ଓଡ଼ିଶାଲାଇଭ୍‌ ଏକ୍ସକ୍ଲୁସିଭ୍

ମଦ ଭାଟି ବିରୋଧରେ ସ୍ଵର ଉଠାଇ ୧୯୯୩ରେ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କଠାରୁ ପୋଲିସ କ୍ଷମତା ପାଇଥିବା ଆଦିବାସୀ ନେତ୍ରୀ ସୁମନୀ ଝୋଡ଼ିଆ ‘ଓଡ଼ିଶାଲାଇଭ୍‌’ ସହ ତାଙ୍କର ସ୍ମୃତି ବାଣ୍ଟିଛନ୍ତି।

ରାୟଗଡାଠାରୁ ୭୨ କିଲୋମିଟର ଦୂରରେ ଅବସ୍ଥିତ ପାହାଡ଼ ଘେରା ଗାଁ’ ଶିରିଗୁଡ଼ାର ସୁମନୀ ଝୋଡ଼ିଆ। ଜଣେ ଆଦିବାସୀ ମହିଳା ହୋଇଥିଲେ ବି ତାଙ୍କ ନିର୍ଭୀକତା ତତ୍କାଳୀନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କୁ ଅଭିଭୂତ କରି ଦେଇଥିଲା। ଖାସ୍ ସେଇଥିପାଇଁ ବିଜୁ ବାବୁ ୧୯୯୩ ମସିହାରେ ତାଙ୍କୁ ନିଜ ପରାମର୍ଶଦାତା ଭାବେ ଦାୟିତ୍ୱ ଦେଇଥିଲେ। ମଦ ଭାଟି ବନ୍ଦ କରିବାକୁ ସୁମନୀଙ୍କୁ ପୋଲିସ କ୍ଷମତା ଦେଇଥିଲେ। ସୁମନୀ ତାଙ୍କ ମହିଳା ସାଥୀଙ୍କ ସହାୟତାରେ ବହୁ ମଦ ଭାଟି ଭାଙ୍ଗି ମାଟିରେ ମିଶାଇ ଦେଇଥିଲେ। ଘର ଘର ବୁଲି ମଦ ବିରୋଧରେ ସଚେତନତା ସୃଷ୍ଟି କରିଥିଲେ। ଯାହା ସେତେବେଳେ ଖାଲି ଓଡିଶା ନୁହେଁ ସାରା ଦେଶରେ ଚହଳ ପକାଇଥିଲା।

୧୯୯୩ ମସିହାର ଘଟଣା। ସେତେବେଳେ କଳାହାଣ୍ଡି, ରାୟଗଡା ଓ ଆଖପାଖ ଜିଲ୍ଲାରେ ବେଲଗାମ ଭାବେ ବିହାରୀ ଦେଶୀ ମଦ ଭାଟି ଖୋଲୁଥିଲା। ସରକାର ବି ବିହାରୀ ମଦ ଭାଟି ଖୋଲିବାକୁ ଅନୁମତି ଦେଇ ଦେଉଥିଲେ। ଫଳରେ ଏହି ଅଞ୍ଚଳରେ ମଦ ବିକ୍ରି ଜୋରସୋରରେ ଚାଲିଲା। ସ୍ଥାନୀୟ ଅଞ୍ଚଳର ଲୋକେ ମଦ ଫାଶରେ ପଡ଼ି ଯାଇଥିଲେ। ବହୁ ଘର ଉଜୁଡ଼ି ଗଲା। ଅନେକ ଲୋକ ମଦ ପଛରେ ଟଙ୍କା ଉଡାଇ ନିସ୍ଵ ପାଲଟିଗଲେ। ଘର ଭିତରେ ଅଶାନ୍ତିର ନିଆଁ ଜଳିଲା। ଖାଲି ମଦ ଏସବୁର କାରଣ ପାଲଟିଥିଲା।

ମଦ ବିକ୍ରି ବନ୍ଦ କରିବାକୁ କିଛି ମହିଳା ପ୍ରଥମେ ଏକାଠି ହୋଇଥିଲେ। କାଶୀପୁରର ସୁମନୀ ଏହାର ନେତୃତ୍ୱ ନେଇଥିଲେ। କଳାହାଣ୍ଡି ବିଶ୍ୱନାଥପୁରରେ ଆଖପାଖ ଜିଲ୍ଲାର ପ୍ରାୟ ୪୦୦ ମହିଳା ମଦ ବିରୋଧରେ ଏକାଠି ହେଲେ। ସେତେବେଳେ ମୁଖ୍ୟମନ୍ତ୍ରୀ ଥାଆନ୍ତି ବିଜୁ ପଟ୍ଟନାୟକ। ମହିଳାମାନେ ବିଜୁଙ୍କ ପାଖକୁ ଏକ ୧୦ ଦାବି ଥିବା ଖୋଲା ପତ୍ର ପଠାଇଥିଲେ। ମଦ ଭାଟି ବନ୍ଦ କରିବାକୁ ଦାବି କଲେ।

