ଓଡ଼ିଶାଲାଇଭ୍‍ ବ୍ୟୁରୋ

ଅମିତାଭ ବଚ୍ଚନ ଏବଂ ତାଙ୍କ ଝିଅ ଶ୍ୱେତା ଅଭିନୟ କରିଥିବା ଏକ ବିଜ୍ଞାପନର କଥାବସ୍ତୁ ଓ ଅଭିପ୍ରାୟ ଉପରେ ଆପତ୍ତି ଉଠାଇଛି ଅଖିଳ ଭାରତ ବ୍ୟାଙ୍କ ଅଧିକାରୀ ମହାସଂଘ

ଦେଢ଼ ମିନିଟ୍‌ର ବିଜ୍ଞାପନ। ତିନିଲକ୍ଷରୁ ଅଧିକ ବ୍ୟାଙ୍କ ଅଧିକାରୀଙ୍କ ଅସନ୍ତୋଷ। ଅମିତାଭ ବଚ୍ଚନ ଏବଂ ତାଙ୍କ ଝିଅ ଶ୍ୱେତା ଅଭିନୟ କରିଥିବା ଏହି ବିଜ୍ଞାପନର କଥାବସ୍ତୁ ଏବଂ ଅଭିପ୍ରାୟକୁ କେନ୍ଦ୍ର କରି ବିବାଦର ସୂତ୍ରପାତ ହୋଇଛି। ଅଖିଳ ଭାରତ ବ୍ୟାଙ୍କ ଅଧିକାରୀ ମହାସଂଘ ଏହାକୁ ଅସ୍ୱସ୍ତିକର ଏବଂ ଅପମାନଜକ ବୋଲି ଅଭିହିତ କରିଛି।

କେରଳର ଏକ ଅଳଙ୍କାର ପ୍ରତିଷ୍ଠାନ ପାଇଁ ନିର୍ମିତ ଏହି ବିଜ୍ଞାପନରେ ବାପା ଓ ଝିଅ ଭୂମିକାରେ ଅମିତାଭ ଓ ତାଙ୍କ ଝିଅ ଶ୍ୱେତା ଅଭିନୟ କରିଛନ୍ତି। କଥାବସ୍ତୁ ଏହିପରି – ଝିଅକୁ ସାଙ୍ଗରେ ନେଇ ବ୍ୟାଙ୍କକୁ ଯାଆନ୍ତି ପେନସନଭୋଗୀ ବାପା। ଜଣେ ସଚ୍ଚୋଟ ନାଗରିକ ଭାବେ ତାଙ୍କ ପେନସନ ଆକାଉଣ୍ଟରେ ଜମା ହୋଇଥିବା ଅଧିକ ଟଙ୍କା ଫେରାଇବାକୁ ଚାହାଁନ୍ତି। ବ୍ୟାଙ୍କ କାଉଣ୍ଟରରେ ସେମାନଙ୍କୁ ଫେରାଇ ଦିଆଯାଏ। କର୍ମଚାରୀ ମୁହଁ ଛିଞ୍ଚାଡ଼ି କଥା କହନ୍ତି। ମ୍ୟାନେଜରଙ୍କ ପାଖକୁ ଯାଆନ୍ତି। ସେଠାରେ ବି ତାଙ୍କୁ ଉପହାସର ପାତ୍ର ହେବାକୁ ପଡ଼େ।

