ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଉ କିଛି ସମୟ ପରେ ବଡ଼ଦାଣ୍ଡରେ ରଥ ଉପରେ ସୁନାବେଶରେ ଭକ୍ତଙ୍କୁ ଦର୍ଶନ ଦେବେ ମହାପ୍ରଭୁ। ସନ୍ଧ୍ୟା ୬ଟା ୩୦ ପରଠୁ ରାତି ୧୦ଟା ପର୍ଯ୍ୟନ୍ତ ଭକ୍ତମାନେ ସୁନା ବେଶ ଦର୍ଶନ କରିବେ।

ଆଜି ଶ୍ରୀଜିଉଙ୍କ ସୁନାବେଶ। ମହଣ ମହଣ ସୁନା ଅଳଙ୍କାରରେ ସଜ୍ଜିତ ହୋଇ ଝଲସିବେ ମହାପ୍ରଭୁ। ବଡ଼ଦାଣ୍ଡରେ ରଥ ଉପରେ ସୁନାବେଶରେ ଭକ୍ତଙ୍କୁ ଦର୍ଶନ ଦେବେ ମହାପ୍ରଭୁ।

ଅପରାହ୍ନ ୫ଟାରୁ ଠାକୁରଙ୍କ ସୁନାବେଶ ଆରମ୍ଭ ହେବ। ସନ୍ଧ୍ୟା ୬ଟା ୩୦ ପରଠୁ ରାତି ୧୦ଟା ପର୍ଯ୍ୟନ୍ତ ଭକ୍ତମାନେ ସୁନା ବେଶ ଦର୍ଶନ କରିବେ।

ସୁନାବେଶ ଲାଗି ପୁଲିସ୍‌ ଓ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ସୁନାବେଶ ଦର୍ଶନ ଲାଗି ପୁରୀରେ ୮ରୁ ୧୦ ଲକ୍ଷ ଭକ୍ତଙ୍କ ସମାଗମ ହେବା ନେଇ ଆଶା କରାଯାଉଥିବାରୁ ଶୃଙ୍ଖଳିତ ଦର୍ଶନ ଓ ନିର୍ଦ୍ଧାରିତ ସମୟରେ ନୀତିକାନ୍ତି ସାରିବା ଉପରେ ଶ୍ରୀମନ୍ଦିର ପ୍ରଶାସନ ଗୁରୁତ୍ୱ ଦେଉଛି। ସୁନାବେଶରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଲକ୍ଷଲକ୍ଷ ଭକ୍ତ ସୁଅ ଛୁଟିଛି।

ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ବିଭିନ୍ନ ବେଶ ମଧ୍ୟରେ ସୁନାବେଶ ଅନ୍ୟତମ, ଯାହାକି ଅତ୍ୟନ୍ତ ଉପଭୋଗ୍ୟ ଓ ଆକର୍ଷଣୀୟ।

ଶ୍ରୀଗୁଣ୍ଡିଚା ରଥଯାତ୍ରାର ଅନ୍ତିମ ପର୍ଯ୍ୟାୟରେ ଅର୍ଥାତ ଆଷାଢ଼ ଶୁକ୍ଲ ଏକାଦଶୀ ଦିନ ସିଂହଦ୍ଵାରଠାରେ ଦଣ୍ଡାୟମାନ ଥିବା ତ୍ରିରଥ ଉପରେ ଆକର୍ଷଣୀୟ ସୁନାବେଶ ହୋଇ ଲକ୍ଷ ଲକ୍ଷ ଭକ୍ତଙ୍କ ସମ୍ମୁଖରେ ଦର୍ଶନ ଦେଇଥାନ୍ତି ।

ପ୍ରତିବର୍ଷ ଆଷାଢ଼ ଶୁକ୍ଳ ଏକାଦଶୀ ଦିନ ମଧ୍ୟାହ୍ନ ଧୂପ ଶେଷ ହେବା ପରେ ରଥ ଉପରେ ଚତୁର୍ଦ୍ଧାମୂର୍ତ୍ତିଙ୍କର ସୁନାବେଶ ଅନୁଷ୍ଠିତ ହୋଇଥାଏ। ଏହି ସୁନାବେଶ ସାମଗ୍ରୀ ଭଣ୍ଡାର ଘରୁ ପାଳିଆ ମେକାପ, ଖୁଣ୍ଟିଆ ସେବକ, ମାଜିଷ୍ଟ୍ରେଟ, ପୋଲିସ, ମନ୍ଦିର ଅଧିକାରୀ ତଥା ଗାରଦ କର୍ମଚାରୀମାନଙ୍କ ସହାୟତାରେ ତିନିରଥ ଉପରକୁ ଆସିଥାଏ।

ପାଳିଆ ପୁଷ୍ପାଳକ, ଦଇତାପତି, ଖୁଣ୍ଟିଆ ମେକାପ, ତଳୁଚ୍ଛ, ଭିତରଚ୍ଛ ପ୍ରଭୃତି ସେବକମାନେ ଉପସ୍ଥିତ ରହି ଶ୍ରୀବିଗ୍ରହମାନଙ୍କ ସୁନାବେଶ କରିଥାନ୍ତି।

Comment