ଓଡ଼ିଶାଲାଇଭ୍‍ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ଓଲିଉଡର ତିନି ଲୋକପ୍ରିୟ ଅଭିନେତ୍ରୀ ହେଲେ ମହାଶ୍ୱେତା, ଅପରାଜିତା ଅନୀତା ଦାସ ହେଲେ ଜାଣନ୍ତି କି ଏହି ପପୁଲାର ନାୟିକାଙ୍କୁ କେଉଁ ଚରିତ୍ରରେ ଦର୍ଶକମାନେ ପସନ୍ଦ କରିନଥିଲେ

ମହାଶ୍ୱେତା

‘ଶେଷ ଶ୍ରାବଣ’ରୁ ନାୟିକା ଭାବେ ଓଲିଉଡରେ ପ୍ରବେଶ କରିଥିବା ମହାନାୟିକା ମହାଶ୍ୱେତା ଏବେ ବି ଅଭିନୟରେ ସକ୍ରିୟ। ସେ ଅନେକ ପପୁଲାର ସିନେମାରେ ଅଭିନୟ କରିଛନ୍ତି। ହେଲେ ଆପଣ ଜାଣନ୍ତି କି ଦର୍ଶକ ତାଙ୍କୁ ଗୋଟିଏ ଓଡ଼ିଆ ସିନେମାରେ ପସନ୍ଦ କରିନଥିଲେ। ଏହି ଓଡ଼ିଆ ସିନେମା ହେଲା ‘ସାବତ ମା’।

ଶିଶିର ମିଶ୍ରଙ୍କ ନିର୍ଦ୍ଦେଶିତ ଏହି ଓଡ଼ିଆ ଛବିରେ ମହାଶ୍ୱେତା ଥିଲେ ଶୀର୍ଷକ ଭୂମିକାରେ। ଏହା ସମ୍ପୂର୍ଣ୍ଣ ନେଗେଟିଭ୍‌ ରୋଲ୍ ଥିଲା। ଯେଉଁ ମହାଶ୍ୱେତାଙ୍କୁ ସବୁବେଳେ ପଜିଟିଭ୍‌ ରୋଲରେ ଦେଖିଆସୁଥିଲେ ଦର୍ଶକ, ସେମାନେ ହଠାତ୍‌ ‘ସାବତ ମା’ ରୂପରେ ତାଙ୍କୁ ଗ୍ରହଣ କରିପାରିଲେ ନାହିଁ। ଆଉ ଏକ ବଡ଼ କଥା ହେଲା ଯେ ସାବତ ମା’ ପୂର୍ବରୁ ମହାଶ୍ୱେତା ‘ବୋଉ’ ସିନେମାରେ ମମତାମୟୀ ମା’ର ଭୂମିକାରେ ଅଭିନୟ କରିଥିଲେ। ପରିଣାମ ସ୍ୱରୂପ ‘ସାବତ ମା’ ସିନେମାଟି ଫ୍ଲପ୍ ହୋଇଥିଲା।

ଏହି ଚଳଚ୍ଚିତ୍ରରେ ଅନୁଚୌଧୁରୀ, ବର୍ଷା ପ୍ରିୟଦର୍ଶିନୀ, ଶ୍ରୀତମ ଦାସ, ଦୀପକ ପରିଡ଼ା, ବିଜୟ ମହାନ୍ତି, ପ୍ରଦ୍ୟୁମ୍ନ ଲେଙ୍କା ଓ ହର ପଟ୍ଟନାୟକ ପ୍ରମୁଖ ମୁଖ୍ୟ ଚରିତ୍ରରେ ନଜର ଆସିଥିଲେ।

ଅପରାଜିତା

କେବେ ଫୁଲ ଓ ନିରୂପମା ତ ପୁଣି କେବେ ତୁଳସୀ ସାଜି ପରଦାରେ ଦର୍ଶକଙ୍କ ହୃଦୟରେ ଖାସ୍‌ ସ୍ଥାନ ଅକ୍ତିଆର କରିଥିବା ଅପରାଜିତା ବି ଗତ ୩୭ ବର୍ଷ ଧରି ଓଲିଉଡରେ ରାଜ୍ କରୁଛନ୍ତି। ସେ ବହୁ ହିଟ୍‌ ସୁପରହିଟ୍‌ ଫିଲ୍ମ ବି ଦେଇଛନ୍ତି। ହେଲେ ଅପରାଜିତାଙ୍କୁ ଦର୍ଶକମାନେ ଗୋଟିଏ ସିନେମାରେ ପସନ୍ଦ କରିନଥିଲେ। ଏହି ଚଳଚ୍ଚିତ୍ର ହେଲା ମହମ୍ମଦ ମହସୀନଙ୍କ ନିର୍ଦ୍ଦେଶିତ ‘ଧର୍ମ ସହିଲେ ହେଲା’।

