ଡକ୍ଟର ଫକୀର ମୋହନ ନାହାକ

ଥକା ମନ! ଆଉ ଅଟକି ଯାଆନାଆଗେଇ ଚାଲ, ମାଡି ଚାଲଏତିକିରେ ଥକି ପଡିଲେ ତୁ ଶ୍ରୀକ୍ଷେତ୍ରରେ ପହଂଚିବୁ କେମିତି? ତୋ ବାଟ ଚାହିଁ ବସିଥିବା ଭକତ ଭାବରେ ବନ୍ଧା ସେ ଭାବ ବିନୋଦିଆକୁ ଭେଟିବୁ କେମିତି?

ମନ ମୋର ! ଏମିତି ଥକି ପଡିଲେ ହେବ କିରେ! ତୁ ପରା କହୁଥିଲୁ, କ୍ଷଣିକରେ ଲଙ୍ଘିପାରୁ ଅକଳ୍ପ ବିସ୍ତୃତି? ମାଡି ଯାଇପାରୁ ବ୍ରହ୍ମାଣ୍ଡର ଗୋଟିଏ ପ୍ରାନ୍ତରୁ ଆଉ ଏକ ପ୍ରାନ୍ତକୁ? ତାହେଲେ ଥକି ପଡୁଛୁ କାହିଁକି? ସଂସାରର ଯେତେକ ଜଞ୍ଜାଳ ଯାତନା, ସେଥିରେ ଭାଙ୍ଗି ପଡୁଛୁ କାହିଁକି? ଚିନ୍ତା କରନାହିଁ ମନ। ତୋର ସବୁ ଥକାପଣ ଦୂର କରିବାକୁ ତୋତେ ହାତଠାରି ଡାକୁଛନ୍ତି ନିଜେ ପ୍ରଭୁ ପତିତପାବନ। ଶଙ୍ଖନାଭିମଣ୍ଡଳରେ ତାଙ୍କରି ଘର।

ନୀଳାଦ୍ରିର ଗିରିଗହ୍ୱର ଭିତରେ, ମେଘନାଦ ପ୍ରାଚୀରରେ ପରିବେଷ୍ଟିତ, ଏକ ସୁରମ୍ୟ ପ୍ରାସାଦରେ ନିଷ୍ପଲକ ନୟନରେ ଅନାଇ ରହିଛନ୍ତି ପ୍ରଭୁ ଚକାନୟନ, କେବଳ ତୋରି ପାଇଁ। ସେ ଅପାଣିପାଦ ବିଗ୍ରହ। ତାଙ୍କର ହାତ ନାହିଁ, ପାଦ ନାହିଁ। କାହା କଥା ଶୁଣିବାକୁ ତାଙ୍କ କାନ ନାହିଁ। ଏତେ ବଡ ବଡ ଦୁଇଟା ଆଖି ଯେ, ତା ପାଇଁ ପ୍ରକୃତି ପୁରୁଷ ପଲକ ବି ଗଢିନାହିଁ। କେଉଁ ଅପୂର୍ବ ବିନ୍ଧାଣି ତାଙ୍କୁ ଏମିତି ଗଢିଲା, ସେ ନିଜେ ଜାଣନ୍ତି କି ନାହିଁ, ତାହା ବି କାହାକୁ ଜଣା ନାହିଁ। କିନ୍ତୁ ଏମିତି ଏକ ଅଥର୍ବ ବିଗ୍ରହ ସବୁ କିଛି କରିପାରନ୍ତି।

ଥକାମନ, ତୋ କଳ୍ପନାତୀତ ରାଜ୍ୟରେ ତୋତେ ପହଂଚାଇପାରନ୍ତି ସେ। ତୋ ଆକାଂକ୍ଷାର ଉର୍ଦ୍ଧ୍ୱରେ ତୋ ପାଇଁ କୃପା ବୃଷ୍ଟି କରିପାରନ୍ତି ସେ। ସବୁ ଅସମ୍ଭବକୁ ସମ୍ଭବ କରିପାରନ୍ତି ସେ। ସେଥିପାଇଁ ତ, ନିଜେ ସନ୍ଥ ତୁଳସୀ ଦାସ, ତାଙ୍କ କୃପା ବର୍ଣ୍ଣନା କରିବାକୁ ଯାଇ ଲେଖିଦେଲେ,