ଏଭଳି ଦୃଶ୍ୟଗୁଡ଼ିକ ଉପରେ ଆପତ୍ତି ଉଠାଇଛି ବ୍ୟାଙ୍କ ଅଧିକାରୀଙ୍କ ସଂଗଠନ। ସମଗ୍ର ବ୍ୟାଙ୍କିଂ ବ୍ୟବସ୍ଥା ଏବଂ ବ୍ୟାଙ୍କ କର୍ମଚାରୀଙ୍କୁ ଏଥିରେ ନକାରାତ୍ମକ ଭାବେ ଉପସ୍ଥାପନ କରାଯାଇଛି ବୋଲି ଅଭିଯୋଗ କରି ଏହି ବିଜ୍ଞାପନ ଅସ୍ୱସ୍ତିକର ଏବଂ ଅପମାନଜନକ ବୋଲି କହିଛନ୍ତି ଅଖିଳ ଭାରତ ବ୍ୟାଙ୍କ ଅଧିକାରୀ ମହାସଂଘର ସାଧାରଣ ସଂପାଦକ ସୌମ୍ୟ ଦତ୍ତ। ନିଜକୁ ସାଧୁ ଓ ସଚ୍ଚୋଟ ବୋଲି ଉପସ୍ଥାପନ କରିବାକୁ ଯାଇ ସମଗ୍ର ବ୍ୟାଙ୍କର କାର୍ଯ୍ୟଧାରାକୁ ସନ୍ଦେହ ଘେରକୁ ଟାଣିନେବା ପାଇଁ ଏଥିରେ ଅପଚେଷ୍ଟା କରାଯାଇଛି ବୋଲି ସେ ଅଭିଯୋଗ କରିଛନ୍ତି। ସବୁ ବ୍ୟାଙ୍କ କର୍ମଚାରୀଙ୍କ ପାଇଁ ଏହା ଅପମାନଜନକବୋଲି ସେ ମତ ଦେଇଛନ୍ତି।

ବିଜ୍ଞାପନ ପ୍ରସ୍ତୁତ କରିଥିବା ଅଳଙ୍କାର ପ୍ରତିଷ୍ଠାନ ପକ୍ଷରୁ ଏହି ଅଭିଯୋଗକୁ ଅସ୍ୱୀକାର କରି କୁହାଯାଇଛି ଯେ ଏହା ଏକ କାଳ୍ପନିକ କାହାଣୀ ଉପରେ ଆଧାରିତ। ଏଥିରେ ସାମଗ୍ରୀକ ଭାବେ ବ୍ୟାଙ୍କିଙ୍ଗ ବ୍ୟବସ୍ଥାକୁ ନିନ୍ଦିତ କରାଇବାର କୌଣସି ଉଦ୍ୟମ କରାଯାଇନାହିଁ। ଏହା ସହିତ ଏହି ବିଜ୍ଞାପନରେ ଏକ ଡିସ୍‌କ୍ଲେମର ସଂଲଗ୍ନ କରାଯିବ ବୋଲି ଅଳଙ୍କାର ପ୍ରତିଷ୍ଠାନ ଜଣାଇଛନ୍ତି।

କିନ୍ତୁ ଏହି ସ୍ପଷ୍ଟୀକରଣରେ ସନ୍ତୁଷ୍ଟ ନୁହେଁ ବ୍ୟାଙ୍କ ଅଧିକାରୀ ମହାସଂଘ। ଉଭୟ ଅଳଙ୍କାର ପ୍ରତିଷ୍ଠାନ ଏବଂ ଅମିତାଭ ବଚ୍ଚନ ଏଥିପାଇଁ ନିଃସର୍ତ୍ତ କ୍ଷମାପ୍ରାର୍ଥନା କରନ୍ତୁ ବୋଲି ମହାସଂଘ ଦାବି କରିଛି। ଅନ୍ୟଥା ସାଂଗଠନିକ ବିରୋଧ ସହିତ ଅଦାଲତର ଆଶ୍ରୟ ନିଆଯିବ ବୋଲି ମହାସଂଘ ଚେତାଇ ଦେଇଛି।

ଏହି ବିଜ୍ଞାପନକୁ ମାଲାୟାଲମ ଭାଷାରେ ମଧ୍ୟ ନିର୍ମାଣ କରାଯାଇଛି। ସେଥିରେ ଅମିତାଭଙ୍କ ଝିଅ ଭୂମିକାରେ ଅଛନ୍ତି କେରଳର ବିଶିଷ୍ଟ ଅଭିନେତ୍ରୀ ମଞ୍ଜୁ ୱାରିଅର। ବିଜ୍ଞାପନର ଶେଷ ଭାଗରେ ଅମିତାଭ ବଚ୍ଚନଙ୍କ ସଂଳାପର ମର୍ମ ହେଲା ‘ସମସ୍ତଙ୍କୁ ଜଣାଇବା ପାଇଁ ନୁହେଁ, ନିଜେ ନିଜକୁ ଜଣାଇବା ପାଇଁ ହିଁ ସଚ୍ଚୋଟ ରହିବା ଦରକାର’।

Comment