ଓଡ଼ିଶାଲାଇଭ୍‌ ବ୍ୟୁରୋ

ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲ୍ଲା ବାସାଗୁଡା ସାପ୍ତାହିକ ହାଟରେ ମାଓବାଦୀମାନେ ଆଖିବୁଜା ଗୁଳିମାଡ଼ କରିଛନ୍ତି।  ଫଳରେ ୨ ଜଣ ଯବାନ ଗୁରୁତର ଆହତ ହୋଇଛନ୍ତି। ମାଓବାଦୀଙ୍କ ସହିଦ ସପ୍ତାହ ପାଳନର ଶେଷ ଦିନରେ ଏହି ଘଟଣା ଘଟିଛି।

ଆଜି ସକାଳୁ ହାଟ ଆରମ୍ଭ ହୋଇଥିଲା ଏବଂ ସବୁ କିଛି ସ୍ୱଭାବିକ ରହିଥିଲା। ଲୋକଙ୍କ ଗହଳି ମଧ୍ୟ ଲାଗିଥିଲା। କିଣା ବିକା ମଧ୍ୟ ସବୁ ଠିକଠାକ ଚାଲିଥିଲା। ହେଲେ ଅଚାନକ ଗୁଳିର ଶବ୍ଦ ଶୁଣି ଲୋକେ ଦୌଡ଼ାଦୌଡ଼ି ଆରମ୍ଭ କରିଦେଲେ। ହାଟରେ କିଛି ଯବାନ ମୁତୟନ ଥିଲେ। ଏମାନଙ୍କ ଉପରକୁ ମାଓବାଦୀମାନେ ଗୁଳି ଚଳାଇଥିଲେ। ମାଓବାଦୀଙ୍କ ଗୁଳି ଜଣେ ଯବାନଙ୍କ ପିଠିରେ ବାଜିବାରୁ ସେ ଗୁରୁତର ଭାବେ ଆହତ ହୋଇଛନ୍ତି। ଆଉ ଜଣେ ଯବାନଙ୍କୁ ଛୁରୀ ଦ୍ୱାରା ଆକ୍ରମଣ କରାଯାଇଥିଲା। ଫଳରେ ସେ ମଧ୍ୟ ଗୁରୁତର ଭାବେ ଆହତ ହୋଇଛନ୍ତି।

ଆହତ ଦୁଇ ଯବାନଙ୍କୁ ବିଜାପୁର ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଯବାନମାନେ ପାଲଟା ଗୁଳି ମାଡ଼ କରିଥିଲେ ମଧ୍ୟ  ଜଣେ ମାଓବାଦୀ ନିହତ ହୋଇଥିବା ସୂଚନା ମିଳିଛି। ଅନ୍ୟ ମାଓବାଦୀମାନେ ଛତ୍ରଭଙ୍ଗ ଦେଇଥିଲେ।

ମାଓବାଦୀଙ୍କ ସହିଦ ସପ୍ତାହକୁ ଦୃଷ୍ଟିରେ ରଖି ପୋଲିସ ପକ୍ଷରୁ ବିଭିନ୍ନ ମାଓ ଇଲାକାରେ କୋମ୍ବିଂ ଅପରେସନକୁ ଜୋରଦାର କରାଯାଇଥିଲା। ବାସାଗୁଡ଼ା ସାପ୍ତାହିକ ହାଟରେ ମାଓବାଦୀମାନେ ରହିଥିବା ସନ୍ଦେହରେ ଯବାନମାନଙ୍କୁ ମୁତୟନ କରାଯାଇଥିଲା। ହେଲେ ମାଓବାଦୀମାନେ ଯେଉଁ ଟାର୍ଗେଟରେ ଆସିଥିଲେ ଯବାନମାନଙ୍କ ପାଲଟା ଜବାବ ଯୋଗୁଁ ତାହା ସଫଳ ହୋଇପାରିଲା ନାହିଁ ବୋଲି ଏସ୍‌ ପି ମୋହିତ ଗର୍ଗ କହିଛନ୍ତି।

Comment