ଓଡ଼ିଶାଲାଇଭ୍ ବ୍ୟୁରୋ

କ୍ରାନ୍ତି ଦିବସକୁ ଭିନ୍ନ ଢଙ୍ଗରେ ପାଳିଛନ୍ତି ପୁରୀ ଶ୍ରୀମନ୍ଦିର ସେବାୟତ।
ଆଜି ଅଗଷ୍ଟ ୯ ତାରିଖ। ସାରା ଭାରତରେ ପାଳନ ହେଉଛି କ୍ରାନ୍ତି ଦିବସ। ଅଗଷ୍ଟ ୯ ତାରିଖ ଭାରତର ସ୍ଵାଧୀନତା ଇତିହାସରେ ଏକ ଗୁରୁତ୍ୱପୂର୍ଣ୍ଣ ଦିବସ। ଏହି ଦିନ ଜାତିର ପିତା ମହାତ୍ମା ଗାନ୍ଧି ଦେଇଥିବା ‘କର ବା ମର’ ସ୍ଲୋଗାନ୍ ଦେଶର ସ୍ଵାଧୀନତା ପଥକୁ ସୁଗମ କରିଥିଲା।
ଗାନ୍ଧିଜୀଙ୍କ ସେହି ଗୋଟିଏ ସ୍ଲୋଗାନ ଦେଶରେ କ୍ରାନ୍ତି ଆଣି ଦେଇଥିବାରୁ ଏହି ଦିନଟିକୁ ଅଗଷ୍ଟ କ୍ରାନ୍ତି ଦିବସ ଭାବେ ପାଳନ କରାଯାଇଥାଏ।
ଗୁରୁବାରଦିନ ଏହି କ୍ରାନ୍ତି ଦିବସକୁ ଭିନ୍ନ ଢଙ୍ଗରେ ପାଳଛନ୍ତି ପୁରୀ ଶ୍ରୀମନ୍ଦିର ସେବାୟତ। ବିଭିନ୍ନ ଦାବିକୁ ନେଇ ସେମାନେ ଧାରଣାରେ ବସିଛନ୍ତି। ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ଶ୍ରୀଜଗନ୍ନାଥ ସେବାୟତ ସମ୍ମିଳନୀ ପକ୍ଷରୁ ସମୂହ ଦୀପଦାନ କରାଯାଇଛି।
ଶ୍ରୀମନ୍ଦିର ପରମ୍ପରା, ରୀତିନୀତି, ପର୍ବପର୍ବାଣୀକୁ ଧ୍ୱଂସ କରିବା ଲାଗି ବିଚାରବିଭାଗ ଆଳରେ ପ୍ରଶାସନିକ ଷଡ଼ଯନ୍ତ୍ର ହୋଇଛି। ଆଗାମୀ ଦିନରେ ଶ୍ରୀମନ୍ଦିରରେ ଦାନ ଦକ୍ଷିଣା ଗ୍ରହଣ ପାଇଁ ଅମଲାତନ୍ତ୍ରମାନେ ପ୍ରସ୍ତୁତି ଚଳାଇଛନ୍ତି। ସେବାୟତଙ୍କୁ ଦାନ ଦକ୍ଷିଣାରୁ ବଞ୍ଚିତ କରାଯାଇଛି। ଏଥିସହ ଶ୍ରୀମନ୍ଦିରକୁ ଅଣହିନ୍ଦୁଙ୍କୁ ପ୍ରବେଶ କରାଇବାର ଆନ୍ତର୍ଜାତିକ ଷଡ଼ଯନ୍ତ୍ର ଚାଲିଛି ବୋଲି ଅଭିଯୋଗ କରିଛି ଶ୍ରୀଜଗନ୍ନାଥ ସେବାୟତ ସମୂହ।
“ଶ୍ରୀମନ୍ଦିରର ସଂସ୍କୃତି ଓ ପରମ୍ପରାକୁ ସୁରକ୍ଷା ଦେବା ଲାଗି ମହାପ୍ରଭୁଙ୍କ ନିକଟରେ ସମୂହ ଦୀପଦାନ କରି ପବିତ୍ର କ୍ରାନ୍ତି ଦିବସରୁ ଆମେ ସଂକଳ୍ପ ନେଉଛୁ”, କହିଛନ୍ତି ସମ୍ମିଳନୀର ପ୍ରମୁଖ କର୍ମକର୍ତ୍ତା।


















