ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ଓଡ଼ିଶା ପୋଲିସ ହାଇସ୍କୁଲର ଟଙ୍କା ହେର୍‌ଫେର୍ ମାମଲା
  • ତଳ କୋର୍ଟରେ ଦୋଷୀ ସାବ୍ୟସ୍ତ ହୋଇଥିଲେ କିରାଣୀ ଭାଗିରଥି ମିଶ୍ର
  • ଚାକିରୀରୁ ବରଖାସ୍ତ ହୋଇଥିଲେ
  • ହାଇକୋର୍ଟରେ ଚାଲେଞ୍ଜ କରିଥିଲେ ଭାଗିରଥି
  • ୧୯୯୯ରେ ଭାଗିରଥିଙ୍କର ମୃତ୍ୟୁ ହୋଇଥିଲା
  • ଭାଗିରଥିଙ୍କୁ ନିର୍ଦ୍ଦୋଷ ପ୍ରମାଣିତ ପାଇଁ ଆଗେଇ ଆସିଥିଲେ ପରିବାରବର୍ଗ
  • ହାଇକୋର୍ଟରୁ ମିଳିଲା ନ୍ୟାୟ

ଓଡ଼ିଶା ନ୍ୟାୟପାଳିକା ଇତିହାସରେ ଏକ ଗୁରୁତ୍ୱପୂର୍ଣ୍ଣ ତଥା ଐତିହାସିକ ରାୟର ଶୁଣାଣି କରିଛନ୍ତି ହାଇକୋର୍ଟ। ୧୯୯୬ ମସିହାରେ ଦୁଇ ଦୁଇଟି ତଳ କୋର୍ଟରେ ଦୋଷୀ ସାବ୍ୟସ୍ତ ହୋଇଥିବା ଓଡ଼ିଶା ପୋଲିସ ହାଇସ୍କୁଲର ତତ୍କାଳୀନ କିରାଣୀ ସ୍ୱର୍ଗତ ଭାଗିରଥି ମିଶ୍ରଙ୍କୁ ନିର୍ଦ୍ଦୋଷ ଦର୍ଶାଇଛନ୍ତି କୋର୍ଟ। ସବୁଠୁ ବଡ଼ କଥା ହେଉଛି ଭାଗିରଥି ମିଶ୍ରଙ୍କ ଦେହାନ୍ତ ହୋଇ ଯାଇଥିବା ବେଳେ ତାଙ୍କୁ ନିର୍ଦ୍ଦୋଷ ବୋଲି ପ୍ରମାଣିତ କରିବା ପାଇଁ ସ୍ୱର୍ଗତ ମିଶ୍ରଙ୍କ ପିଲାମାନେ ଆଗେଇ ଆସିଥିଲେ। ହାଇକୋର୍ଟରେ ମାମଲା ଲଢ଼ିଥିଲେ। ଏହି ଲଢ଼େଇର ବିଜୟ ହୋଇଛି ଏବଂ ୩୪ ବର୍ଷ ପରେ ଭାଗିରଥି ମିଶ୍ରଙ୍କ ପରିବାରକୁ ନ୍ୟାୟ ମିଳିଛି।

କଟକ ତୁଳସୀପୁରସ୍ଥିତ ଓଡ଼ିଶା ପୋଲିସ ହାଇସ୍କୁଲର ଟଙ୍କା ହେର୍‌ଫେର୍ ମାମଲାର ବିଚାର କରି ୩୪ ବର୍ଷ ପରେ ଓଡ଼ିଶା ହାଇକୋର୍ଟ ଐତିହାସିକ ରାୟ ଦେଇଛନ୍ତି। ଫଳରେ ଟଙ୍କା ହେର୍‌ଫେର୍ ମାମଲାରେ ଚାକିରୀରୁ ବରଖାସ୍ତ ହୋଇଥିବା ସ୍କୁଲର କର୍ମଚାରୀ ସ୍ୱର୍ଗତ ଭାଗିରଥି ମିଶ୍ରଙ୍କ ପରିବାରକୁ ଆଶ୍ୱସ୍ତି ମିଳିଛି। ସମସ୍ତ ସାକ୍ଷ୍ୟ ପ୍ରମାଣକୁ ଭିତ୍ତିକରି ଜଷ୍ଟିସ ବିଶ୍ୱନାଥ ରଥ ସ୍ୱର୍ଗତ ଭାଗିରଥି ମିଶ୍ରଙ୍କୁ ନିର୍ଦ୍ଦୋଷ ବୋଲି କହିଛନ୍ତି। ଏଣୁ ଚାକିରିରୁ ନିଲମ୍ବିତ ହେବା ଦିନରୁ ଭାଗିରଥି ମିଶ୍ରଙ୍କୁ ତାଙ୍କର ସମସ୍ତ ପ୍ରାପ୍ୟ ପ୍ରଦାନ କରିବାକୁ ସ୍କୁଲ ଓ ଗଣଶିକ୍ଷା ବିଭାଗ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ।

କ’ଣ ଥିଲା ଘଟଣା?