“ବିନୁପଗ ଚଲଇ, ଶୁନଇ ବିନୁ କାନା

କରବିନୁ କରଇ କରମ ବିଧି ନାନା ।।”

ଥକା ମନ! ଆଉ ଅଟକି ଯାଆନା। ଆଗେଇ ଚାଲ, ମାଡି ଚାଲ। ଏତିକିରେ ଥକି ପଡିଲେ ତୁ ଶ୍ରୀକ୍ଷେତ୍ରରେ ପହଂଚିବୁ କେମିତି? ତୋ ବାଟ ଚାହିଁ ବସିଥିବା ଭକତ ଭାବରେ ବନ୍ଧା ସେ ଭାବ ବିନୋଦିଆକୁ ଭେଟିବୁ କେମିତି? ଦେଖ, କେମିତି ଏକ.. ଦୁଇ.. ତିନି.. ଚାରି…ଏମିତି ପଚାଶ .. ଶହେ .. ହଜାର .. ଲକ୍ଷ ଲକ୍ଷ ପାଦ ଆଗେଇ ଚାଲିଛନ୍ତି ସେଇ ଜଗନ୍ନାଥ ସଡକରେ।

କିଏ ରାଜା, କିଏ ରଙ୍କ .. କିଏ ଦାନୀ, କିଏ ମାନୀ .. କିଏ କେଉଁ ଜାତିର, କିଏ କେଉଁ ମତ ପନ୍ଥର, କାହାର ବର୍ଣ୍ଣ କଣ, କିଏ କ’ଣ ମାନସିକ କରିଛି .. କିଏ କେଉଁ ଉଦ୍ଦେଶ୍ୟରେ ଯାଉଛି .. ତୁ କାହାକୁ ଜାଣିନୁ .. କିଛି ବି ଜାଣିନୁ। କିନ୍ତୁ ଏମାନେ ସମସ୍ତେ ଏକମୁହାଁ। ଏମାନେ ସମସ୍ତେ ଉର୍ଦ୍ଧ୍ୱବାହୁ .. ଏମାନଙ୍କ ମୁହଁରେ କେବଳ ଗୋଟିଏ କଥା .. ଏମାନଙ୍କ ଲକ୍ଷ୍ୟସ୍ଥଳ ବି ଗୋଟିଏ। ତୁ ବି ସେମାନଙ୍କ ରାସ୍ତାରେ ଚାଲିଛୁ ଥକାମନ। ଅଟକି ଯାଆନା।

ତୁ ଭାବୁଛୁ ନା, ଏମିତି ଭିଡ ଭିତରେ ତୋ କଥା କଣ ମନେ ପଡିବ ତାଙ୍କର? ହଁ, ନିଶ୍ଚୟ ମନେ ପଡିବ। ତୋତେ ଆରମ୍ଭରୁ କହିଛି, ସେ ବିସ୍ଫାରିତ ନେତ୍ରରେ ସମଗ୍ର ଭୂଃ, ଭୁବଃ, ସ୍ୱଃ, ମହଃ, ଜନଃ, ତପଃ, ସତ୍ୟଂ .. ସମସ୍ତ ସପ୍ତଲୋକକୁ ଦେଖିପାରନ୍ତି। ସଚରାଚର ବ୍ରହ୍ମାଣ୍ଡର ପ୍ରତିଟି ପ୍ରାଣକୁ ପ୍ରାଣଶକ୍ତିରେ ପରିପୂର୍ଣ୍ଣ କରିପାରନ୍ତି। ତେଣୁ, ତୁ ସେ ଚିନ୍ତା କରନା। କେବଳ ମାଡି ଚାଲ। ବାଟରେ ଅନେକ ଦେଖାହେବେ। ନିଜ କଥା ତୋତେ କହିବେ, ନ କହିବି ପାରନ୍ତି।

