ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

ନୂଆ ଷ୍ଟ୍ରାଟେଜି ଆରମ୍ଭ କରିଛନ୍ତି ବୈଜୟନ୍ତ ପଣ୍ଡା। ଲୋକଙ୍କ ସହ ସିଧା ସଳଖ କଥା ହେବା ପାଇଁ ବୈଜୟନ୍ତ ଏବେ ‘ଚାହା ଖଟି’କୁ ବାଛିଛନ୍ତି। ଖଟିର ନାଁ ‘ହେଇଯାଉ’।

‘ଚାହା କପ୍ ସାଙ୍ଗକୁ ଜୟ ପଣ୍ଡାଙ୍କ ସହ ଗପସପ ହେବାର ସୁଯୋଗ ନିଅନ୍ତୁ – ହେଇଯାଉ’

ନିଜ ସୋସିଆଲ ମିଡିଆ ପେଜ୍‌ରେ ଆଜି ଏମିତି ଲେଖିଛନ୍ତି ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା। ବୈଜୟନ୍ତଙ୍କ ସୋସିଆଲ ମିଡିଆରେ ପୋଷ୍ଟକୁ ଦେଖି ଲୋକେ ହଠାତ୍ କିଛି ବୁଝି ପାରିଲେ ନାହିଁ। ତେବେ ପୂରା ପୋଷ୍ଟକୁ ପଢ଼ିବା ପରେ ଜଣାପଡ଼ିଲା ଯେ ଜୟ ପଣ୍ଡା କଟକ ଚା’ ଖଟିକୁ ସୋସିଆଲ ମିଡିଆରେ ଆମନ୍ତ୍ରିତ କରିଛନ୍ତି।

ବିଜେଡି ଏବଂ ଲୋକସଭା ସାଂସଦ ପଦବୀରୁ ଇସ୍ତଫା ଦେବା ପରେ ବୈଜୟନ୍ତ ନୂଆ ଷ୍ଟାଟେଜି ଆରମ୍ଭ କରିଛନ୍ତି। ତୃଣମୂଳ ସ୍ତରର ଲୋକଙ୍କ ସହ ସମ୍ପର୍କ ସ୍ଥାପନ ପାଇଁ ବୈଜୟନ୍ତ ଚାହା ଖଟି କରୁଛନ୍ତି। ଏହି ଚାହା ଖଟିର ନାଁ ଦେଇଛନ୍ତି ‘ହେଇଯାଉ’।

ଗତ ଜୁଲାଇ ମାସରେ ବୈଜୟନ୍ତ ଭୁବନେଶ୍ୱରର ମାଉସୀ ମା’ ଛକରେ ପ୍ରଥମ ଥର ଆୟୋଜନ କରିଥିଲେ ‘ହେଇଯାଉ’ କାର୍ଯ୍ୟକ୍ରମ। ଏଥିରେ ବିଭିନ୍ନ ବର୍ଗର ଲୋକ ସାମିଲ୍ ହୋଇଥିବା ଦେଖିବାକୁ ମିଳିଥିଲା। ମାସେ ନପୂରୁଣୁ ପୁଣି ବୈଜୟନ୍ତ କଟକରେ ଆଜି ଆୟୋଜନ କରିଥିଲେ ‘ହେଇଯାଉ’।

କଟକ ଚୌଧୁରୀବଜାରସ୍ଥିତ ମଙ୍ଗୁଳି ଚାହା ଷ୍ଟଲରେ ସନ୍ଧ୍ୟା ୫ଟାରେ ବୈଜୟନ୍ତ ଆସି ପହଞ୍ଚିଥିଲେ। ସୋସିଆଲ ମିଡିଆ ପୋଷ୍ଟ ଦେଖି କଟକର ବହୁ ଯୁବକ, ରାଜନେତା, ଛାତ୍ରଛାତ୍ରୀ ଏବଂ ବୁଦ୍ଧିଜୀବୀ ମଧ୍ୟ ଚାହା ଦୋକାନ ଆଗରେ ଭିଡ଼ ଲଗାଇଥିଲେ।

ବୈଜୟନ୍ତ ଆସି ସମସ୍ତଙ୍କୁ ଚାହାରେ ଆପ୍ୟାୟିତ କରିଥିଲେ। ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ। ଆଉ ବୈଜୟନ୍ତ ସମସ୍ତଙ୍କ ସହ ମନଖୋଲା କଥା ହେବା ସହିତ ସେଲ୍‌ଫି ନେଇଥିଲେ। ଏହି ଅବସରରେ ବୈଜୟନ୍ତ ନିଜ କାର୍ଯ୍ୟପନ୍ଥା ସମ୍ପର୍କରେ କହିଥିଲେ।

“ମୁଁ କେଉଁ ପରିସ୍ଥିତିରେ ଦଳ ଓ ସାଂସଦ ପଦ ଛାଡ଼ିଛି ତାହା ସମସ୍ତେ ଜାଣିଛନ୍ତି। ସ୍ୱାଭିମାନକୁ ଦୃଷ୍ଟିରେ ରଖି ମୁଁ ଏସବୁ ଛାଡ଼ିଛି। ଆଗକୁ କ’ଣ କରିବି ସେଥିପାଇଁ ମୁଁ ଲୋକଙ୍କ ମତ ନେଉଛି”, ଚାହା ଖଟିରେ କହିଛନ୍ତି ବୈଜୟନ୍ତ।