ଏହି ସିନେମାରେ ଅପରାଜିତାଙ୍କୁ ରଚନାଙ୍କ ସାବତ ମା’ ଭୂମିକାରେ ଦେଖିବାକୁ ମିଳିଥିଲା। ଏହା ଏକ ନକରାତ୍ମକ ଭୂମିକା ଥିଲା। ଦର୍ଶକମାନେ ତାଙ୍କୁ ଏଭଳି ଭୂମିକାରେ ପସନ୍ଦ କରିନଥିଲେ।

ଅନୀତା ଦାସ

ଓଲିଉଡରେ ଦିବଂଗତ ଅଭିନେତ୍ରୀ ଅନୀତା ଦାସ ତାଙ୍କର ସୁଦୀର୍ଘ କ୍ୟାରିଅର୍‌ ଭିତରେ ଅନେକ ଓଡ଼ିଆ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ। ତାଙ୍କୁ ଦର୍ଶକ ନାୟିକା, ସହନାୟିକା, ଖଳନାୟିକା ଓ ଚରିତ୍ର ଅଭିନେତ୍ରୀ ଭାବେ ପରଦା ଉପରେ ଦେଖିଛନ୍ତି। ସେ ସବୁପ୍ରକାରର ଭୂମିକାକୁ ନ୍ୟାୟ ଦେଇ ଜୀବନ୍ତ ଅଭିନୟ କରିଥିଲେ।

ଅନୀତା ଦାସଙ୍କୁ ସିନେପ୍ରେମୀ ମମତାମୟୀ ମା’ ଓ ଭାଉଜ ଭୂମିକାରେ ସବୁଠାରୁ ବେଶୀ ପସନ୍ଦ କରିଥିଲେ। ହେଲେ ଆପଣ କ’ଣ ଜାଣନ୍ତି କି ସେ ଏକ ଓଡ଼ିଆ ଚଳଚ୍ଚିତ୍ରରେ ବେଶ୍ୟା ଭୂମିକାରେ ଅଭିନୟ କରିଥିଲେ! ଏହି ଭୂମିକାକୁ ପସନ୍ଦ କରିନଥିଲେ ଦର୍ଶକ।

ଦିବଙ୍ଗତ ଅଭିନେତ୍ରୀ ଅନୀତା ଦାସ ‘ପାପପୁଣ୍ୟ’ରେ ଚଳଚ୍ଚିତ୍ରରେ ଦେହଜୀବୀ ଭୂମିକା ନିଭାଇଥିଲେ। ତେବେ ଖୁସିରେ ଏଇ ଘୃଣ୍ୟ ବୃତ୍ତିକୁ ଆପଣାଇ ନଥିଲେ। କାହାଣୀ ଅନୁଯାୟୀ ଅନୀତା ନିଜ ସାନ ଭାଇକୁ ବଡ଼ ମଣିଷ କରିବା ପାଇଁ ଅନ୍ୟ ଉପାୟ ନ ପାଇ ଦେହ ବ୍ୟବସାୟରେ ଲିପ୍ତ ହୋଇଥିଲେ। ସେ ଏକ ବେଶ୍ୟାଳୟରେ ରହୁଥିଲେ। ସେ ଏହି କାମରେ ପ୍ରଚୁର ଅର୍ଥ ରୋଜଗାର କରି ଇଞ୍ଜିନିୟରିଂ ପଢ଼ୁଥିବା ସାନ ଭାଇ ପାଖକୁ ଟଙ୍କା ପଠାଉଥିଲେ।

ଏହି କାମକୁ ସେ ଅତ୍ୟନ୍ତ ଗୋପନୀୟତାର ସହିତ କରୁଥିଲେ। କିନ୍ତୁ ଏକଥା ଲୁଚି ରହେନା। ଦିନେ ସାନଭାଇ ସତକଥା ଜାଣିପାରେ। ତା’ପରେ ଭାଇ-ଭଉଣୀର ପବିତ୍ର ସମ୍ପର୍କରେ କିଭଳି ଝଡ ଉଠେ, ତାହା ଦେଖିବାକୁ ମିଳିଥିଲା ସିନେମା ‘ପାପପୁଣ୍ୟ’ରେ।

ଦେବବ୍ରତ କରଙ୍କ ପ୍ରଯୋଜିତ ‘ପାପପୁଣ୍ୟ’ ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଥିଲେ ସିଦ୍ଧାର୍ଥ। ଏଥିରେ ଅନୀତା ଦାସଙ୍କ ସାନଭାଇ ଭୂମିକାରେ ଅଭିନୟ କରିଥିଲେ ଉତ୍ତମ ମହାନ୍ତି। ଏହି ଚଳଚ୍ଚିତ୍ରରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଓଡ଼ିଆ ସଙ୍ଗୀତ ଜଗତର ବାଦଶାହା ଅକ୍ଷୟ ମହାନ୍ତି।

Comment