ଓଡ଼ିଶାଲାଇଭ୍‌ ବ୍ୟୁରୋ

ରାଜ୍ୟ ସରକାର ତାଙ୍କ ପ୍ରତିଶ୍ରୁତି ପୂରଣ କରି ନଥିବାରୁ ବିଭାଗୀୟ ମୁଖ୍ୟ ସେକ୍‌ସନ୍ ଅଫିସର ସଂଘ ଏବଂ ଅମଲା ସଂଘ ପକ୍ଷରୁ କଲମଛାଡ଼ ଆନ୍ଦୋଳନ କରାଯାଇଛି। ୧୬ ତାରିଖଠାରୁ କର୍ମଚାରୀମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି। କ୍ୟାଡର ପୁନର୍ଗଠନ ସମ୍ପର୍କରେ ନିଷ୍ପତ୍ତି ନିଆ ନଗଲେ ଆନ୍ଦୋଳନ ପ୍ରତ୍ୟାହାର ହେବ ନାହିଁ ବୋଲି ସଂଘ ପକ୍ଷରୁ କୁହାଯାଇଛି।

୨୦୦୮ରେ କ୍ୟାଡର ପୁନର୍ଗଠନ କରି ସରକାର ଅମଲାମାନଙ୍କର ଦରମା ବଢ଼ାଇଥିଲେ। ହେଲେ ବିଭାଗୀୟ ମୁଖ୍ୟ ଦପ୍ତରର କର୍ମଚାରୀମାନଙ୍କୁ ଏଥିରୁ ବଞ୍ଚିତ କରାଯାଇଥିଲା। ବିଭିନ୍ନ ସମୟରେ ସଂଘ ଏହାର ପ୍ରତିବାଦ କରି ଆସୁଛି। ୨୦୧୬ରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ତିନି ମାସ ଭିତରେ ଦାବି ସମାଧାନ କରାଯିବ ବୋଲି ପ୍ରତିଶ୍ରୁତି ଦିଆଗଲା। ହେଲେ ନିର୍ଦ୍ଧାରିତ ସମୟ ଭିତରେ ଦାବି ପୂରଣ ନହେବାରୁ ସଂଘ ପୁଣି ଆନ୍ଦୋଳନ କରିଥିଲା।

ଶେଷରେ ମୁଖ୍ୟ ଦପ୍ତର ଅମଲାମାନଙ୍କର କ୍ୟାଡର ପୁନର୍ଗଠନ ଓ ତିନୋଟି ଦାବି ପୂରଣ କରାଯିବ ବୋଲି ଲିଖିତ ପ୍ରତିଶ୍ରୁତି ଦେଇଥିଲେ ସରକାର। କିନ୍ତୁ ତାହା ଏପର୍ଯ୍ୟନ୍ତ ପୂରଣ ହୋଇପାରିଲା ନାହିଁ। ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ ହେଁ ପ୍ରଶାସନିକ ଅଧିକାରୀ ଏହାକୁ ଲାଗୁ କରି ନାହାନ୍ତି। ଫଳରେ ଅମଲା ସଂଘ ଆନ୍ଦୋଳନକୁ ଓହ୍ଲାଇଛି।

Comment