ଓଡ଼ିଶାଲାଇଭ୍‍ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ଓଲିଉଡର ଚୁଲୁବୁଲି ନାୟିକା ଏଲିନା ସାମନ୍ତରାୟଙ୍କ ସମ୍ପର୍କରେ ଗୋଟିଏ କଥା ଦୀର୍ଘ ଦିନ ଧରି ଚର୍ଚ୍ଚା ହେଉଥିଲା ଯେ ସେ ଆଉ ଅରିନ୍ଦମ୍ ରାୟଙ୍କ ସହିତ କୌଣସି ଫିଲ୍ମରେ କାମ କରିବେ ନାହିଁ ହେଲେ ଏବେ ଦୁହେଁ ପୁଣି ଏକାଠି ଆସୁଛନ୍ତି

୨୦୧୫ରେ ଏଲିନା ଓଲିଉଡର ଲୋକପ୍ରିୟ ନାୟକ ଅରିନ୍ଦମଙ୍କ ବିପକ୍ଷରେ ହିଁ ନାୟିକା ସାଜି ଡେବ୍ୟୁ କରିଥିଲେ। ଅରିନ୍ଦମ-ଏଲିନା ଯୋଡ଼ିଙ୍କର ଏହି ସିନେମାର ଶୀର୍ଷକ ହେଲା ‘ଇସ୍କ ତୁ ହି ତୁ’। ତାପସ ସରଘରିଆଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମକୁ ଅବଶ୍ୟ ବେଶି ସଫଳତା ମିଳିନଥିଲା।

‘ଇସ୍କ ତୁ ହି ତୁ’ ରିଲିଜ୍ ହେବା ପରେ ଅରିନ୍ଦମ ଓ ଏଲିନାଙ୍କୁ ନେଇ ଚର୍ଚ୍ଚା ହୋ‍ଇଥିଲା ଯେ ଆଉ ଏ ଦୁହେଁ ଏକାଠି କାମ କରିବେ ନାହିଁ। କିନ୍ତୁ ପରେ ଏକ ସାକ୍ଷାତକାରରେ ଅବଶ୍ୟ ଏଲିନା ଏହି କଥାକୁ ଅସ୍ୱୀକାର କରିଥିଲେ।

ଏବେ ପୁଣି ଅରିନ୍ଦମ ଓ ଏଲିନା ଏକାଠି କାମ କରୁଛନ୍ତି। ନିଜେ ଅରିନ୍ଦମ ହିଁ ଏଲିନାଙ୍କୁ ନିଜ ପ୍ରଯୋଜିତ ନୂଆ ସିନେମାରେ ନାୟିକାଭାବେ ମନୋନୀତ କରିଛନ୍ତି। ରତ୍ନା ଫିଲ୍ମସ ବ୍ୟାନରରେ ନିର୍ମିତ ହେଉଛି ଅରିନ୍ଦମ- ଏଲିନା ଯୋଡ଼ିର ଦ୍ୱିତୀୟ ସିନେମା। ଏହି ସିନେମାର ଶୁଭ ମହୁରତ୍ ଇତିମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। ଏହାର ସୁଟିଂ ବି ଆରମ୍ଭ ହୋଇଯାଇଛି।

ଏହି ସିନେମାର ନିର୍ଦ୍ଦେଶନା ଦେଇଛନ୍ତି ଜ୍ୟୋତି ଦାସ। ସେ ଏହାପୂର୍ବରୁ ‘ତୋ ବିନା ଭଲ ଲାଗେନା’, ‘ଗୁଡବୟ’, ‘ଶୁଭବିବାହ’ ଏବଂ ‘ଅଶୋକ ସମ୍ରାଟ୍’ ଆଦି ସିନେମାରେ ନିର୍ଦ୍ଦେଶନା ଦେଇଥିଲେ। ଏହି ଓଡ଼ିଆ ଚଳଚ୍ଚିତ୍ର ପୂର୍ବରୁ ଅରିନ୍ଦମ ରାୟ ‘କଳ୍‌କୀ’ ଏବଂ ‘ଶିବା ନଟ୍ ଆଉଟ୍‌’ ସିନେମାର ପ୍ରଯୋଜନା କରିଥିଲେ।

