ଓଡ଼ିଶାଲାଇଭ୍‌ ବ୍ୟୁରୋ

ଓଡ଼ିଶା ଗ୍ରାମ୍ୟ ଗୃହ ଉନ୍ନୟନ ନିଗମ(ଓଆର୍‌ଏଚଡିସି) ଦୁର୍ନୀତି ମାମଲାରେ ଆଉ ଦୁଇ ଜଣଙ୍କୁ ତିନି ବର୍ଷ ଲେଖାଏଁ ଜେଲ୍ ଦଣ୍ଡାଦେଶ ଦେଇଛନ୍ତି ଭୁବନେଶ୍ୱର ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ। ସେମାନେ ହେଲେ ଓଆର୍‌ଏଚ୍‌ଡିସି ପୂର୍ବତନ ଆକାଉଣ୍ଟାଣ୍ଟ ପ୍ରଦୀପ ରାଉତ ଏବଂ ପୂର୍ବତନ ନିର୍ଦ୍ଦେଶକ ଚିତ୍ତ ମଲ୍ଲିକ। ଉଭୟଙ୍କୁ ୭୫ ହଜାର ଟଙ୍କା ଲେଖାଏଁ ଜୋରିମାନା ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ଓଆର୍‌ଏଚ୍‌ଡିସିରେ ଆର୍ଥିକ ହେରଫେର୍ ଅଭିଯୋଗରେ ଜୁଲାଇ ୩ ତାରିଖରେ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ବରିଷ୍ଠ ଆଇଏଏସ୍ ଅଫିସର ବିନୋଦ କୁମାରଙ୍କ ସମେତ ୫ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ। ହେଲେ ସମସ୍ତେ ଫେରାର ଥିଲେ।

ବିନୋଦ କୁମାରଙ୍କୁ ଗିରଫ କରିବା ପାଇଁ ଭିଜିଲାନ୍ସ ତାଙ୍କ ବାସଭବନରେ ଚଢ଼ାଉ କରିଥିଲା। ହେଲେ ପତ୍ତା ପାଇ ନଥିଲା। ତାଙ୍କୁ ଧରିବା ପାଇଁ ଏନବିଡବ୍ଲ୍ୟୁ ଜାରୀ କରାଯାଇଥିଲା।

ଆକାଉଣ୍ଟାଣ୍ଟ ପ୍ରଦୀପ ରାଉତ ଏବଂ ପୂର୍ବତନ ନିର୍ଦ୍ଦେଶକ ଚିତ୍ତ ମଲ୍ଲିକ କୋର୍ଟରେ ଆତ୍ମସମର୍ପଣ କରିଥିଲେ। କୋର୍ଟ ଆଜି ତାଙ୍କୁ ୩ ବର୍ଷ ଲେଖାଏଁ ଜେଲ୍ ଦଣ୍ଡରେ ଦଣ୍ଡିତ କରିଛନ୍ତି। ଉଭୟଙ୍କ ନାଁରେ ଏନବିଡବ୍ଲ୍ୟୁ ଜାରୀ କରାଯାଇଥିଲା।

Comment