ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆସନ୍ତା ବର୍ଷ ଏପ୍ରିଲ ମାସରେ ହେବାକୁ ଥିବା ସାଧାରଣ ନିର୍ବାଚନ ଓ ୫ଟି ବିଧାନସଭା ନିର୍ବାଚନ ଉପରେ ନିର୍ବାଚନ କମିଶନରଙ୍କ ଦୃଷ୍ଟି ରହିଛି।

ଗୋଟିଏ ପଟେ ଲୋକସଭା ଓ ବିଧାନସଭା ପାଇଁ ଏକକାଳୀନ ନିର୍ବାଚନ କରିବା ସକାଶେ ବିଜେପି ସଭାପତି ଅମିତ ଶାହା ବିଧି ଆୟୋଗକୁ ଚିଠି ଲେଖିବା ବେଳେ ତେଣେ କିନ୍ତୁ ଭାରତର ନିର୍ବାଚନ କମିଶନ ଏହା କରିବା ସ୍ଥିତିରେ ନାହିଁ।

ଶାହା ନିକଟରେ ବିଧି ଆୟୋଗକୁ ପତ୍ର ଲେଖି କହିଥିଲେ ଯେ ସବୁବେଳେ ଦେଶ ନିର୍ବାଚନ ମୂଡ଼ରେ ରହିବା ସମ୍ଭବ ନୁହେଁ। ସେ ଚାହୁଁଥିଲେ ଯେ ୨୦୧୯ରେ ଲୋକସଭା ଓ ବିଭିନ୍ନ ବିଧାନସଭା ନିର୍ବାଚନ ଏକତ୍ର ହେଉ।

ଖବର ଅନୁସାରେ ଆସନ୍ତା ବର୍ଷ ଏପ୍ରିଲ ମାସରେ ହେବାକୁ ଥିବା ସାଧାରଣ ନିର୍ବାଚନ ଓ ୫ଟି ବିଧାନସଭା ନିର୍ବାଚନ ଉପରେ ହିଁ ନିର୍ବାଚନ କମିଶନର ଦୃଷ୍ଟି ରହିଛି ଓ କେବଳ ଏତିକି ନିର୍ବାଚନ ପାଇଁ ହିଁ କମିଶନ ପ୍ରସ୍ତୁତି ଆରମ୍ଭ କରିଛି।

କମିଶନ ଏଥିପାଇଁ ଦରକାର ହେଉଥିବା ୧୭ ଲକ୍ଷ ଭିଭିପେଟ (ଭୋଟର ଭେରିଫାଏବଲ ପେପର ଅଡିଟ ଟ୍ରେଲ) ୟୁନିଟ, ୧୪ ଲକ୍ଷ ବ୍ୟାଲଟ ୟୁନିଟ ଓ ୯ ଲକ୍ଷ କଣ୍ଟ୍ରୋଲ ୟୁନିଟ ପାଇଁ ଅର୍ଡର କରିଛି।

ଲୋକସଭା ନିର୍ବାଚନ ସହିତ ଅନ୍ୟ ଯେଉଁ ୫ ରାଜ୍ୟର ବିଧାନସଭା ପାଇଁ ଭୋଟ ଗ୍ରହଣ କରାଯିବ ସେଗୁଡିକ ହେଲା ଓଡ଼ିଶା, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ସିକିମ ଓ ଅରୁଣାଚଳ ପ୍ରଦେଶ। ନିର୍ବାଚନ ଆୟୋଗ ପକ୍ଷରୁ ଭିଭିପେଟ ଓ ଇଭିଏମ କଣ୍ଟ୍ରୋଲ ୟୁନିଟ ପାଇଁ ଯେଉଁ ଦୁଇଟି ରାଷ୍ଟ୍ରାୟତ୍ତ ସଂସ୍ଥା – ଭାରତ ଇଲେକ୍ଟ୍ରୋନିକ୍ସ ଲି ଓ ଇଲେକ୍ଟ୍ରୋନିକସ୍ କରପୋରେସନ ଲି -ପାଖକୁ ଅର୍ଡର ପଠାଯାଇଥିଲା ସେ ସବୁ ଆସନ୍ତା ମାସରେ ଡେଲିଭେରୀ ଦେବାର କାର୍ଯ୍ୟକ୍ରମ ରହିଛି। ଭିଭିପିଟି ପାଇଁ ହାତରେ ଆଉ ଦୁଇ ମାସ ଅଧିକ ସମୟ ଦିଆଯାଇଛି।