୧୯୮୪ ମସିହାରେ ଓଡ଼ିଶା ପୋଲିସ ହାଇସ୍କୁଲର ଟଙ୍କା ହେର୍‌ଫେର୍ ଅଭିଯୋଗ ହୋଇଥିଲା। ଏନେଇ ସ୍କୁଲ ପରିଚାଳନା କମିଟି କିରାଣୀ ଭାଗିରଥି ମିଶ୍ର ଏବଂ ତତ୍କାଳୀନ ପ୍ରଧାନ ଶିକ୍ଷକ କୁଳମଣୀ ରଥଙ୍କୁ ଦାୟୀ କରି ତାଙ୍କ ନାଁରେ ଅପରାଧିକ ମାମଲା ରୁଜୁ କରଥିଲା। ଘଟଣାର ତଦନ୍ତ କରାଯାଇ ୧୯୯୪ ମସିହା ସେପ୍ଟେମ୍ବର ୨୭ ତାରିଖରେ କର୍ମଚାରୀ ଭାଗିରଥି ଏବଂ ତତ୍କାଳୀନ ପ୍ରଧାନ ଶିକ୍ଷକ କୁଳମଣୀ ରଥଙ୍କ ବିରୋଧରେ ଅତିରିକ୍ତ ସିଜେଏମ୍ କୋର୍ଟରେ ଚାର୍ଜସିଟ୍‌ ଦାଖଲ କରାଯାଇଥିଲା। କୋର୍ଟ ଉଭୟଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ। ଏହାକୁ ଆଧାର କରି ୧୯୯୬ ମାର୍ଚ୍ଚ ୮ ତାରିଖରେ ଭାଗିରଥୀଙ୍କୁ ଚାକିରୀରୁ ବରଖାସ୍ତ କରାଯାଇଥିଲା। ହେଲେ ଏହାକୁ ହାଇକୋର୍ଟରେ ଚାଲେଞ୍ଜ କରିଥିଲେ ଭାଗିରଥୀ। ଆଇନଜୀବୀ ପ୍ରସନ୍ନ କୁମାର ନନ୍ଦଙ୍କ ଜରିଆରେ ଭାଗିରଥି ହାଇକୋର୍ଟରେ ଏକ ରିଟ୍ ପିଟିସନ ଦାଖଲ କରିଥିଲେ।

ହାଇକୋର୍ଟରେ ମାମଲା ବିଚାରାଧିନ ରହିଥିବା ବେଳେ ୧୯୯୯ ମସିହା ଅଗଷ୍ଟ ୧୨ ତାରିଖରେ ଭାଗିରଥିଙ୍କର ଦେହାନ୍ତ ହୋଇଥିଲା। କିନ୍ତୁ ଏହି ମାମଲାକୁ ଆଗକୁ ନେବା ପାଇଁ ଚାହିଁଥିଲେ ତାଙ୍କ ପରିବାରବର୍ଗ। ଭାଗିରଥିଙ୍କ ସ୍ତ୍ରୀ, ଦୁଇ ପୁଅ ଏବଂ ଦୁଇ ଝିଅ ବାପାଙ୍କୁ ନିର୍ଦ୍ଦୋଷ ପ୍ରମାଣ କରିବା ପାଇଁ ମାମଲାକୁ ଆଗକୁ ନେଇଥିଲେ। ୨୦୧୭ରେ ହାଇକୋର୍ଟ ସମସ୍ତ ପ୍ରମାଣ, ସାକ୍ଷ୍ୟ ଏବଂ ପାରିପାର୍ଶ୍ବିକ ସ୍ଥିତିକୁ ବିଚାର କରି ଅର୍ଥ ତୋଷାରପାତ ଅଭିଯୋଗକୁ ଗ୍ରହଣ କରି ନଥିଲେ। ଭାଗିରଥି ବିଭିନ୍ନ ଶିକ୍ଷକଙ୍କ ଆକାଉଣ୍ଟରେ ଟଙ୍କା ପୈଠ କରିଥିବା ହାଇକୋର୍ଟ ଶୁଣାଣି ବେଳେ କହିଥିଲେ।

ଏହାସହ ଉପଯୁକ୍ତ ସାକ୍ଷ୍ୟ, ପ୍ରମାଣକୁ ଭଲଭାବେ ଅନୁଧ୍ୟାନ ନକରି ତଳ କୋର୍ଟ ଭାଗିରଥିଙ୍କୁ ଦୋଷୀ ସାବ୍ୟସ୍ତ କରିଥିବା ହାଇକୋର୍ଟ କହିଛନ୍ତି।

ରାୟରେ କ’ଣ କହିଲେ ହାଇକୋର୍ଟ?

