ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
ତୃଣମୂଳ କଂଗ୍ରେସ ନେତ୍ରୀ ମମତା ବାନାର୍ଜୀଙ୍କୁ ନେଇ ଜାତୀୟ ରାଜନୀତିରେ ଚର୍ଚ୍ଚା। ୨୦୧୯ରେ ମମତାଙ୍କ ଆଭିମୁଖ୍ୟ କ’ଣ ରହିବ ତା’ ଉପରେ ରହିଛି ସବୁ ଦଳର ନଜର।
ଆସାମରେ ନ୍ୟାସନାଲ ରେଜିଷ୍ଟ୍ରି ବା ଅଣଭୋଟରଙ୍କୁ ନେଇ ଯେଉଁ ବିବାଦ ସୃଷ୍ଟି ହୋଇଛି ତାହା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ଫାୟାରବ୍ରାଣ୍ଡ ନେତ୍ରୀ ମମତା ବାନର୍ଜୀଙ୍କୁ ପୁଣି ଥରେ ଫୋକସକୁ ଆଣିଛି। ଏହି ପ୍ରସଙ୍ଗରେ ସେ ଯେମିତି ଉଗ୍ର ରୂପ ଧାରଣ କରିଛନ୍ତି ସେଥିରୁ ସୂଚନା ମିଳୁଛି ଯେ ଶାସକ ବିଜେପି ବିରୋଧରେ ମମତା ଏହାକୁ ଅସ୍ତ୍ର ରୂପେ ବ୍ୟବହାର କରିବା ନିଶ୍ଚିତ।
ଖାଲି ଆସାମ ପ୍ରସଙ୍ଗ ନୁହେଁ ବିମୁଦ୍ରାକରଣଠାରୁ ଗୋ-ଗୁଇନ୍ଦାଗିରି ଯାଏଁ ଆଗାମୀ ଦିନରେ ସେ ମୋଦି ସରକାର ବିରୋଧରେ ଲଢ଼େଇ ଜୋରଦାର କରିବେ। ୨୦୧୯ ନିର୍ବାଚନ ଯେତେ ପାଖେଇବ ତାଙ୍କ ସ୍ୱର ସେତେ ତୀବ୍ର ହେବ ଏହା ସ୍ପଷ୍ଟ ଦେଖାଯାଉଛି।
ଉଣେଇଶି ମହାସମରରେ ମମତା ଜାତୀୟ ସ୍ତରରେ ତାଙ୍କ ରାଜନୀତିକୁ ସମ୍ପ୍ରସାରିତ କରିବା ପାଇଁ ତ ଚାହିଁବେ, ଆଉ ତାଙ୍କ କର୍ମକ୍ଷେତ୍ର ପଶ୍ଚିମବଙ୍ଗ ଓ ପାଖାପାଖି ରାଜ୍ୟକୁ ସମ୍ପ୍ରସାରିତ ହେବ। ଏହି ରାଜ୍ୟମାନଙ୍କରେ ଓ ଅନ୍ୟତ୍ର ଶାସନକୁ ଦୃଢ଼ୀଭୂତ କରିବା ବ୍ୟତୀତ ନିଜ କାନଭସକୁ ଆହୁରି ବଡ଼ କରିବା ତାଙ୍କ ଅଭିପ୍ରାୟ।
ବର୍ତ୍ତମାନ ଲୋକସଭାରେ ପଶ୍ଚିମବଙ୍ଗର ମୋଟ ୪୨ ଆସନ ଭିତରୁ ତାଙ୍କ ଦଳର ୩୪ ଜଣ ସାଂସଦ ଅଛନ୍ତି। ତେବେ ୨୦୧୯ରେ ତାଙ୍କ ଲକ୍ଷ୍ୟ ହେଉଛି ସବୁ ଆସନକୁ ପୋଛିନେବା ବା ଯାହାକୁ କୁହାଯାଏ କ୍ଲିନ ସୁଇପ।
