ଶୁଭ୍ରାଂଶୁ ପଣ୍ଡା

ଶ୍ରୀମନ୍ଦିରର ସେବାଗୁଡ଼ିକ ସମ୍ବନ୍ଧରେ ବହୁ ଆଲେଖ, ଆଲୋଚନା ଉପଲବ୍ଧ ଥିବା ବେଳେ ବିଲୁପ୍ତ ସେବା ବିଷୟରେ ଆସନ୍ତୁ ଜାଣିବା।

ପ୍ରାତରୁତ୍‌ଥାୟ ନିର୍ମାଲ୍ୟ ମାନୟାମି ଦିନେ ଦିନେ

ବନ୍ଧୁଭିଃ ଜ୍ଞାତିଭିଃ ସାର୍ଦ୍ଧଂ ଜୀବାମ୍ୟେତେନ ସର୍ବଦା

ଇତି ବିଶ୍ବାବସୋର୍ବାଣୀଂ ଶ୍ରୁତ୍ୱା ଚ ଧରଣୀସୁରଃ ।। (ନୀଳାଦ୍ରି ମହୋଦୟ)

ବିଶ୍ବାବସୁ ବିଦ୍ୟାପତିଙ୍କୁ କହୁଛନ୍ତି, ସେ ତାଙ୍କର ବନ୍ଧୁ ଓ ଜ୍ଞାତିକୁଟୁମ୍ବଙ୍କ ମଧ୍ୟରେ ଶ୍ରୀମନ୍ଦିର ସେବା ବାଣ୍ଟିଛନ୍ତି। ସେମାନେ ନିର୍ମାଲ୍ୟ ସେବନ କରି ସର୍ବଦା କାଳାତିପାତ କରନ୍ତି।

ଏ ସମ୍ପର୍କରେ ଛତିଶା ନିଯୋଗ ସଭାପତି ରାମଚନ୍ଦ୍ର ସିଂହାରୀ କହନ୍ତି, “ଶ୍ରୀମନ୍ଦିରରେ ଆବାହମାନକାଳରୁ ଆମେ ବଂଶାନୁକ୍ରମିକ ଭାବେ ସେବା ଯୋଗାଇ ଆସୁଛୁ। ଏ ନେଇ ମାଦଳା ପାଞ୍ଜି, ଅନ୍ୟାନ୍ୟ ଐତିହାସିକ ଦସ୍ତାବିଜ୍‌ ଓ ସ୍ୱତ୍ତ୍ୱଲିପିରେ ମଧ୍ୟ ଉଲ୍ଲେଖ ରହିଛି। ଆମ ପାଇଁ କୌଣସି ନିର୍ଦ୍ଦିଷ୍ଟ ଦରମା ବା ପ୍ରାପ୍ୟର ବ୍ୟବସ୍ଥା ନାହିଁ। ପରମ୍ପରା ଅନୁଯାୟୀ ଲାଗି ହେଉଥିବା ଭୋଗର ଏକ ଅଂଶକୁ ଆମେ ‘ଖେଇ’ ଭାବେ ଗ୍ରହଣ କରିଥାଉ”।

ପୁରୀକୁ ଆଦି ଶଙ୍କରଙ୍କ ଆଗମନ ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ସେବା ବା ନିଯୋଗ ସଂଖ୍ୟା ମାତ୍ର ୬ ଥିଲା ଏବଂ କେବଳ ଦଇତା ଓ ପତିମାନଙ୍କର ସେବା ଥିବା ଜଣାଯାଏ। ମାଦଳାପାଞ୍ଜି ବର୍ଣ୍ଣନା ଅନୁସାରେ ଶଙ୍କରାଚାର୍ଯ୍ୟଙ୍କ ପରାମର୍ଶ କ୍ରମେ କେଶରୀ ବଂଶୀୟ ପ୍ରସିଦ୍ଧ ରାଜା ଯଯାତି ସୋନପୁରରୁ ପାତାଳି ବିଗ୍ରହମାନଙ୍କୁ ଉଦ୍ଧାର କରି ପୁରୀକୁ ଆଣିଥିଲେ ଓ ନିଯୋଗ ସଂଖ୍ୟା ୨୪କୁ ବୃଦ୍ଧି କରିଥିଲେ।