ଚିଠି ପଠାଇବାର ପାଖାପାଖି ୨୦ ଦିନ ପରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଡାକରା ଆସିଲା। ସୁମନୀ ଓ ଅନ୍ୟ ସାଥୀମାନେ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କଲେ। ସୁମନୀ ମୁଖ୍ୟମନ୍ତ୍ରୀଙ୍କ ଆଗରେ ନିଜ ଅଞ୍ଚଳର ପ୍ରକୃତ ଚିତ୍ର ବଖାଣିଥିଲେ। ମଦ ଆମକୁ ମାରୁଛି। ମଦ ପିଇ ପୁଅ ବାପାକୁ ମାରୁଛି। ଜମି ଯାଉଛି, ଧାନ, ଚାଉଳ, ସୁନା ଓ ଗହଣା, ମାଣ୍ଡିଆ ସବୁ ଯାଉଛି। ମଦ ଲାଇସେନ୍ସକୁ କାହିଁକି ସରକାର ବନ୍ଦ କରୁନି ବୋଲି ବିଜୁ ବାବୁଙ୍କୁ କହିଥିଲେ ସୁମନୀ।

ବିଜୁ ବାବୁ ସୁମନୀଙ୍କ କଥା ଶୁଣି ଆଦିବାସୀ ଅଞ୍ଚଳରେ ମଦର ଭୟାବହତାକୁ ଅନୁଭବ କରି ପାରିଥିଲେ। ସାଙ୍ଗେ ସାଙ୍ଗେ ବିଜୁ ବାବୁ ସୁମନୀଙ୍କୁ ଖାକି ପୋଷାକ ପିନ୍ଧାଇ ତାଙ୍କୁ ପୋଲିସ କ୍ଷମତା ଦେଇଥିଲେ। ସେମାନଙ୍କ ମଦ ବିରୋଧୀ ଆନ୍ଦୋଳନକୁ ପୋଲିସ ଓ ପ୍ରଶାସନ ସହାୟତା ଯୋଗାଇ ଦେବାକୁ ବିଜୁ ବାବୁ ନିର୍ଦ୍ଦେଶ ଦେଲେ।

ସୁମନୀର ବୀରତ୍ୱ ଦେଖି ସେ ଖୁବ୍ ଖୁସି ହୋଇ ତାଙ୍କୁ ମଦ ବିରୋଧୀ ଆନ୍ଦୋଳନ ଜାରି ରଖିବା ପାଇଁ ପ୍ରେରଣା ଦେଲେ। ସେଇଦିନଠାରୁ ସୁମନୀଙ୍କ ନେତୃତ୍ୱରେ କାଶୀପୁରର ଗାଁ ଗୁଡ଼ିକରେ ମଦ ବିରୋଧୀ ଆନ୍ଦୋଳନ ସଫଳ ହୋଇଛି। ତାଙ୍କ ପ୍ରଚେଷ୍ଟାରେ ଗାଁରେ ମହିଳାମଣ୍ଡଳ ଗଠନ କରାଯାଇଛି। ନାରୀ ଶକ୍ତି ଜାଗରଣର ଅଭିଯାନ ଚାଲିଛି।

ମଦ ବିରୋଧୀ ଆନ୍ଦୋଳନର ନେତୃତ୍ୱ ନେଇ ଯଥାର୍ଥ ମାର୍ଗଦର୍ଶନ କରୁଥିବାରୁ ସୁମନୀଙ୍କୁ ବିଜୁ ବାବୁ ବହୁ ଶ୍ରଦ୍ଧା କରୁଥିଲେ। ମହିଳା ସଶକ୍ତିକରଣ ଓ ସାମାଜିକ ନ୍ୟାୟ ପ୍ରତିଷ୍ଠା ପାଇଁ ସୁମନୀଙ୍କ ପରି ମା’ମାନେ ଆଗେଇ ଆସିବେ ବୋଲି ବିଶ୍ୱାସ ରଖି ସେ ସୁମନୀଙ୍କ ପରାମର୍ଶ ଗ୍ରହଣ କରୁଥିଲେ।

“ବିଜୁ ବାବୁଙ୍କ ଯୋଗୁଁ କାଶୀପୁର ଅଞ୍ଚଳବାସୀ ସେମାନଙ୍କ ଅଧିକାର ପାଇଥିଲେ। ବିଜୁ ବାବୁଙ୍କ ସହ ମିଶି ଆମେ ବିଧାନସଭା ଦେଖିପାରିଥିଲୁ। ଆମ ଅଞ୍ଚଳର ଲୋକଙ୍କ ଜମିପଟା ଯୋଗାଇଦେବା ସହ ଜଙ୍ଗଲଜମି ପଟ୍ଟା ଦେଇଥିଲେ। ଆମ କଥା ଶୁଣୁଥିଲେ ବିଜୁବାବୁ’, କହନ୍ତି ସୁମନୀ।

୧୯୮୧ ମସିହାରେ ଅଚ୍ୟୁତ ଦାସ ଓ ବିଦ୍ୟା ଦାସଙ୍କ ‘ଅଗ୍ରଗାମୀ’ ସଂସ୍ଥାରୁ ଟ୍ରେନିଂ ନେଇ କର୍ମମୟ ଜୀବନ ଆରମ୍ଭ କରିଥିବା ସୁମନୀ ୧୯୮୪ ମସିହା ବେଳକୁ ଶିରିଗୁଡ଼ା ଗ୍ରାମର ସଭାନେତ୍ରୀ ହୋଇଥିଲେ। ଏହି ‘ଅଗ୍ରଗାମୀ’ ସଂସ୍ଥା ପ୍ରେରଣାରେ ଆଜି ମୁଁ ଏତେ ବାଟରେ ପହଞ୍ଚି ପାରିଛି ବୋଲି କହନ୍ତି ସୁମନୀ।

Comment