ବାରିପଦାରୁ ରାଧାଶ୍ୟାମ ପ୍ରଧାନ

ବାରିପଦାରେ ଅନୁଷ୍ଠିତ ଶ୍ରୀହରି ବଳଦେବ ଜୀଉଙ୍କ ରଥଯାତ୍ରାର ଏକ ଆକର୍ଷଣୀୟ ପରମ୍ପରା ହେଉଛି ରଥ ସମୟରେ ପ୍ରସ୍ତୁତ ଶ୍ରଦ୍ଧାଲଡୁ|

ମୟୂରଭଞ୍ଜର ତତ୍କାଳିନ ମହାରାଜା ବୈଦ୍ୟନାଥ ଭଞ୍ଜ ବାରିପଦାରେ ଉତ୍କଳୀୟ ବୈଷ୍ଣବ ଧର୍ମର ଆରାଧ୍ୟ ଦେବତା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ସ୍ଥାପନ କରି ନିଜର ମହନୀୟତା ଏବଂ ଧର୍ମୀୟ ଭାବନାର ପରିଚୟ ଦେଇଯାଇଛନ୍ତି। ସବୁଠାରୁ ଗୁରୁତ୍ଵପୂର୍ଣ୍ଣ କଥା ହେଉଛି, ସେ ଏହି ରଥ ପରିକଳ୍ପନା ସମୟରେ ଅନେକ ପାରଂପରିକତା ତଥା ବାସ୍ତବତା ଉପରେ ନଜର ଦେଇଛନ୍ତି।

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଧାମ ପୁରୁଷୋତ୍ତମ କ୍ଷେତ୍ରର ନୀତିନିୟମକୁ ଏଠାରେ ପ୍ରଣୟନ କରିବା ସହିତ ନିଜ ରାଜ୍ୟର ବାସ୍ତବତାକୁ ବି ଧ୍ୟାନ ଦେଇଛନ୍ତି। ଆଦିବାସୀବହୁଳ ଏହି ମୟୂରଭଞ୍ଜରେ ଭାଇଚାରା ପ୍ରତିଷ୍ଠାର ଅନ୍ୟ ଏକ ପ୍ଲାଟଫର୍ମ ହେଉଛି ବାରିପଦା ରଥଯାତ୍ରା। ଏଠାରେ ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ଜଗନ୍ନାଥଙ୍କ ନିକଟରେ ନିଜକୁ ସମର୍ପଣ କରିଦେଇଥା’ନ୍ତି।

ତିନିଦିନ ବ୍ୟାପି ଯେଉଁ ଗୁଣ୍ଡିଚାଯାତ୍ରା ଅନୁଷ୍ଠିତ ହୋଇଥାଏ,ସେଥିରେ ବେଶ୍‍ କିଛି ସ୍ଵାତନ୍ତ୍ର୍ୟ ପରିଲକ୍ଷିତ ହୋଇଥାଏ। ପ୍ରଥମ ଦିନ ପହଣ୍ଡି ପରେ ରଥାରୁଢ ହେବା। ଦ୍ୱିତୀୟ ଦିନରେ ରଥାରୁଢ ବଡଭାଇ ବଳଭଦ୍ର ଗୁଣ୍ଡିଚା ମନ୍ଦିର ନିକଟରେ, ସାନଭାଇ ଶ୍ରୀଜଗନ୍ନାଥ ବି ରଥାରୁଢ ଅବସ୍ଥାରେ ଶ୍ରୀମନ୍ଦିର ନିକଟରେ ରହିଥା’ନ୍ତି। ଆଉ ଭଉଣୀ ସୁଭଦ୍ରା ଟାଉନଥାନା ପାଖ ମଝିଦାଣ୍ଡରେ।  ଅଲିଅଳି ଭଉଣୀ ସୁଭଦ୍ରା ବଡଭାଇ ପାଖକୁ ଯିବାକୁ ମନ ଥିଲେ ବି ସାନଭାଇକୁ ଛାଡି ଯାଇପାରୁନି।