ଏଭଳି କାର୍ଯ୍ୟକ୍ରମ ଆଗକୁ ଜାରି ରହିବ ବୋଲି କହିଛନ୍ତି ବୈଜୟନ୍ତ ପଣ୍ଡା।

ସମ୍ପର୍କ ଯୋଡ଼ିବାର ମାଧ୍ୟମ

ବିଜେଡି ଛାଡ଼ିବା ପରେ ବୈଜୟନ୍ତ କ’ଣ କରିବେ ସେନେଇ କୌଣସି ନିଷ୍ପତ୍ତି ନେଇପାରୁ ନାହାନ୍ତି। କେଉଁ ଦଳକୁ ଯିବେ ତାକୁ ନେଇ ଚିନ୍ତାରେ ପଡ଼ିଛନ୍ତି। କିଛିଦିନ ତଳେ ବୈଜୟନ୍ତ ବିଭିନ୍ନ ଦଳର ନେତାଙ୍କ ସହ ସମ୍ପର୍କ ସ୍ଥାପନ କରୁଥିଲେ। ବିଜେପିର ସମୀର ଦେ ହୁଅନ୍ତୁ କି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ। ଏମାନଙ୍କ ଘରକୁ ଯାଇ ବୈଜୟନ୍ତ ଭାବବିନିମୟ କରି ଚର୍ଚ୍ଚାରେ ରହୁଥିଲେ।

ହେଲେ ଏବେ ସେ ତାଙ୍କର ଷ୍ଟାଟେଜି ବଦଳାଇଛନ୍ତି। ନେତାଙ୍କ ବଦଳରେ ସାଧାରଣ ଲୋକଙ୍କ ସହ ଭାବ ଯୋଡ଼ୁଛନ୍ତି ପୂର୍ବତନ ସାଂସଦ। କଟକ-ଭୁବନେଶ୍ୱରରେ ‘ହେଇଯାଉ’ ଖଟି ଆରମ୍ଭ କରି ଏବେ ପୁଣି ଚର୍ଚ୍ଚାକୁ ଆସିଛନ୍ତି ବୈଜୟନ୍ତ।

ମୋଦିଙ୍କ ରାସ୍ତାରେ ଜୟ ପଣ୍ଡା!

୨୦୧୪ ନିର୍ବାଚନ ପୂର୍ବରୁ ବିଜେପିର ପୋଷ୍ଟର ବୟ ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ‘ଚା ପେ ଚର୍ଚ୍ଚା’ କରୁଥିଲେ। ଦେଶରେ ବିଭିନ୍ନ ପ୍ରାନ୍ତରେ ଚାଏ ପେ ଚର୍ଚ୍ଚା’ କାର୍ଯ୍ୟକ୍ରମ ଆୟୋଜନ କରାଯାଇ ଲୋକଙ୍କ ସହ ସିଧାସଳଖ ଯୋଡ଼ି ହେବାକୁ ଉଦ୍ୟମ କରାଯାଉଥିଲା। ହେଲେ ଏବେ ୨୦୧୯ ନିର୍ବାଚନ ପୂର୍ବରୁ ଏହାକୁ ବୈଜୟନ୍ତ ଆପଣାଇ ନେଇଥିବା କୁହାଯାଉଛି। ମୋଦିଙ୍କ ‘ଚା ପେ ଚର୍ଚ୍ଚା’କୁ ‘ହେଇଯାଉ’ରେ ପରିଣତ କରି ବୈଜୟନ୍ତ ଚାହା ପିଆ ସହ ରାଜନୀତି ଆଲୋଚନା କରୁଥିବା ଆଲୋଚନା ହେଉଛି। ବିଜେଡି ସହ ସମ୍ପର୍କ ତୁଟାଇବା ପରେ ବୈଜୟନ୍ତ ବିଜେପି ବିଜେପି ଜପୁଥିବାରୁ ସେ ମୋଦି ରାସ୍ତାରେ ପାଦ ଦେଇଥାଇ ପାରନ୍ତି ବୋଲି ରାଜନୀତି କରିଡ଼ରରେ ଚର୍ଚ୍ଚା ହେଉଛି।

ସୋସିଆଲ ମିଡିଆ ପ୍ଲାଟଫର୍ମରେ ସବୁବେଳେ ବିଭିନ୍ନ ପ୍ରସଙ୍ଗରେ କିଛି ନା କିଛି ପୋଷ୍ଟ କରି ଯେଉଁ କିଛି ରାଜନେତା ଚର୍ଚ୍ଚାରେ ରହିଛନ୍ତି ସେମାନଙ୍କ ଭିତରେ ବୈଜୟନ୍ତ ହେଉଛନ୍ତି ଅନ୍ୟତମ। ସୋସିଆଲ ମିଡିଆ ପୋଷ୍ଟରେ କିଛି ଲୋକ କମେଣ୍ଟ ମଧ୍ୟ ଦିଅନ୍ତି। ଏହାକୁ ବୈଜୟନ୍ତ ପଢ଼ି ଉତ୍ତର ମଧ୍ୟ ଦେଇଥାନ୍ତି।

ହେଲେ ଏବେ ସୋସିଆଲ ମିଡିଆ ସହିତ ଚାହା ଖଟି ଚର୍ଚ୍ଚା ‘ହେଇଯାଉ’ ଆରମ୍ଭ କରିଛନ୍ତି ଜୟ ପଣ୍ଡା। ତେବେ ଚାହା ପିଉ ପିଉ ବୈଜୟନ୍ତଙ୍କର କ’ଣ ହଉଛି ତାହା ଅପେକ୍ଷା କରି ଦେଖିବାର କଥା।

2 COMMENTS

  1. ବ୍ଯକ୍ତିତ୍ବକୁ ସମ୍ମାନ ଦେଲେ ରାଜନୈତିକ ଦଳ ବ୍ଯକ୍ତିଙ୍କ ପଛରେ ଗୋଡେଈ ଥାଏ !

Comment