ସ୍କୁଲ ଟଙ୍କା ହେର୍‌ଫେର୍‌ରେ ଭାଗିରଥି ମିଶ୍ରଙ୍କର କୌଣସି ସଂପୃକ୍ତି ନଥିବାରୁ ତାଙ୍କୁ ସମସ୍ତ ସୁବିଧା ସୁଯୋଗ  ଏବଂ ଉପଯୁକ୍ତ ପ୍ରାପ୍ୟ ଦେବା ପାଇଁ ହାଇକୋର୍ଟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ବହିଷ୍କାର ହେବା ଦିନରୁ ମୃତ୍ୟୁ ପର୍ଯ୍ୟନ୍ତ ଭାଗିରଥି ମିଶ୍ରଙ୍କ ଚାକିରୀକୁ ନିୟମିତ କରି ଦୁଇ ମାସ ଭିତରେ ଏରିଅର୍ ପ୍ରଦାନ କରିବାକୁ ସ୍କୁଲ ଓ ଗଣଶିକ୍ଷା ବିଭାଗ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ଗ୍ରାଚ୍ୟୁଟି ଏବଂ ୬ ପ୍ରତିଶତ ସୁଧ ହାରରେ ତାଙ୍କ ପରିବାରକୁ ପେନ୍‌ସନ୍ ଦେବା ପାଇଁ କୋର୍ଟ ସ୍କୁଲ ଓ ଗଣଶିକ୍ଷା ବିଭାଗ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଚାକିରୀରୁ ବହିଷ୍କାର ହେବା ଦିନରୁ ଅବସର ନେବା ପର୍ଯ୍ୟନ୍ତ  ୬ ପ୍ରତିଶତ ସୁଧ ହାରରେ ଦରମାର ୭୫ ପ୍ରତିଶତ ଦେବାକୁ କୋର୍ଟ କହିଛନ୍ତି। ଏହାଛଡ଼ା ଭାଗିରଥିଙ୍କ ସ୍ତ୍ରୀଙ୍କୁ ନିୟମ ଅନୁଯାୟୀ ପେନ୍‌ସନ୍ ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

୧୯୭୩ ମସିହାରେ ଓଡ଼ିଶା ପୋଲିସ ହାଇସ୍କୁଲରେ ଭାଗିରଥି ମିଶ୍ର କିରାଣୀ ଭାବେ ନିଯୁକ୍ତି ପାଇଥିଲେ। କିନ୍ତୁ ୧୯୭୯ ମସିହାରେ ସେ ପଦୋନ୍ନତି ପାଇ ବରିଷ୍ଠ କିରାଣୀ ହୋଇଥିଲେ। ଏହି ସ୍କୁଲ୍‌ରେ ଓଡ଼ିଶା ପୋଲିସର ଡିଜି ଏବଂ ଆଇଜି ସଭାପତି ରହିବା ସହ ଡିଆଇଜି ସମ୍ପାଦକ ରହିଥିଲେ। କିରାଣୀ ଭାଗିରଥି ମିଶ୍ରଙ୍କ ନାଁରେ ଟଙ୍କା ହେର୍‌ଫେର୍ ଅଭିଯୋଗ ଆସିବା ପରେ ସମ୍ପାଦକ ଥିବା ଡିଆଇଜି ଥାନାରେ ଏତଲା ଦେଇଥିଲେ।

ଭାଗିରଥିଙ୍କ ସ୍ତ୍ରୀ ରେବତୀ ମିଶ୍ର କହିଛନ୍ତି, “ଓଡ଼ଶା ହାଇକୋର୍ଟ ଯେଉଁ ରାୟ ଶୁଣାଇଛନ୍ତି ସେଥିରେ ମୁଁ ବହୁତ ଖୁସି। ମୁଁ ଜାଣିଥିଲି ମୋ ସ୍ୱାମୀ ନିର୍ଦ୍ଦୋଷ ଏବଂ ତାଙ୍କୁ ଚକ୍ରାନ୍ତ କରି ଫସାଇ ଦିଆଯାଇଛି। ସତ୍ୟର ବିଜୟ ହୋଇଛି। ଏହି ରାୟ ଯଦି ଆଉ କିଛି ବର୍ଷ ପୂର୍ବରୁ ପ୍ରକାଶ ପାଇଥାନ୍ତା ତାହାଲେ ଆମ କରିବାର ଆହୁରି ଖୁସି ହୋଇଥାନ୍ତୁ।”

ମାମଲା ପରିଚାଳନା କରୁଥିବା ହାଇକୋର୍ଟର ଆଇନଜୀବୀ ପ୍ରସନ୍ନ କୁମାର ନନ୍ଦ ମଧ୍ୟ ଖୁସି ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ ଏହା ଆମ ପାଇଁ ବଡ଼ ଚାଲେଞ୍ଜ ଥିଲା। ତଳ କୋର୍ଟରେ ଦୋଷୀ ସାବ୍ୟସ୍ତ ହୋଇଥିବା ଭାଗିରଥି ମିଶ୍ରଙ୍କୁ ନିର୍ଦ୍ଦୋଷ ପ୍ରମାଣିତ କରିଥି ହାଇକୋର୍ଟ ଐତିହାସିକ ରାୟ ଦେଇଛନ୍ତି। ଏହାସହ ତାଙ୍କ ପରିବାରବର୍ଗକୁ ପେନସନ୍ ଏବଂ ଭାଗିରଥିଙ୍କ ବକେୟା ଦରମା ଟଙ୍କା ଦେବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

Comment