ବାରିପଦାର ବଡଦାଣ୍ଡରେ ଏହିଭଳି ଏକ ଭାବବିହ୍ଵଳ ପରିବେଶ, ଯାହା ସମଗ୍ର ବଡଦାଣ୍ଡକୁ ଜଗନ୍ନାଥମୟ କରିଦେଇଥାଏ। ତୃତୀୟ ଦିନରେ ତିନିଠାକୁରଙ୍କ ରଥ ମାଉସୀ ଘର କୁହାଯାଉଥିବା ଗୁଣ୍ଡିଚାମନ୍ଦିର ନିକଟରେ ପହଂଚିବା ପରେ ସେଠାରେ ଦେଖାଯାଇଥାଏ ଏକ ସ୍ଵତନ୍ତ୍ର ପରିବେଶ। ସତେ ଯେମିତି ଦୁଇଦିନ ଧରି ରଥ ଟାଣୁଥିବା ଭକ୍ତମାନେ ଥକି ପଡିଛନ୍ତି, ଆଉ ଭାଇଭଉଣୀଙ୍କୁ ମାଉସୀଘରେ ପହଂଚ।ଇବାରେ ସହଯୋଗ କରିଥିବା ଭକ୍ତମାନଙ୍କ ଉଦ୍ଦେଶ୍ୟରେ ମହାପ୍ରଭୁଙ୍କ ରଥ ଉପରୁ ଶ୍ରଦ୍ଧାଲଡୁ ପକାଯାଇଥାଏ।

ଏହି ସମୟର ଦୃଶ୍ୟ କି ଅପୂର୍ବ। ଗୁଡ ଆଉ ବେସନରେ ପ୍ରସ୍ତୁତ ଏହି ସ୍ଵତନ୍ତ୍ର ଲଡୁ କେବଳ ରଥ ସମୟରେ ବାରିପଦାରେ ହିଁ ମିଳିଥାଏ। ସତେଯେମିତି ମହାପ୍ରଭୁ ଶ୍ରୀଜଗନ୍ନାଥ ଭକ୍ତମାନଙ୍କ ପାଇଁ ଏହି ଲଡୁ ସଂଗରେ ଧରି ଆସିଥାନ୍ତି। ମହାପ୍ରସାଦ ରୂପି ଏହି ଲଡୁଟିଏ ପାଇବାକୁ ଶ୍ରଦ୍ଧାଳୁମାନଙ୍କ ମଧ୍ୟରେ କି ଆଗ୍ରହ।

ଏହା କେବଳ ସୁଆଦିଆ ଲଡୁ ନୁହେଁ, ସତେଯେମିତି ଏହା ଭିତରେ ଭରି ରହିଛି ମହାପ୍ରଭୁଙ୍କ କରୁଣା। ସେଥିପାଇଁ ଲଡୁ ପାଇବାକୁ କି ଉତ୍କଣ୍ଠା। ଆହା କି ଅପରୁପ ଦୃଶ୍ୟ। ଏହା ରଥ ଉପରୁ ଫୋପଡା ଯାଉଥିବାରୁ କାଳେ ଭାଙ୍ଗିଯିବ କିମ୍ବା ପାଦରେ ଲାଗିଯାଇପାରେ, ସେଥିପାଇଁ ସତର୍କତା ବି ଗ୍ରହଣ କରାଯାଇଥାଏ।

ଲଡୁ ପ୍ରସ୍ତୁତ ହେବା ପରେ ତାକୁ ସତର୍କତାର ସହ ପେକିଂ ମଧ୍ୟ କରାଯାଇଥାଏ। ରଥରେ ମହାପ୍ରଭୁଙ୍କ ପକ୍ଷରୁ ଦିଆଯାଉଥିବାରୁ ଏହି ଲଡୁ ସହିତ କେବଳ ଧର୍ମୀୟଭାବନା ନୁହେଁ, ଏହା ସହିତ ବାରିପଦାର ବନ୍ଧୁତ୍ଵ ବି ଭରିରହିଥିବା କୁହାଯାଇପାରେ। ଏହାକୁ ପ୍ରସ୍ତୁତ କରୁଥିବା ବ୍ୟବସାୟୀମାନେ ମଧ୍ୟ ଶହ ଶହ କୁଇଣ୍ଟାଲ ଲଡୁ ପ୍ରସ୍ତୁତ କରିଥାନ୍ତି।

Comment