ବାରିପଦାରୁ ରାଧାଶ୍ୟାମ ପ୍ରଧାନ

ବାରିପଦା ରଥଯାତ୍ରା ସମୟରେ ଭକ୍ତଙ୍କ ଭିଡ଼ ଲାଗି ଫାଟିପଡ଼େ ବାରିପଦାର ବଡ଼ଦାଣ୍ଡ|

ଯୁଗେ ଯୁଗେ ରହିଆସିଛି ଭଗବାନ ଓ ଭକ୍ତ ମଧ୍ୟରେ ନିବିଡ଼ ସଂପର୍କ। ମୟୂରଭଞ୍ଜର ତତ୍କାଳିନ ମହାରାଜା ବୈଦ୍ୟନାଥ ୧୯୭୫ ମସିହାରେ ବାରିପଦାଠାରେ ସ୍ଥାପନ କରିଥିଲେ ଶ୍ରୀଜଗନ୍ନାଥଙ୍କ ମନ୍ଦିର। ପର୍ଯ୍ୟାୟକ୍ରମେ ଏହି ମନ୍ଦିରରେ ସମସ୍ତ ନୀତି ଓ ସେବା ପାଇଁ ମଧ୍ୟ ସମସ୍ତପ୍ରକାର ବିଧିବ୍ୟବସ୍ଥା କରିଯାଇଥିଲା।

ମହାରାଜା ବୈଦ୍ୟନାଥ ଭଞ୍ଜ ସବୁ ଧର୍ମ ପ୍ରତି ସମାନ ପ୍ରାଧାନ୍ୟ ଦେଉଥିଲେ ମଧ୍ୟ ବୈଷ୍ଣବ ଧର୍ମର ଯଥେଷ୍ଟ ପ୍ରଭାବ ତାଙ୍କ ଉପରେ ପଡିଥିବା ଦେଖାଯାଇଛି। ସେଥିପାଇଁ ତାଙ୍କ ସାମ୍ରାଜ୍ୟରେ ଅନେକ ପ୍ରାଚୀନ ମଠ ମନ୍ଦିର ସବୁ ରାଜ୍ୟର ବିଭିନ୍ନ ସ୍ଥାନମାନଙ୍କରେ ଦେଖିବାକୁ ମିଳିଥାଏ।

ମହାପ୍ରଭୁ ଶ୍ରୀ ଜଗନ୍ନାଥ ଉତ୍କଳୀୟ ବୈଷ୍ଣବ ଧର୍ମର ପ୍ରତୀକ, ମାତ୍ର ସେ କେବଳ ଉତ୍କଳର ନାଥ ନୁହଁନ୍ତି କିମ୍ବା ଭାରତର ନାଥ ହୋଇ ସୀମାବଦ୍ଧ ହୋଇ ରହିନାହାନ୍ତି, ତାଙ୍କୁ ଆମେ ଜଗତର ନାଥ ବୋଲି କହିଥାଉ। ତାଙ୍କ ଦର୍ଶନତତ୍ତ୍ୱରେ ମାନବବାଦର ଚିତ୍ର ସୁସ୍ପଷ୍ଟ। ବୋଧହୁଏ ସେଥିପାଇଁ ତାଙ୍କ ସହିତ ଭକ୍ତମାନଙ୍କ ସଂପର୍କ ସେତିକି ଗଭୀର। ପବିତ୍ର ଚନ୍ଦନ ପୂର୍ଣ୍ଣିମା, ଦେବସ୍ନାନ ପୂର୍ଣ୍ଣିମା ତଥା ଗୁଣ୍ଡିଚାଯାତ୍ରାରେ ଭକ୍ତ ଆଉ ଭଗବାନଙ୍କ ଭିତରେ ନିବିଡ଼ତା ପରିଲକ୍ଷିତ ହୋଇଥାଏ।