ମୋଟାମୋଟି ଭାବେ ୨୦୧୯ ନିର୍ବାଚନ ପାଇଁ ଯେତିକି ଭୋଟିଂ ମେସିନ ଦରକାର ତାହା ଡିସେମ୍ବର ସୁଦ୍ଧା ନିର୍ବାଚନ କମିଶନ ପାଖକୁ ଆସିଯିବ।

ନିର୍ବାଚନ ଆୟୋଗର ଜଣେ ଅଧିକାରୀ କହିଛନ୍ତି ଯେ ଯଦି ସମଗ୍ର ଦେଶରେ ଏକାଥରକେ ବିଧାନସଭା ଓ ଲୋକସଭା ନିର୍ବାଚନ କରିବା ପାଇଁ ନିଷ୍ପତ୍ତି ନିଆଯିବ ତେବେ ୩୪ ଲକ୍ଷ ବ୍ୟାଲେଟ ୟୁନିଟ, ୨୬ ଲକ୍ଷ କଣ୍ଟ୍ରୋଲ ୟୁନିଟ ଓ ୨୭ ଲକ୍ଷ ଭିଭିପେଟ ଆବଶ୍ୟକ ପଡିବ।

ଆହୁରି ମଧ୍ୟ, ନିର୍ବାଚନ କମିଶନ ପକ୍ଷରୁ ବିଧାନସଭା ଓ ଲୋକସଭା ପାଇଁ ଏକାଥରକେ ନିର୍ବାଚନ କରିବାକୁ ହେଲେ ଯେତିକି ଭୋଟିଂ ମେସିନ ଦରକାର ତାହା ଅର୍ଡର କରାଯାଇପାରିବ ଯଦି ନିର୍ବାଚନ ଆଇନର ସଂଶୋଧନ କରାଯିବ ଓ ଆବଶ୍ୟକୀୟ ସମ୍ବିଧାନ ସଂଶୋଧନ ମଧ୍ୟ ହେବ।ତାହା ନହେବା ପର୍ଯ୍ୟନ୍ତ ନିର୍ବାଚନ କମିଶନ ଗୋଟିଏ ବି ଅଧିକ ମେସିନ ପାଇଁ ଅର୍ଡର ଦେଇ ପାରିବେନାହିଁ।

ମୁଖ୍ୟ ନିର୍ବାଚନ କମିଶନର ଟାଇମସ ଅଫ ଇଣ୍ଡିଆକୁ ନିକଟରେ ଦେଇଥିବା ଏକ ସାକ୍ଷାତ୍କାରରେ କହିଛନ୍ତି ଯେ ଏକକାଳୀନ ନିର୍ବାଚନ ପାଇଁ ଦରକାର ହେଉଥିବା ଭୋଟ ଗ୍ରହଣ ମେସିନ ଓ ଅନ୍ୟ ସରଞ୍ଜାମକୁ ରାତାରାତି ଅର୍ଡର କରାଯାଇପାରିବ ନାହିଁ କାରଣ ଏଥିରେ କିଛି ଆଇନଗତ କଟକଣା ରହିଛି। ଲିଗଲ ଫ୍ରେମୱର୍କର ଅନୁପସ୍ଥିତିରେ ମନଇଛା ଭୋଟ ଗ୍ରହଣ ହୋଇ ପାରିବ ନାହିଁ ବୋଲି ସେ ସ୍ପଷ୍ଟ କରିଦେଇଛନ୍ତି।

ଏଣୁ ୨୦୧୯ରେ ଏକାଥରକେ ସମସ୍ତ ରାଜ୍ୟ ଓ କେନ୍ଦ୍ରରେ ନିର୍ବାଚନ ହେବା ଆଦୌ ସମ୍ଭବ ନୁହେଁ ଏହା ଜଳଜଳ ଦେଖାଯାଉଛି।

Comment