ଓଡ଼ିଶାଲାଇଭ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ଯଲିଉଡ ଜଗତର ଏକ ବହୁଚର୍ଚ୍ଚିତ ଯାତ୍ରା ନାଟକ ହେଲାଉଷସୀ ମିଶ୍ର ଟାର୍ଗେଟରେ ରାଇମୋହନ ଆସନ୍ତୁ ଜାଣିବା ଯଲିଉଡର ଏହି ଲୋକପ୍ରିୟ ନାଟକ ସମ୍ପର୍କରେ

ଇଷ୍ଟର୍ଣ୍ଣ ବ୍ଲୁ ପକ୍ଷରୁ ମଞ୍ଚସ୍ଥ ହୁଏ ନାଟକ ‘ଉଷସୀ ମିଶ୍ର ଟାର୍ଗେଟରେ ରାଇମୋହନ’। ୨୦୧୫ରେ ଏହି ଯାତ୍ରା ନାଟକଟି ଦର୍ଶକଙ୍କ ଦ୍ୱାରା ବେଶ୍‌ ଆଦୃତ ଲାଭ କରିଥିଲା। ଏହାର ମୁଖ୍ୟ ଆକର୍ଷଣ ହେଲା ଏହି ଯାତ୍ରାର ‘ଟାଇଟଲ୍‌’ ଏବଂ ଏଥିରେ ଦୁଇ ଦକ୍ଷ କଳାକାର ରାଇମୋହନ ଓ ଉଷସୀ ମିଶ୍ରଙ୍କ ଚମକପ୍ରଦ ଅଭିନୟ।

ଏଥର ଆସନ୍ତୁ ଜାଣିବା ଏହି ଚର୍ଚ୍ଚିତ ନାଟକର ସଂକ୍ଷିପ୍ତ କଥାବସ୍ତୁ।

ରାଇମୋହନ ଜଣେ ଦୁର୍ନୀତିଗ୍ରସ୍ତ ବିଲଡର୍‌। ଶାସକ ଦଳର ନେତା ରାଧାରମଣ ରାଉତରାୟଙ୍କ ସହାୟତାରେ ସେ ନିଜର ସାମ୍ରାଜ୍ୟ ବିସ୍ତାର କରେ।

ଅନ୍ୟପକ୍ଷରେ ଜନାର୍ଦ୍ଦନ ମିଶ୍ର ଜଣେ ପ୍ରାଥମିକ ସ୍କୁଲ ଶିକ୍ଷକ। ଜନାର୍ଦ୍ଦନଙ୍କର ଦୁଇ ଝିଅ ଓ ଗୋଟିଏ ପୁଅ। ଏମାନଙ୍କ ମଧ୍ୟରୁ ବଡ଼ଝିଅ ହେଲେ ଉଷସୀ ମିଶ୍ର। ଉଷସୀ ରାଇମୋହନଙ୍କ ଅଫିସରେ କାମ କରନ୍ତି।

ଜାତୀୟ ରାଜପଥକୁ ଲାଗି ଜନାର୍ଦ୍ଦନଙ୍କର ଏକ ଏକର ଜମିଥିଲା। ତାକୁ ଲାଗିକରି ରାଇମୋହନଙ୍କର ୧୦ ଏକର ଜମିଥିଲା। କିନ୍ତୁ ସେହି ଜମିକୁ ରାସ୍ତା ନଥିଲା। ଏଣୁ ସେ ଚାହୁଁଥିଲେ ଜନାର୍ଦ୍ଦନଙ୍କ ଜମି ହାତେଇନେବା ପାଇଁ। ସେହି ଜମି ଉପରେ ବହୁଦିନ ଧରି ନଜର ଥିଲା ରାଇମୋହନଙ୍କର। ସେଥିପାଇଁ ରାଇମୋହନ ଉଷସୀଙ୍କୁ ନିଜ ପ୍ରେମ ଫାସରେ ପକାଇବା ଲାଗି ଚାହୁଁଥିଲେ, ହେଲେ ତାହା ସମ୍ଭବ ହୋଇପାରୁନଥିଲା।

ଘଟଣାକ୍ରମେ ଜନାର୍ଦ୍ଦନ ମିଶ୍ରଙ୍କ ପେଟରେ ଟ୍ୟୁମର୍‌ ବାହାରେ। ଏହାର ଚିକିତ୍ସା ଲାଗି ପ୍ରଚୁର ଟଙ୍କା ଆବଶ୍ୟକ ପଡ଼େ। ଏତେ ଟଙ୍କା କେଉଁଠୁ ଆସିବ ବୋଲି ଜନାର୍ଦ୍ଦନ ଓ ତାଙ୍କ ପରିବାର ଚିନ୍ତାରେ ଥିବା ବେଳେ ସେମାନଙ୍କୁ ସହାୟତାର ହାତ ବଢ଼ାନ୍ତି ରାଇମୋହନ। ସେ ଜନାର୍ଦ୍ଦନଙ୍କର ଚିକିତ୍ସା ପାଇଁ ଆବଶ୍ୟକୀୟ ସବୁ ଅର୍ଥ ଦିଅନ୍ତି।

