ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଉ କିଛି ସମୟ ପରେ ରଥାରୂଢ଼ ଠାକୁରଙ୍କ ପାଖରେ ଅଧରପଣା ଲାଗି ହେବ। ଏଥିପାଇଁ ଶ୍ରୀକ୍ଷେତ୍ରରେ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିରହିଛି।

ଆଷାଢ଼ ଶୁକ୍ଳପକ୍ଷ ତ୍ରୟୋଦଶ ତିଥିରେ ଅଧରପଣା ଭୋଗ କରାଯାଇଥାଏ। ମଧ୍ୟାହ୍ନ ଧୂପ ଶେଷ ହେବାପରେ ଓ ସନ୍ଧ୍ୟା ଆଳତି ପୂର୍ବରୁ ଏହି ନୀତି ଅନୁଷ୍ଠିତ ହୋଇଥାଏ।

ପ୍ରତି ରଥରେ ୩ହାଣ୍ଡି ହିସାବରେ ମୋଟ ୯ହାଣ୍ଡି ଅଧର ପଣା ଭୋଗ କରାଯାଇଥାଏ। ଏହି ୯ହାଣ୍ଡି ପଣାକୁ ପୂଜାପଣ୍ଡା ସେବକମାନେ ପଞ୍ଚୋପଚାର ପଦ୍ଧତିରେ ଶ୍ରୀବିଗ୍ରହମାନଙ୍କୁ ଅର୍ପଣ କରାଯାଇଥାଏ। ଭୋଗ ହେବା ପରେ ପଣା ଥିବା ହାଣ୍ଡିଗୁଡ଼ିକୁ ରଥ ଉପରେ ଭାଙ୍ଗି ଦିଆଯାଏ।

ରଥଗୁଡ଼ିକରେ ଥିବା ପାର୍ଶ୍ଵଦେବଦେବୀ, ଚଣ୍ଡିଚାମୁଣ୍ଡା ତଥା ଅଶରୀରୀମାନଙ୍କ ଉଦ୍ଧାର ନିମନ୍ତେ ପଣା ହାଣ୍ଡି ସବୁକୁ ଭୋଗ ହେବା ପରେ ଭାଙ୍ଗି ଦିଆଯିବାର ବିଧି ରହିଆସିଛି। ପଣା ହାଣ୍ଡି ଭାଙ୍ଗିଲେ ପଣା ସବୁ ରଥତଳକୁ ବୋହିଯାଏ। ତାହାକୁ ଅନ୍ୟ ଦେବଦେବୀ, ଭୂତପ୍ରେତ, କିନ୍ନର ଓ ରାକ୍ଷସମାନେ ପାଇଥାନ୍ତି ବୋଲି କୁହାଯାଏ।

ପଣା ପ୍ରସ୍ତୁତିରେ ସର, କଦଳୀ, ଛେନା, ଗୋଲମରିଚ, ଗୁଣ୍ଡ କର୍ପୁର, ଜାଇଫଳ ଆଦି ସାମଗ୍ରୀ ବ୍ୟବହୃତ ହୋଇଥାଏ।

ବଡ଼ଦାଣ୍ଡ, ରଥ ଚତୁର୍ପାର୍ଶ୍ୱ ଓ ପୁରୀ ସହରର ବିଭିନ୍ନ ସ୍ଥାନରେ ୧୪୫ ପ୍ଲାଟୁନ୍ ଫୋର୍ସ ମୁତୟନ ହୋଇଛନ୍ତି। ଟ୍ରାଫିକ୍ ନିୟନ୍ତ୍ରଣ ଉପରେ ମଧ୍ୟ ବିଶେଷ ଧ୍ୟାନ ଦିଆଯାଇଛି।

Comment