ଓଡ଼ିଶାଲାଇଭ୍ ବ୍ୟୁରୋ

ନିର୍ବାଚନ ଜିତିବା ପରେ ବିଜୟ ଶୋଭାଯାତ୍ରା କରିପାରିବେ ନାହିଁ କୌଣସି ରାଜନୈତିକ ଦଳ। ଦେଶରେ ବଢ଼ୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ମଙ୍ଗଳବାର ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି ନିର୍ବାଚନ ଆୟୋଗ। ଏଥିସହ ବିଜୟ ହାସଲ କରିଥିବା ପ୍ରାର୍ଥୀଙ୍କ ସହିତ ୨ଜଣରୁ ଅଧିକ ବ୍ୟକ୍ତି ପ୍ରମାଣପତ୍ର ଆଣିବାକୁ ଯାଇପାରିବେ ନାହିଁ ବୋଲି ନିର୍ବାଚନ ଆୟୋଗ ନିର୍ଦ୍ଦେଶ ଦେଇଛନ୍ତି। ମେ’ ୨ରେ ୪ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳର ନିର୍ବାଚନ ଫଳାଫଳ ପ୍ରକାଶ ପାଇବାକୁ ଯାଉଛି।

ତାମିଲନାଡୁ ପରିବହନ ମନ୍ତ୍ରୀ ଏମ୍ ଆର୍ ବିଜୟଭାସ୍କର ମାଡ୍ରାସ ହାଇକୋର୍ଟରେ ଏକ ଆବେଦନ କରିଥିଲେ ଯେ, କରୁର ନିର୍ବାଚନ ମଣ୍ଡଳୀରେ ୭୭ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରିଛନ୍ତି। ତେଣୁ ମେ’ ୨ରେ ହେବାକୁ ଥିବା ଭୋଟ୍ ଗଣନାରେ କରୋନା କଟକଣା ବଜାୟ ରଖିବାକୁ କୋର୍ଟ ନିର୍ବାଚନ କମିସନଙ୍କୁ ନିର୍ଦ୍ଦେଶ ଦିଅନ୍ତୁ। ଏହାର ଶୁଣାଣି କରି ମାଡ୍ରାସ ହାଇକୋର୍ଟର ମୁଖ୍ୟ ବିଚାରପତି ସଞ୍ଜୀବ ବାନାର୍ଜୀ ଓ ବିଚାରପତି ସେନ୍ତିଲକୁମାର ରାମମୂର୍ତ୍ତିଙ୍କୁ ନେଇ ଗଠିତ ଖଣ୍ଡପୀଠରେ ନିର୍ବାଚନ କମିସନଙ୍କ ଉପରେ ବର୍ଷିଥିଲେ।

ନିର୍ବାଚନୀ ପ୍ରଚାର ସମୟରେ କରୋନା ଗାଇଡଲାଇନକୁ ଉଲଙ୍ଘନ କରାଯାଉଥିଲେ ମଧ୍ୟ ନିର୍ବାଚନ କମିସନ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲେ। ତେଣୁ ବର୍ତ୍ତମାନ ଦେଶରେ ବଢ଼ୁଥିବା କରୋନା ସଂକ୍ରମଣ ପାଇଁ ମାଡ୍ରାସ ହାଇକୋର୍ଟ ନିର୍ବାଚନ କମିସନଙ୍କୁ ଦାୟୀ କରିଥିଲେ। ଏଥିସହ ଅଧିକାରୀଙ୍କ ଉପରେ ହତ୍ୟା ମାମଲା ରୁଜୁ ହେବା ଉଚିତ୍ ବୋଲି କହି କଡ଼ା ସମାଲୋଚନା କରିଥିଲେ। ଏହାର ଦିନକ ପରେ ଏଭଳି ନିଷ୍ପତ୍ତି ନେଇଛନ୍ତି ନିର୍ବାଚନ ଆୟୋଗ।

Comment