ଗଙ୍ଗବଂଶୀ ରାଜା ଚୋଡ଼ଗଙ୍ଗ ଦେବ ବର୍ତ୍ତମାନର ଜଗନ୍ନାଥ ମନ୍ଦିର ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ ଯାହା ତୃତୀୟ ଅନଙ୍ଗଭୀମ ଦେବ (ଖ୍ରୀ ୧୨୧୧ରୁ ୧୨୩୮)ଙ୍କ ସମୟରେ ସମାପ୍ତ ହୋଇଥିଲା। ଅନଙ୍ଗଭୀମ ସେବା କାର୍ଯ୍ୟରେ ସଂସ୍କାର ଆଣି ଛତିଶା ନିଯୋଗ (୩୬ ସେବା) ପ୍ରବର୍ତ୍ତନ କରିଥିଲେ। ଉତ୍କଳ ଇତିହାସର ଅଜ୍ଞାତ ଅଧ୍ୟାୟ ପୁସ୍ତକରେ ଲେଖକ ଚକ୍ରଧର ମହାପାତ୍ର ୩୬ ସେବାର ବିସ୍ତାର ବର୍ଣ୍ଣନା କରିଛନ୍ତି। କାଳକ୍ରମେ ଛତିଶା ନିଯୋଗର ବର୍ଗୀକରଣ ବୃଦ୍ଧି ପାଇଲା। ସୂର୍ଯ୍ୟବଂଶ ଓ ଭୋଇବଂଶ ଶାସନ କାଳରେ ଶ୍ରୀମନ୍ଦିରରେ ସେବା ଓ ସେବକଙ୍କ ସଂଖ୍ୟା ସଂପ୍ରସାରିତ ହେଲା। ଭୋଇ ଶାସନ ବେଳେ ଶ୍ରୀମନ୍ଦିରରେ ୯୮ ପ୍ରକାର ସେବା ଥିବା ଜଣାଯାଏ। ୧୮୦୫ ମସିହାରେ ପୁରୀ ଜିଲ୍ଲାପାଳ ପ୍ରଦେଶ ଆୟୁକ୍ତ ଥୋମାସ୍‌ ଫେରଟେସ୍କ୍ୟୁଙ୍କୁ ଯେଉଁ ରିପୋର୍ଟ ଦେଇଥିଲେ ସେଥିରେ ପୁରୀ ମନ୍ଦିରର ୨୪୮ ସେବକଙ୍କ ନାମ ଉଲ୍ଲେଖ ଥିଲା।

ଗଜପତିଙ୍କ ହାତରୁ ଶ୍ରୀମନ୍ଦିର ପରିଚାଳନା ଦାୟିତ୍ବ ସରକାରଙ୍କ ହାତକୁ ଆସିବା ପରେ ଶ୍ରୀମନ୍ଦିର ପ୍ରଶାସନ ଆଇନ ୧୯୫୨ ପ୍ରଣୟନ କରାଗଲା। ୧୯୫୪ରେ ଉକ୍ତ ଆଇନର ସ୍ୱତ୍ତ୍ୱଲିପିରେ ୧୧୯ ପ୍ରକାର ସେବାର ବିବରଣୀ ରହିଲା। ୧୯୮୮ରେ ‘ବେହେରା କରଣ ସେବା’କୁ ସାମିଲ କରିବା ପରେ ଏହି ସଂଖ୍ୟା ଏବେ ୧୨୦ରେ ପହଞ୍ଚିଛି।

କିଛି ସେବା ଗୋପ୍ୟ ଥିବା ବେଳେ ବହୁ ସେବା ଦୃଶ୍ୟମାନ। ଶ୍ରୀମନ୍ଦିର ବା ରଥଯାତ୍ରା ଦର୍ଶନରେ ଯାଉଥିବା ପର୍ଯ୍ୟଟକ ଓ ଶ୍ରଦ୍ଧାଳୁମାନେ ବହୁ ସେବା ପ୍ରତ୍ୟକ୍ଷ କରିପାରିବେ।

ତେବେ ଏହି ୧୨୦ ସେବାରୁ ୨୦ଟି ସେବା ଶ୍ରୀମନ୍ଦିର ଦୈନନ୍ଦିର କାର୍ଯ୍ୟକ୍ରମରୁ ବାଦ ପଡ଼ିଛି। ୧୫ଟି ସମ୍ପୂର୍ଣ୍ଣ ବିଲୁପ୍ତ ହୋଇଯାଇଥିବା ବେଳେ ୫ଟି ଆଂଶିକ ବନ୍ଦ ରହିଛି। ସାମାନ୍ୟ ଖେଇ ପାଇଁ ପାରିବାରିକ ସଂକଟ, ଅଦାଲତ ରାୟ, ପ୍ରଶାସନିକ ନିଷ୍ପତ୍ତି, ଅନାବଶ୍ୟକ, ସଂସ୍କାର, ଅନାଗ୍ରହ ବା ନିଯୋଗ ବଂଶରେ ଉତ୍ତରାଧିକାରୀ ନ ରହିବା କାରଣରୁ ଏହି ସବୁ ସେବା କ୍ରମଶଃ ସତ୍ତା ହରାଇଛନ୍ତି।