ଯଦି ମମତା ବଙ୍ଗଳାରେ କ୍ଲିନ ସୁଇପ କରିନିଅନ୍ତି ଓ ବିଜେପି କିମ୍ବା କଂଗ୍ରେସ ପୂର୍ଣ୍ଣ ସଂଖ୍ୟା ଗରିଷ୍ଠତା ନ ପାଆନ୍ତି ତେବେ ଲୋକସଭା ନିର୍ବାଚନ ପରେ ମମତା ହିଁ ଅସଲ ଖେଳାଳି ଭାବେ ଅବତୀର୍ଣ୍ଣ ହେବେ। ଖାସ୍ ଏଇଥିପାଇଁ ମମତା ଫେଡେରାଲ ଫ୍ରଣ୍ଟ ବିଷୟରେ ଏତେ ଆଗ୍ରହ ପ୍ରକାଶ କରୁନାହାନ୍ତି। ଏହି ଫ୍ରଣ୍ଟରେ କଂଗ୍ରେସର ଅଗ୍ରଣୀ ଭୂମିକାକୁ ତ ମମତା ଆଦୌ ଚାହୁଁନାହାନ୍ତି।
ଯେଉଁଦିନ ଠାରୁ ମମତା ବାନାର୍ଜୀ ପଶ୍ଚିମବଙ୍ଗରେ ୨୯୪ ମଧ୍ୟରୁ ୨୧୧ ଆସନରେ ବିଜୟ ଲାଭ କଲେ, ତା ପରଠାରୁ ନିଜର ପରିସର ଓ ପ୍ରଭାବକୁ ବଢ଼ାଇବା ପାଇଁ ସେ ବରାବର ଉଦ୍ୟମ କରି ଆସିଛନ୍ତି। ଅନ୍ୟ ଅର୍ଥରେ ସେ ତାଙ୍କ ରାଜନୀତିକୁ ନଅ କୋଟି ବଙ୍ଗାଳୀଙ୍କ ଭିତରେ ସୀମିତ ନ ରଖି ଆହୁରି ଅଧିକ ବାଟ ନେଇଯିବା ପାଇଁ ଚାହାଁନ୍ତି। କିନ୍ତୁ ଏହା ଏତେ ସହଜ ନୁହେଁ ଓ ଆହ୍ୱାନଟି ଅତ୍ୟନ୍ତ ଜଟିଳ।
ପ୍ରଥମ କଥା ହେଉଛି ତାଙ୍କୁଗୋଟିଏ ଦୃଢ଼ ବିଜେପି-ବିରୋଧୀ ମେଣ୍ଟ ତିଆରିବାକୁ ହେବ। ଦ୍ୱିତୀୟରେ ଏହି ଫ୍ରଣ୍ଟରେ ଯେଉଁମାନେ ରହିବେ ସେମାନଙ୍କର ନିଜ ନିଜର ଏଜେଣ୍ଡା ଓ ରାଜନୈତିକ ଲକ୍ଷ୍ୟ ବି ଥିବ। ତୃତୀୟରେ ସେମାନେ ଏକମତ ହେବା ଦରକାର ଯେ ସମସ୍ତ ରାଜନୈତିକ ଶକ୍ତିକୁ ମୋଦି ସରକାରକୁ ହଟାଇବା ଦିଗରେ ଉପଯୋଗ କରିବେ ଓ ନିଷ୍ଠାର ସହ ତାହା କରିବେ।
ମମତା ଅବଶ୍ୟ ଏ କଥା କହି ଆସିଛନ୍ତି ଯେ ପ୍ରସ୍ତାବିତ ଫ୍ରଣ୍ଟର ସବୁ ଅଂଶୀଦାର ଦଳମାନଙ୍କର ସମାନ ଗୁରୁତ୍ୱ ରହିବ। ତା’ ଛଡ଼ା ପ୍ରଧାନମନ୍ତ୍ରୀ ହେବାର ତାଙ୍କର କୌଣସି ଅଭିପ୍ରାୟ ନାହିଁ ବୋଲି ସେ ବାରମ୍ବାର କହିଛନ୍ତି। ଫ୍ରଣ୍ଟର