ଓଡ଼ିଶାଲାଇଭ୍‌ ବ୍ୟୁରୋ

ତାରକା ରେସଲର ବଜରଙ୍ଗ ପୁନିଆ ଏସିଆନ ଗେମ୍ସରେ ଭାରତ ଲାଗି ପ୍ରଥମ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି।

ଇଣ୍ଡୋନେସିଆର ଜାକର୍ତ୍ତା ଠାରେ ଚାଲିଥିବା ୧୮ଶ ଏସିଆଡ଼ରେ ଭାରତ ପ୍ରଥମ ସ୍ବର୍ଣ୍ଣ ପଦକ ଜିତିଛି। ପୁରୁଷ କୁସ୍ତିରେ ବଜରଙ୍ଗ ପୁନିଆ ଭାରତ ପାଇଁ ଏହି ସ୍ବର୍ଣ୍ଣ ପଦକ ଜିତିଛନ୍ତି।

ପୁରୁଷ ଫ୍ରିଷ୍ଟାଇଲ କୁସ୍ତିର ୬୫କେଜି ବିଭାଗରେ ବଜରଙ୍ଗ ସ୍ୱର୍ଣ୍ଣପଦକ ଜିତିଛନ୍ତି। ରବିବାର ଖେଳା ଯାଇଥିବା ଫାଇନାଲ ମୁକାବିଲାରେ ବଜରଙ୍ଗ ପୂର୍ବତନ ବିଶ୍ୱ ଚମ୍ପିଆନ୍‍ ଜାପାନର ତାକାତାନି ଦାଇଚିଙ୍କୁ ୧୧-୮ ପଏଣ୍ଟରେ ପରାସ୍ତ କରିଛନ୍ତି। ଗତ ଗୋଲ୍‍ଡକୋଷ୍ଟ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ବଜରଙ୍ଗ ସ୍ୱର୍ଣ୍ଣପଦକ ଜିତିଥିବା ବେଳେ ଏସୀୟ କ୍ରୀଡ଼ାରେ ଉକ୍ତ କୃତିତ୍ୱ ବଜାୟ ରଖିଛନ୍ତି।

ଶୁଟିଂରେ ଅପୂର୍ବୀ ଚାଣ୍ଡିଲା ଓ ରବି କୁମାର ବ୍ରୋଞ୍ଜ୍‌ ଜିତି ଭାରତ ପାଇଁ ଖାତା ଖୋଲିବା ପରେ ବଜରଙ୍ଗ ଏହି ସଫଳତା ଅର୍ଜନ କରି ଇତିହାସ ସୃଷ୍ଟି କରିଛନ୍ତି। ଫଳରେ ଭାରତୀୟ ଶିବିରରେ ହସ ଖେଳିଯାଇଛି। ଜବରଦସ୍ତ ଫର୍ମରେ ଥିବା ବଜରଙ୍ଗ ଏଥିସହିତ ଏସିଆନ ଗେମ୍ସରେ କ୍ୟାରିୟର ପ୍ରଥମ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି।

ବଜରଙ୍ଗ ପୁନିଆ ୧୮ଶ ଏସୀୟ କ୍ରୀଡ଼ାରେ ଦେଶକୁ ପ୍ରଥମ ସ୍ୱର୍ଣ୍ଣପଦକ ଜିତାଇବା ପରେ ଚାରିଆଡ଼ୁ ତାଙ୍କ ପ୍ରତି ଅଭିନନ୍ଦନର ସୁଅ ଛୁଟିବାରେ ଲାଗିଛି।

ଏସିଆନ୍‌ ଗେମ୍ସରେ ଅଂଶଗ୍ରହଣ କରିବା ପୂର୍ବରୁ ବଜରଙ୍ଗ କ୍ରମାଗତ ୩ଟି ଟୁର୍ଣ୍ଣାମେଣ୍ଟରେ ବିଜୟୀ ହୋଇଥିଲେ ଓ ଶ୍ରେଷ୍ଠ ଫର୍ମରେ ଥିବାର ସୂଚନା ଦେଇଥିଲେ।

ଏସିଆନ ଗେମ୍ସ ପୂର୍ବରୁ ସେ ରାଜ୍ୟଗୋଷ୍ଠୀ କ୍ରୀଡ଼ା, ଟିବିଲିସ ଗ୍ରାଣ୍ଡପ୍ରିକ୍ସ ଓ ୟାସାର ଡୋଗୁ ଆନ୍ତର୍ଜାତିକ ଇଭେଣ୍ଟରେ ମଧ୍ୟ ସ୍ବର୍ଣ୍ଣ ଜିତିଥିଲେ। ହରିୟାଣାର ଏହି ୨୪ ବର୍ଷିୀୟ ରେସଲର ଫାଇନାଲ ସମ୍ପୂର୍ଣ୍ଣ ରୂପେ ଆଧିପତ୍ୟ ବିସ୍ତାର କରି ଖେଳିଥିଲେ।

ଅନ୍ୟ ଭାରତୀୟ ରେସଲର ଅଭିଜ୍ଞ ସୁଶୀଲ କୁମାର (୭୪ କେ.ଜି.), ସନ୍ଦୀପ ତୋମାର (୫୭), ମୌସମ ଖାତ୍ରୀ (୯୭) ଓ ପବନ କୁମାର (୮୬ )ରେ ଭଲ ପ୍ରଦର୍ଶନ କରିବେ ବୋଲି ଆଶା କରାଯାଉଥିଲେ ମଧ୍ୟ ଏମାନେ ଶେଷରେ ବିଫଳ ହୋଇଛନ୍ତି।

Comment