ଓଡ଼ିଶାଲାଇଭ୍‌ ବ୍ୟୁରୋ

କେରଳରେ ପ୍ରଳୟଙ୍କରୀ ବନ୍ୟା ଓ ଭୂସ୍ଖଳନରେ ୨୨ ଜଣଙ୍କ ମୃତ୍ୟୁ ହୋଇଛି।

କେରଳରେ ପ୍ରଳୟଙ୍କରୀ ବନ୍ୟା ଓ ଭୂସ୍ଖଳନ। ପ୍ରବଳ ବର୍ଷା ଯୋଗୁଁ ରାଜ୍ୟର ବିଭିନ୍ନ ନଦୀରେ ଆସିଛି ବନ୍ୟା। ବିଭିନ୍ନ ସ୍ଥାନରେ ଭୂସ୍ଖଳନ ଘଟି ୨୨ଜଣଙ୍କ ମୃତ୍ୟୁ ହୋଇଛି। ପରିସ୍ଥିତି ଏଭଳି ଗମ୍ଭୀର ହୋଇଛି ଯେ କୋଚି ବିମାନ ବନ୍ଦରରେ ସମସ୍ତ ବିମାନ ଉଡ଼ାଣ ଓ ଅବତରଣକୁ ବାତିଲ କରିଦିଆଯାଇଛି। କେତେକ ଜରୁରୀକାଳୀନ ବିମାନର ଦିଗ ପରିବର୍ତ୍ତନ କରାଯାଇଛି।

ପେରିଅର ନଦୀରେ ବଢ଼ୁଥିବା ଜଳସ୍ତରକୁ ରନ୍‍ୱେ ଉପରେ ବନ୍ୟା ପାଣି ଆସିଯିବାର ଆଶଙ୍କା ଥିବାରୁ ବିମାନ ବନ୍ଦର କର୍ତ୍ତୃପକ୍ଷ ଏଭଳି ପଦକ୍ଷେପ ନେଇଛନ୍ତି।

ପ୍ରବଳ ବର୍ଷା ଓ ଭୂସ୍ଖଳନରେ ଇଡୁକି ଜିଲ୍ଲାରେ ୧୧ ଜଣ, ମାଲାପୁରମ୍‍ରେ ୬ ଜଣ, କୋଝିକୋଡରେ ଜଣେ, ୱେୟାନଡରେ ୩ଜଣ ଓ କନୌର ଜିଲ୍ଲାରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନେକ ନିଖୋଜ ଅଛନ୍ତି। ଇଡୁକି ଜିଲ୍ଲାରେ ଗୋଟିଏ ପରିବାରର ପାଞ୍ଚ ଜଣଙ୍କ ମୃତ୍ୟୁ ହୋଇଛି। ସ୍ଥାନୀୟ ପୋଲିସ ଓ ଲୋକମାନଙ୍କ ସହାୟତାରେ ପରିବାରର ମାତ୍ର ୨ଜଣଙ୍କୁ ଜୀବନ ରକ୍ଷା କରାଯାଇପାରିଛି।

ବନ୍ୟା ଅଞ୍ଚଳରେ ସରକାରରଙ୍କ ପକ୍ଷରୁ ରିଲିଫ୍‍ ଶିବିର ଖୋଲାଯାଇ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଅନେକ ତଳିଆ ଅଞ୍ଚଳରେ ବନ୍ୟା ପାଣି ମାଡ଼ି ଯାଇଛି। ସର୍ବାଧିକ ପ୍ରଭାବିତ ଅଞ୍ଚଳ କୋଝିକୋଡକୁ ଏନ୍‍ଡିଆରଏଫ୍‍ ଟିମ୍‍ ପଠାଯାଇଛି। ଉଦ୍ଧାର କାର୍ଯ୍ୟରେ ସହାୟତା ପାଇଁ ରାଜ୍ୟ ସରକାର ସେନା ସହାୟତା ଲୋଡ଼ିଛନ୍ତି। ରାଜ୍ୟର ୨୨ଟି ଜଳଭଣ୍ଡାରର ସମସ୍ତ ଗେଟ ଖୋଲାଯିବାରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିବା କୁହାଯାଉଛି।

୨୦୧୩ରେ ସୃଷ୍ଟି ହୋଇଥିବା ବନ୍ୟା ସ୍ଥିତିକୁ ଦୃଷ୍ଟିରେ ରଖି ଏହି ଆଗୁଆ ପଦକ୍ଷେପ ନିଆଯାଇଛି। ମୁଖ୍ୟମନ୍ତ୍ରୀ ପିନାରଇ ବିଜୟନ ତୁରନ୍ତ ଜରୁରୀକାଳୀନ ବୈଠକ ଡକାଇ ବନ୍ୟା ନିୟନ୍ତ୍ରଣ ପାଇଁ ଆଲୋଚନା କରିଛନ୍ତି। ଏପଟେ ଚେନ୍ନାଇରୁ ୪ଟି ଏନଡିଆରଏଫ୍‌ ଦଳ କୋଚି ଅଭିମୁଖେ ଯାତ୍ରା କରିଛନ୍ତି।

Comment