ଓଡ଼ିଶାଲାଇଭ୍‌ ବ୍ୟୁରୋ

ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହୋଇପଡିଛି। ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଛି।

ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଦେଶର ଲୋକପ୍ରିୟ ନେତା ଅଟଳ ବିହାରୀ ବାଜପେୟୀଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର। ଗତ ୪୮ ଘଣ୍ଟା ଧରି ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଚିନ୍ତାଜନକ ରହିଥିବା ଏମ୍ସ ପକ୍ଷରୁ ସୂଚନା ଦିଆଯାଇଛି।

ଏମ୍ସ ପକ୍ଷରୁ ଜାରି ହୋଇଥିବା ହେଲଥ ବୁଲେଟିନରେ କୁହାଯାଇଛି ଯେ, ବାଜପାୟୀଙ୍କ ଅବସ୍ଥା ସଂକଟାପନ୍ନ ରହିଛି ଏବଂ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଛି।

୯୩ ବର୍ଷିୟ ପୂର୍ବତନ ପ୍ରଧାନମନ୍ତ୍ରୀ ଏବଂ ବିଜେପିର ବରିଷ୍ଠ ନେତା ବାଜପେୟୀଙ୍କ କିଡନୀରେ ସଂକ୍ରମଣ, ଛାତି ଯନ୍ତ୍ରଣା, ପରିଶ୍ରାର ପରିମାଣ ମାତ୍ରଧିକ ଭାବରେ କମିଯିବାରୁ ଗତ ଜୁନ୍ ୧୧ରେ ବାଜପେୟୀଙ୍କୁ ଦିଲ୍ଲୀ ସ୍ଥିତ ଏମ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେବେଠାରୁ ବାଜପେୟୀଙ୍କୁ ଅଭିଜ୍ଞ ଡାକ୍ତରଙ୍କ ଦ୍ୱାରା ଚିକିତ୍ସା କରାଯାଉଥିଲା।

ବୁଧବାର ସନ୍ଧ୍ୟା ସମୟରେ ଏମସ୍‌ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପହଞ୍ଚିବା ସହ ଅଟଳ ବିହାରୀ ବାଜପେୟୀଙ୍କ ସ୍ୱାସ୍ଥ୍ୟବସ୍ଥା କଥା ପଚାରି ବୁଝିଥିଲେ।

ମୋଦିଙ୍କ ବ୍ୟତୀତ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ, ଗୃହମନ୍ତ୍ରୀ ରାଜନାଥ ସିଂ, ବିଜେପି ରାଷ୍ଟ୍ରିୟ ଅଧ୍ୟକ୍ଷ ଅମିତ ଶାହା, ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପ୍ରମୁଖ ଦିଲ୍ଲୀ ଏମ୍ସରେ ପହଞ୍ଚି ବାଜପାୟୀଙ୍କ ସ୍ୱାସ୍ଥ୍ୟ ସଂପର୍କିତ ଖବର ବୁଝିଛନ୍ତି।

 

Comment