ଶ୍ରୀମନ୍ଦିରର ସେବାଗୁଡ଼ିକ ସମ୍ବନ୍ଧରେ ବହୁ ଆଲେଖ, ଆଲୋଚନା ଉପଲବ୍ଧ ଥିବା ବେଳେ ବିଲୁପ୍ତ ସେବା ସମ୍ବନ୍ଧରେ ଜାଣିବା ପାଇଁ ପାଠକଙ୍କର ଆଗ୍ରହ ଉପୁଜୁଥିବ ନିଶ୍ଚୟ।

ବିଲୁପ୍ତ ସେବାଗୁଡ଼ିକ ହେଲା-

୧. ଖଟୁଳି ସେବା: ଏହି ସେବକ ବଲ୍ଲଭ ପୂଜା ବେଳେ ଅଣସର ପିଣ୍ଡିରେ ପହିଲି ଭୋଗରେ ଖଟୁଳି ପକାଉଥିଲେ। ସ୍ୱତ୍ତ୍ୱଲିପିରେ ଏହି ସେବା ନିରଂଶ ଥିବା ଜଣାଯାଏ।

୨. ପାଇକ ସେବା: ୧୯୫୪ ଶ୍ରୀମନ୍ଦିର ସ୍ୱତ୍ତ୍ୱଲିପିରେ ୩୬ ଜଣ ପାଇକଙ୍କ ନାମ ଉଲ୍ଲେଖ ଅଛି। ଗତ ଶତାବ୍ଦୀର ୬୦ ଦଶକରୁ ଏହି ସେବା ବନ୍ଦ ଅଛି। ପାଇକଙ୍କ କାର୍ଯ୍ୟ ମନ୍ଦିର ପୁଲିସ ଓ ପରିମଳ କର୍ମଚାରୀ କରୁଛନ୍ତି।

୩. ଗୀତଗୋବିନ୍ଦ ସେବା: ସେବକ ନିରଂଶ ହେତୁ ୧୯୫୪ ପୂର୍ବରୁ ଏହି ସେବା ବନ୍ଦ ହୋଇଛି। ମଝିରେ କିଛି କାଳ ରାଘବଦାସ ଓ ଜଗନ୍ନାଥ ବଲ୍ଲଭ ମଠ ପକ୍ଷରୁ ଏହି ସେବା ପ୍ରଦାନ କରାଯାଉଥିଲେ ହେଁ ସଂପ୍ରତି ବନ୍ଦ ରହିଛି।

୪. ପରିଚ୍ଛା ସେବା: ରାଜା ଶାସନ ସମୟରେ ରାଜଗୁରୁମାନେ ମନ୍ଦିର ପରିଚ୍ଛା ଥିଲେ ଓ ଦେବଦାସୀ ସେବିକାଙ୍କ ଆଗରେ ସୁନାବେତ ଧରି ପଟୁଆର କରୁଥିଲେ। ବହୁକାଳରୁ ଏ ସେବା ବନ୍ଦ ହୋଇଯାଇଛି।

୫. ବୀଣାକାର ସେବା: ୧୯୫୦ ମସିହାରୁ ଏହି ସେବା ବନ୍ଦ ଅଛି।

୬. ସୁଆର ନିଯୋଗ ନାୟକ ସେବା: ୧୮୭୦ ମସିହାରେ ଅଦାଲତ ରାୟ ଦ୍ୱାରା ଏହି ସେବା ଉଚ୍ଛେଦ ହୋଇ ସୁଆର ମହାସୁଆର ସେବାରେ ଲୀନ ହୋଇଯାଇଛି।

୭. ପନିକିପଟା ସେବା: ୧୯୫୪ ସ୍ୱତ୍ତ୍ୱଲିପି ଉଲ୍ଲେଖ ବେଳେ ଏ ନିଯୋଗ ବନ୍ଦ ଥିବା ଜଣାଯାଇଥିଲା।

୮. ଭିତର ଗାଆଣ ଦେବଦାସୀ ସେବା: ୧୯୯୩ରେ କୋକିଳ ପ୍ରଭା ଦେବଦାସୀଙ୍କ ମୃତ୍ୟୁ ପରେ ଏହି ସେବା ବନ୍ଦ ହୋଇଛି।

୯. ସଂପ୍ରଦା ନିଯୋଗ: ଏହି ସେବା ବହୁ ବର୍ଷରୁ ବନ୍ଦ ଅଛି। ବାହାର ଗାଆଣୀ ଦେବଦାସୀ ସେବିକା ଶଶିମଣି ଏଥିରୁ ଅଳ୍ପ କିଛି ସେବା କରୁଥିଲେ। ୨୦୧୫ରେ ତାଙ୍କ ମୃତ୍ୟୁ ପରେ ଏହି ସେବା ସହ ବାହାର ଗାଆଣୀ ମଧ୍ୟ ବନ୍ଦ ହୋଇଯାଇଛି।

