ଓଡ଼ିଶାଲାଇଭ୍‌ ବ୍ୟୁରୋ

କେନ୍ଦ୍ର ସରକାରଙ୍କ ‘ୱାନ ନେସନ ୱାନ ଇଲେକ୍ସନ’ ବା ‘ଗୋଟିଏ ଦେଶ ଗୋଟିଏ ନିର୍ବାଚନ’ ନୀତିକୁ ସମର୍ଥନ କରିଛନ୍ତି ବିଜେଡି ସମେତ ୪ଟି ରାଜନୈତିକ ଦଳ। କିନ୍ତୁ ୯ଟି ଦଳ ଏହି ନୀତିକୁ ବିରୋଧ କରିଛନ୍ତି। ତେବେ ଦେଶରେ ଏକକ ନିର୍ବାଚନ ହେବ କି ନାହିଁ ସେନେଇ କୌଣସି ନିଷ୍କର୍ସ ବାହାରିପାରି ନାହିଁ।

ସାରା ଦେଶରେ ଲୋକସଭା ସହିତ ବିଧାନସଭା ନିର୍ବାଚନ କରିବା ପାଇଁ କେନ୍ଦ୍ର ସରକାର ପ୍ରଥମେ ପ୍ରସ୍ତାବ ଦେଇଥିଲେ। ଏନେଇ କେନ୍ଦ୍ର ସରକାର ଜାତୀୟ ଲ’ କମିଶନଙ୍କୁ ଚିଠି ଲେଖିଥିଲେ। କମିସନ ବିଭିନ୍ନ ରାଜନୈତିକ ଦଳର ମତ ଲୋଡ଼ିଥିଲେ। ଏକକ ନିର୍ବାଚନ ସମ୍ପର୍କରେ ରାଜନୈତିକ ଦଳମାନଙ୍କର ମତ କ’ଣ ତାହା ଜଣାଇବା ପାଇଁ କମିଶନ ଚିଠି ଲେଖିଥିଲେ।

ଜୁନ୍ ୨୬ ତାରିଖରେ ଜାତୀୟ ଲ’ କମିଶନଙ୍କ ଚିଠି ପାଉ ପାଉ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମର୍ଥନ ଜଣାଇଥିଲେ। ହେଲେ ଔପଚାରିକ ଭାବେ ଆଜି ବିଜେଡିର ପ୍ରତିନିଧି ଭାବେ ପୁରୀ ସାଂସଦ ପିନାକୀ ମିଶ୍ର ଲ’ କମିଶନଙ୍କୁ ଭେଟି ଦଳର ଆଭିମୁଖ୍ୟ ସମ୍ପର୍କରେ କହିଥିଲେ। ଏକକ ନିର୍ବାଚନକୁ ବିଜେଡି ସମର୍ଥନ କରୁଥିବା ସେ ଜଣାଇଥିଲେ।

“ଆମ ଦଳ ଏକକ ନିର୍ବାଚନ ନୀତିରେ ବିଶ୍ୱାସ କରୁଛି। ୨୦୦୪ରୁ ଆମେ ଲୋକସଭା ସାଙ୍ଗରେ ବିଧାନସଭା ନିର୍ବାଚନ କରି ଆସୁଛୁ। ଏହି ବ୍ୟବସ୍ଥା କରି ଆମର ନେତା ନବୀନ ପଟ୍ଟନାୟକ ଦୂରଦୃଷ୍ଟିର ପରିଚୟ ଦେଇଛନ୍ତି”, କହିଛନ୍ତି ପିନାକୀ ମିଶ୍ର।

ଅନ୍ୟପଟେ କେନ୍ଦ୍ର ସରକାରଙ୍କ ଏହି ନୀତିକୁ ସିରୋମଣୀ ଅକାଳୀ ଦଳ, ଏଆଇଏଡିଏମକେ, ସମାଜବାଦୀ ପାର୍ଟି, ତେଲେଙ୍ଗାନା ରାଷ୍ଟ୍ର ସମିତି ସମର୍ଥନ କରିଛନ୍ତି।

ତୃଣମୂଳ କଂଗ୍ରେସ, ଆପ୍, ଡିଏମକେ, ଟିଡିପି, ସିପିଆଇ, ସିପିଏମ୍, ଅଲ ଇଣ୍ଡିଆ ଫରୱାର୍ଡ ବ୍ଲକ, ଜେଡି(ଏସ୍‌) ପ୍ରମୁଖ ବିରୋଧ କରିଛନ୍ତି। ସହଯୋଗୀମାନଙ୍କ ସହ ଆଲୋଚନା କରି ମତ ଜଣାଇବ ବୋଲି କଂଗ୍ରେସ ଲ’ କମିଶନଙ୍କୁ ଜଣାଇଛି।

Comment