ତୁ କିନ୍ତୁ କେବଳ ଗୋଟିଏ କଥା ଭାବୁଥା’, କେମିତି ଦେଖାହେବ ତାଙ୍କ ସହ। କାରଣ ତୁ ଗଲାବେଳକୁ ବଡଦାଣ୍ଡରେ ଗହଳି ଲାଗିସାରିବଣି। ଭକ୍ତଙ୍କ ମୁଣ୍ଡମାଳରେ ହୁଏତ ଆଉ ସବୁକିଛି ଅଦୃଶ୍ୟ ହେଉଥିବ। ଆଷାଢ ଆକାଶରୁ ଅମୃତର ଧାରା ବର୍ଷୁ ଥାଇପାରେ। ନୀଳକନ୍ଦର ଛାଡି ବଡଦାଣ୍ଡ ମୁହାଁ ହୋଇସାରିବେଣି ପ୍ରଭୁ। ମଦମସ୍ତ ହସ୍ତୀ ଭଳି ଢଳି ଢଳି ବାଇଶି ପାହାଚରେ ଓହ୍ଲାଇବାକୁ ପ୍ରସ୍ତୁତ ହେଉଥିବେ ନୀଳାଚଳ ନୀଳମଣି। ତେଣୁ ତୁ ଆଉ ବିଳମ୍ବ କରନା। ତୋ ପଦପାତକୁ ତ୍ୱରିତ କର। ଅଧିକ କ୍ଳାନ୍ତି ଅନୁଭବ ହେଲେ, ମନେ ପକା ଯବନ ଭକ୍ତ ସାଲବେଗଙ୍କୁ। ..

“ଜଗବନ୍ଧୁ ହେ ଗୋସାଇଁ

ସାତଶ ପଚାଶ କୋଶ ଚାଲି ନପାରଇ

ମୋହ ଯିବା ଯାଏଁ ନନ୍ଦିଘୋଷେ ଥିବ ରହି ।”

ବାସ୍, ଉଚ୍ଚାଟ ହୋଇ ଥକା ମନ ଏମିତି ଡାକ ଛାଡ, ତୋ ପାଇଁ ସେ ନିଶ୍ଚୟ ଅପେକ୍ଷା କରିବେ। ତୁ କ’ଣ ଜାଣିନୁ, ଭକ୍ତର ମନକଥାକୁ କେମିତି ନିମିଷକେ ବୁଝି ଯାଆନ୍ତି ସେ। ତା ନ ହୋଇଥିଲେ କି ଭକ୍ତ ବଳରାମ ପାଇଁ ନନ୍ଦିଘୋଷ ଛାଡି ସେ ବାଲି ରଥରେ ବିଜେ ହୋଇଥାନ୍ତେ? ସାଲବେଗ ପାଇଁ ବଡଦାଣ୍ଡରେ ନନ୍ଦିଘୋଷକୁ ଅଟକାଇଥାନ୍ତେ? ନା ବନ୍ଧୁ ମହାନ୍ତି ପାଇଁ ରତ୍ନଥାଳିରେ ଦିବ୍ୟ ବ୍ୟଞ୍ଜନ ନେଇ ପହଂଚିଥାନ୍ତେ? ଭକତ ଭାବରେ ବନ୍ଧା ନହୋଇଥିଲେ କି ସେ ଶୂନ୍ୟ ଶୂନ୍ୟରେ ଦାସିଆ ନଡିଆକୁ ହାତ ବଢାଇ ତୋଳି ନେଇଥାନ୍ତେ? ତେଣୁ ତୁ ତୋ ସବୁ ଶଙ୍କା, ସଂଶୟ ଦୂର କର ଥକା ମନ। କେବଳ ଆଗେଇ ଚାଲ।