୧୦. ମାଦେଳି ସେବା: ୧୯୫୨ ପୂର୍ବରୁ ଏହି ସେବା ନିଶ୍ଚିହ୍ନ ହୋଇଛି।

୧୧. ପତରବନ୍ଧା ସେବା: ସ୍ୱତ୍ତ୍ୱଲିପି ଅନୁସାରେ ଏହି ସେବା ପାଇଁ କୌଣସି ସେବକଙ୍କ ନାମ ଉଲ୍ଲେଖ ନାହିଁ।

୧୨. ଜୈୟନ୍ତ୍ରୀ ବାଦ୍ୟକାର ସେବା: ଏହି ସେବା ଆଂଶିକ ବଳବତ୍ତର ରହିଛି। ମହୁରୀ, ଢୋଲକି ଓ ୪ ଝାଞ୍ଜ ବାଦ୍ୟଯନ୍ତ୍ର ସେବକଙ୍କ ଅନୁପସ୍ଥିତି ସତ୍ତ୍ୱେ କେବଳ ଘଷାବାଦ୍ୟରେ ଏହି ସେବା ଚାଲିଛି।

୧୩. କଳାବେଠିଆ ସେବା: ରଥ ଦକ୍ଷିଣି ମୋଡ଼ ଓ ଛାମୁଣ୍ଡିଆ ନିର୍ମାଣ ସମୟରେ ଏହି ସେବକଙ୍କ ଲୋଡ଼ା ପଡ଼େ। ବହୁବର୍ଷ ଧରି ସେମାନେ କାର୍ଯ୍ୟରୁ ବିରତ ଅଛନ୍ତି। ସେମାନଙ୍କ କାର୍ଯ୍ୟ ପୁଲିସ ଓ ଭୋଇ ସେବକ ଆଦି କରୁଛନ୍ତି।

୧୪. ଶଙ୍ଖୁଆ ସେବା: ଦେଶ ସ୍ୱାଧୀନ ହେବାର କିଛି ବର୍ଷ ଆଗରୁ ଏ ସେବା ବନ୍ଦ ରହିଛି।

୧୫. କୁମ୍ଭାର ବିଶୋଇ: ଏମାନଙ୍କ କାର୍ଯ୍ୟ ହାଣ୍ଡି କୁଡ଼ୁଆ ନିର୍ମାଣ। ୧୯୮୮ ମସିହାରେ ଶ୍ରୀମନ୍ଦିର ପରିଚାଳନା କମିଟି ନିଷ୍ପତ୍ତି ଅନୁସାରେ ଏହି ସେବା ବନ୍ଦ କରାଯାଇଛି।

୧୬. ବାଣୁଆ ସେବା: ଶ୍ରୀମନ୍ଦିର ଉତ୍ସବ ସମୟରେ ବାଣ ଯୋଗାଇବା ଏହି ସେବକଙ୍କ ଦାୟିତ୍ୱ। ଶେଷ ସେବକ ଅନନ୍ତ ଜେନାଙ୍କ ମୃତ୍ୟୁ ପରଠାରୁ ଏହା ବନ୍ଦ ରହିଛି।

୧୭. ମହାପ୍ରଶସ୍ତ ସେବା: ଏହି ସେବକଙ୍କୁ ମାପ ସାଇତାକରଣ କୁହାଯାଏ। ଖେଇବଣ୍ଟାକୁ ନେଇ ବିବାଦ ଉପୁଜିବାରୁ ୧୯୨୫ରୁ ଏହି ସେବା ବନ୍ଦ ରହିଛି।

୧୮. କୋଠ କରଣ ସେବା: ଦୀର୍ଘ ବର୍ଷ ଧରି ଏହି ସେବା ବନ୍ଦ ରହିଛି।

୧୯. ଚର୍ଚ୍ଚାଇତ କରଣ ସେବା: ବିଗତ ଶତାବ୍ଦୀ ପ୍ରଥମାର୍ଦ୍ଧରେ ଏହି ସେବବକ ଜଗନ୍ନାଥ ମହାନ୍ତି ନିସନ୍ତାନ ଥିବାରୁ ସେବେଠାରୁ ସେବା ବନ୍ଦ ହୋଇଯାଇଛି।

୨୦. ଦଉଡ଼ିବଳା ସେବା: ରଥଯାତ୍ରା ପାଇଁ ଦଉଡ଼ି ବଜାରରୁ କିଣିବା ଲାଗି ପ୍ରଶାସନର ନିଷ୍ପତ୍ତି ପରେ ଏହି ଦଉଡ଼ିବଳା ସେବା ବନ୍ଦ ରହିଛି।

LEAVE A REPLY

Please enter your comment!
Please enter your name here