ଓଡ଼ିଶାଲାଇଭ୍‍ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ବର୍ଷା କଥା ଭାବିଲେ ଯେଉଁ ଓଲିଉଡ ନାୟିକାଙ୍କ କଥା ମନକୁ ଆସେ, ଆସନ୍ତୁ ଜାଣିବା ସେମାନଙ୍କ ସମ୍ପର୍କରେ….

ବର୍ଷା ପ୍ରିୟଦର୍ଶିନୀ

ବର୍ଷାଋତୁରେ ହିଁ ଓଡ଼ିଆ ସିନେନାୟିକା ବର୍ଷା ପ୍ରିୟଦର୍ଶିନୀ ଜନ୍ମ ହୋଇଥିଲେ। ସେହି କାରଣରୁ ଓଲିଉଡରେ ଏହି ଲୋକପ୍ରିୟ ନାୟିକାଙ୍କ ନାମକରଣ କରାଯାଇଥିଲା ବର୍ଷା। ସେ ଶିଶୁ କଳାକାର ଭାବେ ଓଡ଼ିଆ ଚଳଚ୍ଚିତ୍ର ଦୁନିଆରେ ପ୍ରବେଶ କରିଥିଲେ। ସେ ‘ଗୋଲାମଗିରି’ ଓ ‘ମା’ ଭଳି ସିନେମାରେ ଶିଶୁ କଳାକାର ଭାବେ ନଜର ଆସିଥିଲେ।

ନାୟକା ଭାବେ ପ୍ରିୟଦର୍ଶିନୀଙ୍କର ପ୍ରଥମ ଓଡ଼ିଆ ସିନେମା ହେଲା ‘ଏ ଯୁଗର କୃଷ୍ଣ ସୁଦାମା’। ଏହି ସିନେମାରେ ତାଙ୍କର ନାୟକ ଥିଲେ ସୁରଜ କୁମାର। ଏହାପରେ ବର୍ଷା ଆଉ ପଛକୁ ଫେରି ଚାହିଁନାହାନ୍ତି। ସେ ଇତିମଧ୍ୟରେ ତିରିଶରୁ ଅଧିକ ସିନେମାରେ ନାୟିକା ଭୂମିକା ନିଭାଇ ସାରିଲେଣି। ଏଥିମଧ୍ୟରେ ରହିଛି ‘ତୁ ମୋ ଆଖିର ତାରା’, ‘ସାବତ ମାଆ’, ‘ସୁନା ଶଙ୍ଖାଳି’, ‘ଥ୍ୟାଙ୍କ୍ ୟୁ ଭଗବାନ’, ‘ଟୋପାଏ ସିନ୍ଦୁର ଦି ଟୋପା ଲୁହ’, ‘ଏ ମନ ମାନେନା’, ‘ପର୍ଶୁରାମ’, ‘ଶୁଭ ବିବାହ’, ‘ବାଳୁଙ୍ଗା ଟୋକା’, ‘ମାଟ୍ରିକ ଫେଲ୍’, ‘ହାତ ଧରି ଚାଲୁଥା’, ‘ନେଇ ଯାରେ ମେଘ ମୋତେ’, ‘ସୁନା ଚଢ଼େଇ ମୋ ରୂପା ଚଢ଼େଇ’, ‘ଆମ ଭିତରେ କିଛି ଅଛି’, ‘ଦିୱାନା’, ‘ମେଣ୍ଟାଲ୍’, ‘ଧୀରେ ଧୀରେ ପ୍ରେମ ହେଲା’, ‘ପ୍ରେମ ସବୁଠୁଁ ବଳବାନ୍’, ‘ଛାତି ତଳେ ଡିଙ୍ଗ୍‍ ଡଙ୍ଗ୍’ ଏବଂ ‘ରୋମିଓ ଜୁଲିଏଟ୍’ ଭଳି ଓଡ଼ିଆ ସିନେମା। ତାଙ୍କ ଅଭିନୀତ ‘ନିମ୍‌କୀ’ ଖୁବ୍ ଶୀଘ୍ର ପରଦାକୁ ଆସିବ।

ବର୍ଷା ନାୟକ

ବର୍ଷା ନାଆଁରେ ଆଉ ଜଣେ ନାୟିକାଙ୍କୁ ବି ଦର୍ଶକ ଭେଟିଛନ୍ତି ପରଦାରେ। ତାଙ୍କର ନାଁ ହେଲା ବର୍ଷା ନାୟକ। ସେ ବହୁଚର୍ଚ୍ଚିତ ସିନେମା ‘ତୁଳସୀ ଅପା’ରେ ଶୀର୍ଷକ ଭୂମିକା ନିଭାଇଥିଲେ। ଏହି ସିନେମାର ପ୍ରଯୋଜନା କରିଥିଲେ ଅନୁପମ ପଟ୍ଟନାୟକ ଓ ନିର୍ଦ୍ଦେଶନା ଦାୟିତ୍ୱ ନେଇଥିଲେ ଅମୀୟ ପଟ୍ଟନାୟକ।

ବର୍ଷା ନାୟକ ‘ତୁଳସୀ ଅପା’ରେ ଉଚ୍ଚକୋଟିର ଅଭିନୟ କରି ଶ୍ରେଷ୍ଠ ଅଭିନେତ୍ରୀ ଭାବେ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ମଧ୍ୟ ଲାଭ କରିଥିଲେ।