ହେଇ ଦେଖ, ପାଖେଇ ଆସିଲାଣି ଶ୍ରୀକ୍ଷେତ୍ର। ଦୃଶ୍ୟମାନ ହେଲାଣି ନୀଳାଚଳ ଚୂଡାର ନୀଳଚକ୍ର। ଏଇଠୁ ହିଁ ମୁଣ୍ଡିଆ ମାର ଥକା ମନ। ଭାଗ୍ୟରେ ଥିଲେ ନୀଳଚକ୍ରର ଦର୍ଶନ ମିଳେ। ତାରି ଉପରେ ଉଡୁଛି ପତିତପାବନ ବାନା। ଏ ଅମ୍ଳାନ ପତାକା, ଯୁଗ ଯୁଗାନ୍ତରରୁ ଉତ୍କଳୀୟ ପ୍ରାଣର ବିଜୟ ବୈଜୟନ୍ତୀ ହୋଇ ଉଡୁଛି। ତାରି ଦର୍ଶନ ମାତ୍ରେ ସବୁ ପାପ ତାପରୁ ମୁକ୍ତି ମିଳିବ ଥକାମନ। ତାକୁ ବି ମୁଣ୍ଡିଆ ମାର। ତୋ ଅଜାଣତରେ ତୁ ଏବେ ପହଂଚିଗଲୁଣି ବାଟମଙ୍ଗଳା ପାଖରେ। ମାଆ ବାଟମଙ୍ଗଳା, ଜଗି ବସିଛନ୍ତି ଶ୍ରୀକ୍ଷେତ୍ରକୁ। ସବୁ ଭକ୍ତଙ୍କ ମଙ୍ଗଳ ମନାସି ସେ ଅଭୟ ଦେଉଛନ୍ତି।  ଯିଏ ଶ୍ରୀକ୍ଷେତ୍ରରେ ପାଦ ଥାପୁଛି, ତାକୁ ସେ ଅଭୟ କବଚ ଦେଇ ଭିତରକୁ ପଠାଉଛନ୍ତି। ତୁ ବି ତାଙ୍କ ପାଦତଳେ ଟିକିଏ ପ୍ରଣତି ଜଣା। ସଂସାରର ମଙ୍ଗଳ କାମନା କର।

ଦେଖୁ ଦେଖୁ ତୁ ଅଠରନଳା ବି ପାର ହେଲୁଣି। ଏଇ ଐତିହାସିକ ଅଠରନଳା ବାଟ ଦେଇ ତୋ ଭଳି କୋଟି କୋଟି ମନ, ଯୋଜନ ଯୋଜନ ଦୂରରୁ ଆସି ଶ୍ରୀକ୍ଷେତ୍ରରେ ପ୍ରବେଶ କରିଛନ୍ତି। ଆଉ ଚିନ୍ତା ନାହିଁ। ହେଇ ଆସିଗଲା ପତିତପାବନ କ୍ଷେତ୍ର। ତୁ ଦେଖିପାରୁଛୁ ନା.. କେମିତି ଲକ୍ଷ ଲକ୍ଷ ମୁଣ୍ଡ… ମନେ ହେଉଛି ଯେମିତି ବଡଦାଣ୍ଡଟା ଜନସମୁଦ୍ର ପାଲଟି ଯାଇଛି।

ଦେଖ, ଭଲକରି ଦେଖ, ସେ ଜନସମୁଦ୍ରର ଶେଷ ଆଡକୁ କେମିତି ପୋତ ଭଳି ଦୃଶ୍ୟମାନ ହେଉଛନ୍ତି ନନ୍ଦିଘୋଷ, ତାଳଧ୍ୱଜ ଆଉ ଦର୍ପଦଳନ। ଆଉ କିଛି ସମୟ ପରେ ମେଘ ଡମ୍ବରୁର ଗୁରୁ ଗମ୍ଭୀର ଗର୍ଜନରେ, ଏ ମଧ୍ୟ ଆଷାଢର ପୂର୍ବାହ୍ନରେ ରଥାରୂଢ ହେବେ ଚତୁର୍ଦ୍ଧା ବିଗ୍ରହ। ଘଂଟ ଘଂଟା ଖୋଳ କରତାଳ ମୃଦଙ୍ଗର ଧ୍ୱନିରେ ପ୍ରକଂପିତ ହେଲାଣି ବଡଦାଣ୍ଡ। ହରିବୋଲ ହୁଳହୁଳି ଧ୍ୱନିରେ ଗୁଞ୍ଜରି ଉଠୁଛି ଚାରିଦିଗ।

ଥକା ମନ! ତୁ ବି ସାମିଲ ହୋଇ ଯା ସେମାନଙ୍କ ଭିତରେ। ଏ ସମୁଦ୍ରକୁ ଭେଦ କରି, ଆଗକୁ ଆଗକୁ ମାଡି ଚାଲ। ହେଇ ଦେଖ, ତୁ ପହଂଚି ସାରିଲୁଣି ସିଂହଦ୍ୱାର ସମ୍ମୁଖରେ। ଏବେ ତୋ ସଂଶୟ ଦୂର ହେଲା ତ? ଦେଖ କେମିତି ଭକ୍ତଙ୍କ ଗହଣରେ ହଲି ହଲି ଝୁଲି ଝୁଲି ପହଣ୍ଡି ବିଜେ କରୁଛନ୍ତି ପ୍ରଭୁ। ରଥାରୂଢ ହେଉଛନ୍ତି। ପତିତ ଉଦ୍ଧାର ପାଇଁ ତାଙ୍କ ନାଁ ପତିତପାବନ। ଆଉ ତାଙ୍କର ଏ ଯାତ୍ରା ପତିତପାବନ ଯାତ୍ରା।

