଧାରଣ ପ୍ରଶାସନ ବିଭାଗକୁ ଦିଆଯାଇଛି।  ଦିଲ୍ଲୀରୁ ହରିୟାଣା ହେଲିକପ୍ଟର ଭଡ଼ା ୫ ଲକ୍ଷ ଟଙ୍କା ଉଲ୍ଲେଖ ରହିଛି।

ରାଜ୍ୟପାଳ କେଉଁ ପରିସ୍ଥିତିରେ ଏବଂ କେଉଁ ଉଦ୍ଦେଶ୍ୟରେ ଦିଲ୍ଲୀ, ହରିୟାଣା ଯାଇଥିଲେ ତାହା ଜାଣିବା ପାଇଁ ଚାହିଁଛି ସାଧାରଣ ପ୍ରଶାସନ ବିଭାଗ। ଏନେଇ ୟୁଜର୍ସ ସାର୍ଟିଫିକେଟ ଦାଖଲ କରିବାକୁ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ରାଜ୍ୟପାଳଙ୍କ ସଚିବଙ୍କୁ କୁହାଯାଇଛି।

ଡକ୍ଟର ଏସ୍‌ ସି ଜମୀରଙ୍କ କାର୍ଯ୍ୟକାଳ ଶେଷ ହେବା ପରେ ବିହାର ରାଜ୍ୟପାଳ ସତ୍ୟପାଲ ମଲ୍ଲିକଙ୍କୁ ଓଡ଼ିଶା ରାଜ୍ୟପାଳ ଭାବେ ଦାୟିତ୍ୱ ଦିଆଯାଇଥିଲା। ମାର୍ଚ୍ଚ ୨୫ରେ ଗଣେଶୀ ଲାଲ୍‌ଙ୍କୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓଡ଼ିଶାର ରାଜ୍ୟପାଳ ଭାବେ ନିଯୁକ୍ତି ଦେଇଥିଲେ। ହରିୟାଣାର ଶୀର୍ଷା ବିଧାନସଭା ଆସନରୁ ଗଣେଶୀ ଲାଲ ବିଜେପି ଟିକେଟରେ ଏକାଧିକବାର ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି।

Comment