ପ୍ରଧାନମନ୍ତ୍ରୀ କିଏ ହେବେ ସେହି ବିବାଦକୁ ସେ ସ୍ଥାନ ଦେବାକୁ ମଧ୍ୟ ଚାହୁଁନାହାନ୍ତି। କିନ୍ତୁ ତାଙ୍କ ଦଳର ଲୋକଙ୍କ ମତ ଅଲଗା। ସେମାନଙ୍କ କହିବା କଥା ଯେ ଯଦି ସୁଯୋଗ ମିଳିଲା ମମତା ଭାରତର ପ୍ରଥମ ବଙ୍ଗାଳୀ ପ୍ରଧାନମନ୍ତ୍ରୀ ହେବା ଉଚିତ।
ମମତାଙ୍କ ଖରାପ ରେକର୍ଡ଼ ହେଉଛି ଯେ ସେ କୌଣସି ଦଳ ସହିତ ଦୀର୍ଘସ୍ଥାୟୀ ସମ୍ପର୍କ ରଖିପାରନ୍ତିନି। ଅତୀତରେ ସେ ବହୁ ଦଳ ସହ ଏକାଠି ହୋଇଛନ୍ତି ଓ ବାହାରି ଯାଇଛନ୍ତି।୧୯୯୯ରେ ତୃଣମୂଳ କଂଗ୍ରେସ ଗଠନ ପରେ ସେ ଏନଡିଏ ସହିତ ଯୋଗଦେଲେ କିନ୍ତୁ ୨୦୦୧ରେ ହଠାତ ମେଣ୍ଟ ଛାଡ଼ିଲେ। ତା’ ପରେ କଂଗ୍ରେସ ସହିତ ବିଧାନସଭା ନିର୍ବାଚନ ପାଇଁ ଏକାଠି ହେଲେ କିନ୍ତୁ ବେଶୀ ଦିନ ସେଠି ରହିପାରିଲେ ନାହିଁ।
୨୦୦୪ରେ ଏନଡିଏ ମେଣ୍ଟରେ ଯୋଗ ଦେଇ ସେଥିରୁ ଓହରିଲେ। ତା’ ପରେ ୟୁପିଏରେ ଯୋଗ ଦେଇଥିଲେ। ୨୦୦୯ରେ ସେ ୟୁପିଏ-୨ରେ ଯୋଗ ଦେଇଥିଲେ। କିନ୍ତୁ ୨୦୧୨ରେ ଆକସ୍ମିକ ଭାବେ ମେଣ୍ଟ ଛାଡ଼ିଥିଲେ। ସେ ଯାହା ହେଉନା କାହିଁକି, ଏଇକ୍ଷଣି ମମତାଙ୍କ ଟାର୍ଗେଟ ହେଉଛନ୍ତି ମୋଦି ସରକାର। ବିଜେପି ସରକାରକୁ ହଟାଇବା ପାଇଁ ସେ କୌଣସି ସୁଯୋଗକୁ ହାତଛଡ଼ା କରିବା ପାଇଁ ଚାହୁଁନାହାନ୍ତି।
ହେଲେ ବଡ଼ ପ୍ରଶ୍ନ ହେଉଛି ତାଙ୍କୁ ବିଜେପି-ବିରୋଧୀ ଫ୍ରଣ୍ଟରେ ସମସ୍ତଙ୍କ ମଧ୍ୟରେ ପ୍ରଥମ ବୋଲି ଗ୍ରହଣ କରାଯିବ କି? ଆହୁରି ମଧ୍ୟ, ଅନ୍ୟ କାହା ନେତୃତ୍ୱ ଅଧୀନରେ ସେ ରହିବେ କି? ଏଣୁ ଆରମ୍ଭରୁ ହିଁ ସେ ଚିନ୍ତା କରିଥିବା ଫ୍ରଣ୍ଟରେ ସମସ୍ୟା ଦେଖାଦେଇଛି। ଏ ସବୁ ସତ୍ତ୍ୱେ ୨୦୧୯ ଯେତିକି ନିକଟତର ହେବ ମମତାଙ୍କ ଉପରେ ସମସ୍ତଙ୍କ ନଜର ସେତିକି ଲାଖି ରହିବ।