ଏହି ପରିପ୍ରେକ୍ଷୀରେ ଆସନ୍ତୁ ଦେଖିବା ରଥଯାତ୍ରା ସମୟରେ ବାରିପଦା ବଡଦାଣ୍ଡର ଦୃଶ୍ୟ। ସତେଯେମିତି ଭକ୍ତ ଗୋଟିଏ ବର୍ଷ ଧରି ଅପେକ୍ଷା କରି ବସିଥାଏ ତା’ର ଅତି ଆପଣାର କାଳିଆ ଠାକୁରଙ୍କୁ ରଥାରୁଢ ଅବସ୍ଥାରେ ଦର୍ଶନକରି ଆତ୍ମତୃପ୍ତି ଲାଭ କରିବ ଆଉ କାଳିଆ ଆଖିରେ ଆଖି ମିଶାଇ ନିଜର ମନକଥାକୁ ପ୍ରକାଶ କରିବ। ରଥ ଦଉଡିକୁ ଛୁଇଁ ବିଭୋର ହୋଇପଡୁଥିବା ବେଳେ ତା’ ମୁହଁରୁ ବାହାରି ପଡେ- “ସେ ତ ଭକତ ଭାବରେ ବନ୍ଧାରେ ସେ ତ ଭକତ ଜୀବନ ଧନ”।

ଅଜାଣତରେ ଭକ୍ତ ଦୁଇବାହୁକୁ ଟେକି ନିଜକୁ ସମର୍ପି ଦେଇଥାଏ। କାହା ହାତରେ ଦୀପ ତ ଆଉ କାହା ହାତରେ ତୁଳସୀ। ସଂକୀର୍ତ୍ତନର ତାଳେ ତାଳେ ଆତ୍ମହରା ହୋଇପଡିଥା’ନ୍ତି ଭକ୍ତ। ଭକ୍ତ ଆଉ ଭଗବାନଙ୍କ ମଧ୍ୟରେ ଅପୂର୍ବ ସମନ୍ଵୟ ଘଟିଥାଏ ବାରିପଦା ବଡଦାଣ୍ଡରେ। ଏଠାରେ ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ପୁରୁଷ ମହିଳା ସମସ୍ତେ ସେଇ ଜଗତର ନାଥ ଜଗନ୍ନାଥଙ୍କ କରୁଣା ଟିକିଏ ପାଇବାକୁ ଛୁଟି ଆସିଥା’ନ୍ତି।

ଆଦିବାସୀମାନଙ୍କର ପାରଂପରିକ ନୃତ୍ୟ ବାରିପଦାର ବଡଦାଣ୍ଡକୁ ଆହୁରି ଅଧିକ ଭାବମୟ କରିଥାଏ। ଗର୍ବ ଅହଂକାରକୁ ଏଡାଇଦେଇ ସମସ୍ତେ ଏଠି ଜଗନ୍ନାଥଙ୍କ କରୁଣା ଟିକିଏ ପାଇବାକୁ ସାଲବେଗ ପରି ନିଜକୁ ସମର୍ପି ଦେଇଥାନ୍ତି କାଳିଆ ଠାକୁରଙ୍କ ନିକଟରେ। ପିଲାଠାରୁ ଯୁବା ପର୍ଯ୍ୟନ୍ତ ଆଗାମୀ ବର୍ଷ ଅପେକ୍ଷାରେ କାମନା କରୁଥିବା ବେଳେ ବୟସ୍କ ଶ୍ରଦ୍ଧାଳୁ ମହିଳା ପୁରୁଷମାନେ କାଳେ ଆଗାମୀ ବର୍ଷ ତାଙ୍କ ପାଇଁ ଆସି ନପାରିବେ ସେଥିପାଇଁ ମୁକ୍ତି ଆଶାରେ ଅତି ଆବେଗଭରା ନୟନରେ ଜଗନ୍ନାଥଙ୍କୁ ପ୍ରାର୍ଥନା କରି ନିଜର ମନକଥା ଜଣାଇଥାନ୍ତି। ସମସ୍ତଙ୍କର ଗୋଟିଏ କାମନା – ଜଗନ୍ନାଥଙ୍କର କରୁଣା ପ୍ରାପ୍ତି।

Comment