ଥକା ମନ, ତୁ ଆଉ ଚିନ୍ତା କରନାହିଁ। ତୁ ଆଉ ପତିତ ହୋଇ ନାହୁଁ। ରଥ ଉପରେ ତ୍ରିବିକ୍ରମ ବାମନ ମୂର୍ତିଙ୍କ ଦର୍ଶନ ପାଇ ସାରିଲୁଣି। ଚଉରାଅଶୀ ଯୋନି ପରେ ମିଳିଥିବା ଏ ମହାର୍ଘ ମାନବ ଜନ୍ମରୁ ତୋର ମୁକ୍ତି ଅବଶ୍ୟମ୍ଭାବୀ। ତୋର ଆଉ ପୁନର୍ଜନ୍ମ ହେବ ନାହିଁ ଥକା ମନ। ତୁ ଏବେ ଆନନ୍ଦରେ ରହ। ଚେଷ୍ଟା କର ଏ ଭିଡ ଭିତରେ ସେ ଜୀବନ ରଥର ଦଉଡିକୁ ଟିକିଏ ଛୁଇଁଦେବା ପାଇଁ। ଚେଷ୍ଟା କର, ବଡଦାଣ୍ଡରେ, ଶରଧାବାଲିରେ ଲକ୍ଷ ଲକ୍ଷ ଭକ୍ତଙ୍କ ପଦରେଣୁରେ ଟିକିଏ ଗଡି ଯିବା ପାଇଁ। ଦେଖିବୁ ତୋ ତାପିତ ପ୍ରାଣ ଶୀତଳ ହେଇଯିବ। ତୋର ସବୁ ସନ୍ତାପ ଆପେ ଆପେ ଦୂର ହେଇଯିବ।

ମୋକ୍ଷ ପ୍ରାପ୍ତିର ମହ ମହ ବାସ୍ନାରେ ମୋହଗ୍ରସ୍ତ ହେବୁ ତୁ ଥକାମନ। ତୁ ବି ଦାସିଆ ବାଉରି ଭଳି ଜୀବନ ଜଞ୍ଜାଳର ସବୁ ଯାତନାକୁ ଭୁଲି ପଖାଳ କଂସାରେ ଶାଗ ଭଜା ଟିକେ ଦେଖି ଉନ୍ମତ ହେବୁ .. ତୋତେ ଦୃଶ୍ୟମାନ ହେବ ଜଗନ୍ନାଥମୟ ବିଶ୍ୱ। ମାଟି, ପାଣି, ପବନରେ ତୋତେ କେବଳ ଦିଶିବେ ଚକାନୟନ। ତୁ ଆଉ ଥକାମନ ହୋଇ ନଥିବୁ, ତୋ ଭିତରର ସମସ୍ତ କ୍ଳାନ୍ତି ଦୂର ହୋଇସାରିଥିବ। ବିଶ୍ୱର ସମସ୍ତ ମୁକ୍ତିକାମୀ, ମୋକ୍ଷାକାଂକ୍ଷୀ ମଣିଷଙ୍କୁ ତୁ ହିଁ ବାଟ କଢାଇ ନେବୁ, ପହଂଚାଇବୁ ସେହି ଶ୍ରୀ କ୍ଷେତ୍ରରେ, କଳାକଳେବର କହ୍ନାଇଙ୍କ ପାଖରେ।

(ଲେଖକ ଜଣେ ଗଣମାଧ୍ୟମ ବ୍ୟକ୍ତିତ୍ୱ ଏବଂ ସଂପ୍ରତି ଏକ ଜାତୀୟ ସ୍ତରର ବିଶ୍ୱବିଦ୍ୟାଳୟରେ ସାମ୍ବାଦିକତା ଓ ଗଣଯୋଗାଯୋଗ ବିଷୟରେ ଅଧ୍ୟାପନାରତ)

 

Comment