ଏହାପରେ ଜନାର୍ଦ୍ଦନ ସୁସ୍ଥ ହୁଅନ୍ତି। ଏଥିରେ ଉଷସୀ ରାଇମୋହନଙ୍କର ପ୍ରତି ଆକର୍ଷିତ ହୁଅନ୍ତି। ଖାଲି ସେତିକି ନୁହେଁ ରାଇମୋହନ ଉଷସୀଙ୍କୁ ଭଲ ପାଇବାର ଛଳନା କରି ତାଙ୍କ ସହିତ ଶାରୀରିକ ସମ୍ପର୍କ ରଖନ୍ତି। ସମୟକ୍ରମେ ଉଷସୀ ମିଶ୍ର ଗର୍ଭବତୀ ହୁଅନ୍ତି।

ବିବାହର ପ୍ରତିଶ୍ରୁତି ଦେଇଥିବା ରାଇମୋହନ କିନ୍ତୁ ଗର୍ଭବତୀ ହେବା ପରେ ଉଷସୀଙ୍କୁ ପ୍ରତାରଣା କରନ୍ତି। ଏହାକୁ ନେଇ ବିଚଳିତ ହୁଅନ୍ତି ଉଷସୀ। ସେ ଭାବନ୍ତି ଗର୍ଭପାତ କରାଇଦେବେ, ହେଲେ ତାହା ଆଉ ସମ୍ଭବ ନୁହେଁ ବୋଲି ଡାକ୍ତର କହନ୍ତି।

ଏପରି ସମୟରେ ବାବୁ ନାମକ ଜଣେ ଯୁବକଙ୍କ ସହିତ ଦେଖାହୁଏ ଉଷସୀଙ୍କର। ସେ ଉଷସୀଙ୍କଠାରୁ ତାଙ୍କର ଦୁଃଖ କଥା ଜାଣନ୍ତି। ଏହାପରେ ସେ ଉଷସୀଙ୍କ ସହାୟତା କରିବାକୁ ଆଗେଇ ଆସନ୍ତି।

ବାବୁ ଉଷସୀଙ୍କ ନକଲି ସ୍ୱାମୀ ସାଜି ଡାକ୍ତରଙ୍କ ପାଖକୁ ଯାଆନ୍ତି। ଏହାପରେ ଉଷସୀ ଅସ୍ତ୍ରୋପଚାର ପରେ ଏକ ପୁତ୍ର ସନ୍ତାନଙ୍କୁ ଜନ୍ମ ଦିଅନ୍ତି। ବାବୁ ନିଜ ପାଖରେ ସେହି ଶିଶୁ ପୁତ୍ରକୁ ରଖି ତା’ର ଲାଳନପାଳନର ଦାୟିତ୍ୱ ନିଅନ୍ତି। ତେଣେ ଉଷସୀ ଘରକୁ ଚାଲିଯାଆନ୍ତି।

ଏହା ପରେ ଉଷସୀ ମିଶ୍ର ରାଇମୋହନର ଦୁର୍ନୀତିର ପର୍ଦ୍ଦାଫାସ କରିବା ଲାଗି ବାବୁଙ୍କ ସହିତ ହାତ ମିଳାନ୍ତି। ଉଷସୀ ମିଶ୍ର ତାଙ୍କ ଉପରେ ହୋଇଥିବା ଅନ୍ୟାୟର ପ୍ରତିଶୋଧ ନେବା ପାଇଁ ସଂକଳ୍ପ କରନ୍ତି। ଏଣୁ ଉଷସୀ ମିଶ୍ରଙ୍କ ଟାର୍ଗେଟରେ ରହନ୍ତି ରାଇମୋହନ। ଦୁହିଁଙ୍କ ଭିତରେ ଜବରଦସ୍ତ ଟକ୍କର ହୁଏ। ତେବେ ଶେଷରେ ରାଇମୋହନଙ୍କ ପାଖରେ ହାର୍‌ ମାନନ୍ତି ଉଷସୀ ମିଶ୍ର ନା ରାଇମୋହନଙ୍କୁ ହତ୍ୟା କରନ୍ତି ଉଷସୀ, ଏହି ରହସ୍ୟ ଉନ୍ମୋଚିତ ହୁଏ ଯାତ୍ରାର ଅନ୍ତିମ ପର୍ଯ୍ୟାୟରେ।

ଏହି ଲୋକପ୍ରିୟ ଯାତ୍ରା ରଚୟିତା ହେଲେ କୈଳାସ ମଲ୍ଲିକ। ଜଣାଶୁଣା ଯଲିଉଡ ନିର୍ଦ୍ଦେଶକ ଅଶ୍ରୁମୋଚନ ଏହାର ନିର୍ଦ୍ଦେଶନା ଦେଇଥିଲେ।

Comment