ଓଡ଼ିଶାଲାଇଭ୍‍ ଏଣ୍ଟରଟେନମେଣ୍ଟ ବ୍ୟୁରୋ

“ସମାଜ ପାଇଁ କିଛି କାମ କରିବା ପାଇଁ ରାଜନୀତିରେ ସାମିଲ ହେବାର ଆବଶ୍ୟକତା ନାହିଁ ନିଃସ୍ୱାର୍ଥ ଭାବେ ଆଜି ସମାଜ ପାଇଁ ଯାହା ବି କରିପାରୁଛି, ସେଥିରେ ମୁଁ ଖୁସି”, ନିକଟରେ ଏକ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ କହିଛନ୍ତି ବଲିଉଡର ମିଷ୍ଟର ପରଫେକ୍ସନିଷ୍ଟ ଅମୀର ଖାନ

ବଲିଉଡରେ କ୍ୟାରିଅର କରିବା ପରେ ଅଭିନେତାମାନେ ରାଜନୀତି ଆଡ଼େ ମୁହାଁଇବା ଏକ ଟ୍ରେଣ୍ଡରେ ପରିଣତ ହେଲାଣି। କିନ୍ତୁ ଏହି ଟ୍ରେଣ୍ଡରେ ସାମିଲ ହେବାକୁ ମନା କରିଦେଇଛନ୍ତି ଅମୀର ଖାନ।

“ରାଜନୀତିରୁ ଦୂରେଇ ରହିବାକୁ ମୁଁ ପସନ୍ଦ କରେ। ସବୁ ଦଳ ସହ ମୋର ବନ୍ଧୁତା ରହିଛି। କୌଣସି ଗୋଟିଏ ଦଳ ସହ ମୁଁ କେବେବି ଯୋଡ଼ି ହୋ‍ଇରହିନାହିଁ କି ଆଗକୁ ଏମିତି ଯୋଡ଼ି ହେବାର ମଧ୍ୟ ସମ୍ଭାବନା ନାହିଁ,” ନିକଟରେ ଏକ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ କହିଛନ୍ତି ଅମୀର।

ପୁନେରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ଅମୀରଙ୍କୁ ତାଙ୍କ ଫିଲ୍ମ ତଥା ରାଜନୀତିରେ ଯୋଗଦେବା ନେଇ କିଛି ପ୍ରଶ୍ନ ପଚରା ଯାଇଥିଲ। ରାଜ୍ୟସଭାରେ ଯୋଗଦେବାର ଆଗକୁ କିଛି ଯୋଜନା ରହିଛି କି ନାହିଁ – ଏହି ପ୍ରଶ୍ନର ଉତ୍ତର ଦେବାକୁ ଯାଇ ଅମୀର କହିଥିଲେ, “ସମାଜ ପାଇଁ କିଛି କାମ କରିବା ପାଇଁ ରାଜନୀତିରେ ସାମିଲ ହେବାର ଆବଶ୍ୟକତା ନାହିଁ। ନିଃସ୍ୱାର୍ଥ ଭାବେ ଆଜି ସମାଜ ପାଇଁ ଯାହା ବି କରିପାରୁଛି, ସେଥିରେ ମୁଁ ଖୁସି”। ପାକିସ୍ଥାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଶପଥ ଗ୍ରହଣ ଉତ୍ସବରେ ଅମୀର ସାମିଲ ହେବେ କି ନାହିଁ ବୋଲି ତାଙ୍କୁ ପ୍ରଶ୍ନ ପଚରାଯିବାରୁ ସେ ଏହାର କୌଣସି ବି ଉତ୍ତର ଦେଇନଥିଲେ।

ସମ୍ପ୍ରତି ଅମୀର ଖାନ ପାନି ଫାଉଣ୍ଡେସନ ସହାୟତାରେ ମହାରାଷ୍ଟ୍ରର ଗ୍ରାମାଞ୍ଚଳରେ ରେନ ୱାଟର ହାର୍ଭେଷ୍ଟିଙ୍ଗ ପାଇଁ କାମ କରୁଛନ୍ତି। ସେ ସେହି କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ପୁନେ ଗସ୍ତରେ ଯାଇଥିଲେ।

Comment