ଓଡ଼ିଶାଲାଇଭ୍ ବ୍ୟୁରୋ
କୁଆଡ଼େ ଗଲେ ଆଇଏଏସ୍ ବିନୋଦ କୁମାର? ଦୁଇଦିନ ହେଲା ଭିଜିଲାନ୍ସ ଅଧିକାରୀ ବିନୋଦ କୁମାରଙ୍କୁ ଗିରଫ କରିବା ପାଇଁ ଚଢ଼ାଉ କରୁଥିଲେ ମଧ୍ୟ ଖାଲି ହାତରେ ଫେରୁଛନ୍ତି।
ଓଆର୍ଏଚ୍ଡିସି ଦୁର୍ନୀତି ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇଥିବା ଆଇଏଏସ୍ ବିନୋଦ କୁମାରଙ୍କ ପତ୍ତା ମିଳୁନି। ଭିଜିଲାନ୍ସ ଟିମ୍ ଗତ ଦୁଇଦିନ ହେଲା ବିନୋଦ କୁମାରଙ୍କୁ ଖୋଜୁଥିଲେ ମଧ୍ୟ ତାଙ୍କୁ ଠାବ କରିପାରୁନି।
ବୁଧବାର ଅବରାହ୍ଣରେ ଭିଜିଲାନ୍ସ ଟିମ୍ ବିନୋଦ କୁମାରଙ୍କ ଘରେ ରେଡ୍ କରିଥିଲା। ହେଲେ ବିନୋଦଙ୍କୁ ନପାଇ ଫେରି ଆସିଥିଲା ଭିଜିଲାନ୍ସ। ଗୁରୁବାର ସକାଳେ ପୁଣି ନୟାପଲ୍ଲିସ୍ଥିତ ସରକାରୀ ବାସଭବନରେ ଭିଜିଲାନ୍ସର ୫ ଜଣିଆ ଟିମ୍ ଚଢ଼ାଉ କରିଥିଲେ। ହେଲେ ବିନୋଦ କୁମାରଙ୍କ ପତ୍ତା ପାଇ ନଥିଲା ଭିଜିଲାନ୍ସ ଟିମ୍।
ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରି ଫେରି ଆସିଥିଲା ଭିଜିଲାନ୍ସ।
ଓଡ଼ିଶା ଗ୍ରାମ୍ୟ ଗୃହ ଉନ୍ନୟନ ନିଗମ(ଓଆର୍ଏଚଡିସି)ରେ ଆର୍ଥିକ ହେରଫେର୍ ଅଭିଯୋଗରେ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ବୁଧବାର ଦିନ ରାୟ ଶୁଣାଇଥିଲେ। ବରିଷ୍ଠ ଆଇଏଏସ୍ ଅଫିସର ବିନୋଦ କୁମାରଙ୍କ ସମେତ ପାଞ୍ଚ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ କୋର୍ଟ। ଦୋଷୀ ସାବ୍ୟ ହୋଇଥିବା ଅନ୍ୟ ୫ ଜଣ ହେଲେ ସଞ୍ଜୟ ମହାନ୍ତି, ପୂର୍ଣ୍ଣ ଚନ୍ଦ୍ର ଦାସ, ପ୍ରଦୀପ କୁମାର ରାଉତ, ଚିତ୍ତ ରଞ୍ଜନ ମହାନ୍ତି ଏବଂ ଆଶିଷ କୁମାର ନାୟକ।
ମାମଲା ଶୁଣାଣି ବେଳେ କେବଳ ସଞ୍ଜୟ କୋର୍ଟରେ ଉପସ୍ଥିତ ଥିଲେ। ତାଙ୍କୁ ତିନି ବର୍ଷ ଜେଲ୍ ଦଣ୍ଡାଦେଶ ଶୁଣାଇଛନ୍ତି କୋର୍ଟ। ସଞ୍ଜୟ ଓଆର୍ଏଚ୍ଡିସିର ଆସିଷ୍ଟାଣ୍ଟ ମ୍ୟାନେଜର ଥିଲେ। ୫୫ ଲକ୍ଷ ଟଙ୍କା ହେରଫେର୍ ମାମଲାରେ ବିନୋଦ କୁମାରଙ୍କ ବିରୋଧରେ ଭିଜିଲାନ୍ସ କୋର୍ଟରେ ମାମଲା ରୁଜୁ ହୋଇଥିଲା।
ରାୟ ପ୍ରକାଶ ବେଳେ ବିନୋଦ କୁମାର ଉପସ୍ଥିତ ନଥିବାରୁ ତାଙ୍କ ନାଁରେ ଏନ୍ବିଡବ୍ଲ୍ୟୁ ଜାରି କରାଯାଇଥିଲା।
୨୦୦୦-୨୦୦୧ରେ କିଛି ବିଲ୍ଡର ଏବଂ ଠିକଦାରଙ୍କୁ ନିଗମ ଲୋନ୍ ଦେଇଥିଲା। ବିନା ସିକ୍ୟୁରିଟିରେ ଏହି ଲୋନ୍ ଦିଆଯାଇଥିଲା। ଲୋନ୍ ପରିଶୋଧ ପାଇଁ କୌଣସି ବ୍ୟବସ୍ଥା କରାଯାଇ ନଥିଲା।








କୁଆଡ଼େ ଗଲେ ଆଇଏଏସ୍ ବିନୋଦ କୁମାର? ଦୁଇଦିନ ହେଲା ଭିଜିଲାନ୍ସ ଅଧିକାରୀ ବିନୋଦ କୁମାରଙ୍କୁ ଗିରଫ କରିବା ପାଇଁ ଚଢ଼ାଉ କରୁଥିଲେ ମଧ୍ୟ ଖାଲି ହାତରେ ଫେରୁଛନ୍ତି।