ମେଘା ଘୋଷ

ଓଲିଉଡର ଜଣେ ନାଆଁକରା ନାୟିକା ହେଲେ ମେଘା ଘୋଷ। ସେ ମୁମ୍ବାଇରେ ରହି ଏବେ କ୍ୟାରିଅର୍ କରୁଥିଲେ ହେଁ ଓଡ଼ିଆ ସିନେଜଗତକୁ ଯେତିକି ବର୍ଷ ଆସିଥିଲେ, ସେହି ସମୟରେ ମେଘା ଆଲୋଡନ ସୃଷ୍ଟି କରିଥିଲେ।

ମେଘାଙ୍କ ଅଭିନୀତ ପ୍ରଥମ ଓଡ଼ିଆ ସିନେମା ହେଲା ‘ଲଭ୍ ଡଟ୍ କମ୍’। ରାହତ କୁଦ୍ଦୁଶୀ ଥିଲେ ଏହାର ପ୍ରଯୋଜକ ଓ ନିର୍ଦ୍ଦେଶକ ଏହି ଫିଲ୍ମରେ ମେଘାଙ୍କୁ ସୋବରବୟ ସବ୍ୟସାଚୀଙ୍କ ବିପକ୍ଷରେ ନାୟିକା ଭୂମିକାରେ ଦେଖିବାକୁ ପାଇଥିଲେ ଦର୍ଶକ। ପ୍ରଥମ ଓଡ଼ିଆ ସିନେମାରେ ହିଁ ମେଘା ଦର୍ଶକଙ୍କ ଦ୍ୱାରା ଆଦୃତ ହୋଇଥିଲେ। ତାଙ୍କୁ ଅନ୍ୟ ନିର୍ମାତା, ନିର୍ଦ୍ଦେଶକମାନେ ମଧ୍ୟ ନିଜ ନିଜ ସିନେମାରେ ନେଇଥିଲେ।

‘ଲଭ୍ ଡଟ୍ କମ୍‌’ ପରେ ମେଘାଙ୍କୁ ଦର୍ଶକ ଆଉ କିଛି ଓଡ଼ିଆ ସିନେମାରେ ଦେଖିବାକୁ ପାଇଛନ୍ତି। ଏଥିମଧ୍ୟରେ ରହିଛି ‘ମୋଷ୍ଟ ୱାଣ୍ଟେଡ୍’, ‘ଚାନ୍ଦିନୀ ଆଇ ମିସ୍ ୟୁ’, ‘ଆଶିକ୍ ଆୱାରା’ ଓ ‘ହରି ଓମ୍ ହରି’ ଆଦି। ମେଘାଙ୍କର ଆଉ ଏକ ଫିଲ୍ମ ରିଲିଜ୍ ଅପେକ୍ଷାରେ ରହିଛି। ତାହା ହେଲା ‘ନମ୍ବର ୱାନ୍ ଖିଲାଡି’। ଏହି ସିନେମାରେ ଆକାଶଙ୍କ ବିପକ୍ଷରେ ନଜର ଆସିବେ ମେଘା ଘୋଷ।

ମେଘା ମହାନ୍ତି

ବାଲେଶ୍ୱରରୁ ଅନେକ ଯୁବତୀ ଓଲିଉଡରେ ବେଶ୍ ନାଁ କରିଛନ୍ତି। ଏବେ ଯେଉଁ ଯୁବତୀ ଜଣକ ବେଶ୍ ଚର୍ଚ୍ଚାରେ ରହିଛନ୍ତି, ତାଙ୍କ ନାମ ହେଲା ମେଘା ମହାନ୍ତି। ମେଘାଙ୍କୁ ଦର୍ଶକ ଏକ ନୂଆ ଓଡ଼ିଆ ସିନେମାରେ ନାୟିକା ଭୂମିକାରେ ଦେଖିବାକୁ ପାଇବେ। ଏହି ଫିଲ୍ମର ଟାଇଟଲ୍ ହେଲା ‘ଏକ୍ସ କ୍ୟୁଜ୍ ମି’।

ଏହି ସିନେମାରେ ମେଘାଙ୍କ ନାୟକ ହେଲେ ରୋନକ।। ଏହାବ୍ୟତୀତ ମିହିର ଦାସ, କାଳିଆ, ଉମେଶ୍ ଦାଶ ଓ ବୈଶାଳୀ ପ୍ରମୁଖ ଅଛନ୍ତି ଏହି ସିନେମାରେ। ଏହାର ନିର୍ଦ୍ଦେଶନା ଦେଇଛନ୍ତି ଉମେଶ ଦାଶ (ଟନିଆଁ)।

ମେଘାଙ୍କର ଅବଶ୍ୟ ଏହା ପ୍ରଥମ ସିନେମା ନୁହେଁ। ସେ ଏହାପୂର୍ବରୁ ‘ବିନ୍ଦାସ ରୋମିଓ’ ନାମକ ଓଡ଼ିଆ ସିନେମାରେ ନାୟିକା ଭାବେ ନଜର ଆସିଥିଲେ।

Comment