ଏଥର ଅରିନ୍ଦମ୍-ଏଲିନାଙ୍କ ଯୋଡ଼ିକୁ ଦର୍ଶକ କିଭଳି ଭାବେ ଗ୍ରହଣ କରୁଛନ୍ତି, ତାହା ଦେଖିବାକୁ ବାକି ରହିଲା।

ଓଲିଉଡରେ ଏବେ ସବୁଠାରୁ ଅଧିକ ସିନେମାରେ ଅଭିନୟ କରୁଥିବା ନାୟିକା କିଏ ବୋଲି ପ୍ରଶ୍ନ କଲେ, ନିଶ୍ଚିତ ଭାବେ ଉତ୍ତର ମିଳିବ ଗୋଟିଏ ନାଁ। ଏହି ନାଁଟି ହେଲା ଏଲିନା ସାମନ୍ତରାୟଙ୍କର। ଏଲିନାଙ୍କ ହାତରେ ଏବେ ଫିଲ୍ମ ପରେ ଫିଲ୍ମର ଅଫର୍‌।

ଏ ବର୍ଷର ପ୍ରଥମ ସାତ ମାସ ଭିତରେ ଏଲିନାଙ୍କର ତିନିଟି ଓଡ଼ିଆ ସିନେମା ରିଲିଜ୍‌ ହୋଇସାରିଲାଣି। ଏଲିନାଙ୍କ ଅଭିନୀତ ‘ହାପିଲକି’, ‘ଫୋର୍ ଇଡିଅଟ୍ସ’ ଓ ‘ଟୋକାଟା ଫସିଗଲା’ ମୁକ୍ତିଲାଭ କରିଛି।

ଏବେ ଏଲିନାଙ୍କ ହାତରେ ରହିଛି ଏକ ନୂଆ ସିନେମା। ରତ୍ନା ଫିଲ୍ମସ ବ୍ୟାନରରେ ନିର୍ମିତ ଏହି ସିନେମାରେ ଏଲିନାଙ୍କୁ ମିଳିଛି ପୁଣି ଏକ ମନପସନ୍ଦର ଭୂମିକା।

ଏଲିନାଙ୍କ ଅନୁଯାୟୀ ଏଥିରେ ତାଙ୍କ ଚରିତ୍ରଟି ଏକଦମ୍ ରୋମାଣ୍ଟିକ୍। ଜଣେ ଯୁବତୀ ଯେଉଁଭଳି ସୁନ୍ଦର ଯୁବକଙ୍କୁ ନିଜର ଜୀବନସାଥୀ ବା ମନର ମଣିଷ ଭାବେ ଗ୍ରହଣ କରିବାକୁ ଚାହେଁ, ସେଭଳି ଯୁବକ ତାଙ୍କୁ ମିଳିଯାଇଛନ୍ତି। ଜଣେ ଚାର୍ମିଂ ହ୍ୟାଣ୍ଡସମ୍‌ ଯୁବକର ପ୍ରେମରେ ପଡ଼ିଲା ପରେ ଜଣେ ଯୁବତୀର ଜୀବନରେ କିଭଳି ସବୁ ଘଟଣା ଘଟେ, ତାହା ସିନେମାର ମୁଖ୍ୟ ପ୍ରସଙ୍ଗ। ତେବେ ଏହି ଚଳଚ୍ଚିତ୍ରରେ ଅରିନ୍ଦମ ଓ ଏଲିନାଙ୍କ ରୋମାନ୍ସ ସାଙ୍ଗକୁ ଜବରଦସ୍ତ ଆକସନ୍‌ ଓ କମେଡି ଅଛି ବୋଲି ନିର୍ଦ୍ଦେଶକ ଜ୍ୟୋତି ଦାସ ସୂଚନା ଦେଇଛନ୍ତି।

ରତ୍ନା ଫିଲ୍ମସ ବ୍ୟାନରରେ ନିର୍ମିତ ଏହି ଫିଲ୍ମଟି ଆଗାମୀ ଗଣେଶ ପୂଜା ଅବସରରେ ରିଲିଜ୍‌ ହେବ ବୋଲି କୁହାଯାଉଛି। ଏଥିରେ ଏଲିନା ପୁଣି କମାଲ୍ ଦେଖାଉଛନ୍ତି କି ନାହିଁ, ତାହା ଫିଲ୍ମ ରିଲିଜ୍‌ ହେବା ପରେ ଜଣାଯିବ।

Comment