ଓଡ଼ିଶାଲାଇଭ୍‌ ବ୍ୟୁରୋ

ମୃତଦେହକୁ ଅସମ୍ମାନ ନକରିବା ଉଦ୍ଦେଶ୍ୟରେ ରାଜ୍ୟ ସରକାର ମହାପ୍ରୟାଣ ଗାଡ଼ିର ବ୍ୟବସ୍ଥା କରିଛନ୍ତି। ହେଲେ ଆବଶ୍ୟକ ମୁତାବକ ମହାପ୍ରୟାଣ ଗାଡ଼ି ନଥିବାରୁ ମୃତଦେହ ଦୟନୀୟ ଅବସ୍ଥାରେ ନିଆଯାଉଛି। ଏମିତି ଏକ କରୁଣ ଚିତ୍ର ଆଜି ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା ଭୁବନ ଅଞ୍ଚଳରେ।

ଭୁବନରେ ମହାପ୍ରୟାଣ ଗାଡ଼ି ନଥିବାରୁ ବାପାଙ୍କ ମୃତଦେହକୁ ଦୁଇ ଝିଅ ଟ୍ରଲିରେ ଆଣିବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି।

ଭୁବନ ଥାନା ଅନ୍ତର୍ଗତ କଣପାଳ ପଞ୍ଚାୟତର ନିଳକଣ୍ଠପୁର ଗ୍ରାମର ଦୈତାରୀ ମଲ୍ଲିକ ଧାନ ରୋଇବା ପାଇଁ ସୋମବାର ପୁରୁଷୋତ୍ତମପୁର ଯାଇଥିଲେ। ହେଲେ ସନ୍ଧ୍ୟା ସୁଦ୍ଧା ଘରକୁ ନଫେରିବାରୁ ପରିବାର ଲୋକ ଖୋଜାଖୋଜି କରିଥିଲେ। ହେଲେ ପତ୍ତା ପାଇ ନଥିଲେ।

ମଙ୍ଗଳବାର ଦୈତାରୀଙ୍କ ମୃତଦେହ ବ୍ରାହ୍ମଣୀ ନଦୀରେ ଭାସୁଥିବା ଦେଖିବାକୁ ମିଳିଥିଲା। ସ୍ଥାନୀୟ ଲୋକେ ଏବଂ ଅଗ୍ନିଶମ ବିଭାଗର କର୍ମଚାରୀ ମୃତଦେହକୁ ଉଦ୍ଧାର କରିଥିଲେ। ୧୦୮ ଆମ୍ବୁଲାନ୍ସ ଯୋଗେ ପୋଷ୍ଟମର୍ଟମ ପାଇଁ ଭୁବନ ମେଡିକାଲକୁ ନିଆଯାଇଥିଲା।

ପୋଷ୍ଟମର୍ଟମ ପରେ ମୃତଦେହକୁ ଘରକୁ ଆଣିବା ପାଇଁ ପରିବାର ଲୋକଙ୍କ ପାଖରେ ଟଙ୍କା ନଥିଲା। ମେଡିକାଲରେ ଆମ୍ବୁଲାନ୍ସ ମଧ୍ୟ ମିଳି ନଥିଲା। ମହାପ୍ରୟାଣ ଗାଡ଼ି ବି ଏହି ମେଡିକାଲରେ ଉପଳବ୍ଧ ନାହିଁ। ଶେଷରେ ଦୁଇ ଝିଅ ବାପାଙ୍କ ମୃତଦେହକୁ ଟ୍ରଲିରେ ଟାଣି ଆଣିଥିଲେ।

ଗତ କିଛିଦିନ ତଳେ ବୌଦ୍ଧ ଜିଲ୍ଲାରେ ଚାରିକାନ୍ଧ ନମିଳିବାରୁ ଶାଳୀର ମୃତଦେହକୁ ଭିଣୋଇ ସାଇକେଲରେ ବୋହି ଚର୍ଚ୍ଚାରେ ରହିଥିଲା। ଏଥିପାଇଁ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଥିଲେ ବିରୋଧୀ। ଏହି ଘଟଣାକୁ ନେଇ ଚର୍ଚ୍ଚା ନଥମୁଣୁ ଭୁବନରେ ମୃତଦେହ ଟ୍ରଲିରେ ବୁହାହେବା ନୂଆ ବିବାଦ ସୃଷ୍ଟି କରିଛି।

Comment