ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ରାଜ୍ୟ କ୍ୟାବିନେଟ ବୈଠକରେ ଗୁରୁତ୍ଵପୁର୍ଣ୍ଣ ନିଷ୍ପତ୍ତି
  • ଓଡ଼ିଶାରେ ଗଠନ ହେବ ବିଧାନ ପରିଷଦ ଗଠନ ହେବ
  • ବିଧାନ ପରିଷଦ ଗଠନ ପାଇଁ ବିଧାନସଭାରେ ଆସିବ ସଂକଳ୍ପ
  • ଆଗାମୀ ମୌସୁମୀ ଅଧିବେଶନରେ ଆସିବ ସଂକଳ୍ପ
  • ତେଲେଙ୍ଗାନା ଶୈଳୀରେ ଗଠନ ହେବ ଓଡ଼ିଶା ବିଧାନ ପରିଷଦ
  • ବିଧାନ ପରିଷଦରେ ମୋଟ  ୪୯ଜଣ ସଦସ୍ୟ ରହିବେ
  • ଏଥିପାଇଁ ୩୫ କୋଟି ଟଙ୍କା ଖର୍ଚ୍ଚ ହେବ

ଓଡ଼ିଶାରେ ଗଠନ ହେବ ବିଧାନ ପରିଷଦ। ବିଧାନ ପରିଷଦ ଗଠନ ପାଇଁ ଆଉ ପାଦେ ଆଗେଇଛନ୍ତି ସରକାର। ଶୁକ୍ରବାର ଦିନ ବସିଥିବା କ୍ୟାବିନେଟ ବୈଠକରେ ବିଧାନ ପରିଷଦ ଗଠନକୁ ମିଳିଲା କ୍ୟାବିନେଟ୍ ମଞ୍ଜୁରୀ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ଗୁରୁତ୍ଵପୂର୍ଣ୍ଣ କ୍ୟାବିନେଟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।

ସେପ୍ଟେମ୍ବର ୪ ତାରିଖରୁ ଆରମ୍ଭ ହେଉଥିବା ମୌସୁମି ଅଧିବେଶନରେ ବିଧାନ ପରିଷଦ ଗଠନ ହେବା ନେଇ ଏକ ସଂକଳ୍ପ ପାସ୍ କରାଯିବ।

୨୦୧୪ ମସିହା ଜାନୁଆରି ୭ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଧାନ ପରିଷଦ ଗଠନ ପାଇଁ ଏକ କମିଟି ଗଠନ କରିଥିଲେ। ନୃଶିଂହ ଚରଣ ସାହୁଙ୍କ ନେତୃତ୍ଵରେ ଗଠିତ ଏହି କମିଟି ଅତୀତରେ ବିହାର, କର୍ଣ୍ଣାଟକ, ମହାରାଷ୍ଟ୍ର ଓ ତେଲେଙ୍ଗାନା ରାଜ୍ୟ ଗସ୍ତ କରି ସେଠାରେ ଥିବା ବିଧାନ ପରିଷଦ ଗଠନ ବିଷୟରେ ଅନୁଧ୍ୟାନ କରିଥିଲେ। ଅନୁଧ୍ୟାନ ପରେ ଏକ ରିପୋର୍ଟ ରାଜ୍ୟ ସରକାରଙ୍କୁ ଦେଇଥିଲା ଏହି କମିଟି।

ତେଲେଙ୍ଗାନା ଶୈଳୀରେ ଗଠନ ହେବ ଓଡ଼ିଶା ବିଧାନ ପରିଷଦ। ବିଧାନ ପରିଷଦରେ ମୋଟ  ୪୯ଜଣ ସଦସ୍ୟ ରହିବେ। ୧୬ ଜଣଙ୍କୁ ନିର୍ବାଚିତ କରିବେ ବିଧାୟକ। ୧୬ ଜଣଙ୍କୁ ବାଛିବେ ପଞ୍ଚାୟତ ଓ ପୌର ପରିଷଦ ପ୍ରତିନିଧି। ୮-୯ ଜଣଙ୍କୁ ମନୋନୀତ କରିବେ ରାଜ୍ୟପାଳ।

“ଆସନ୍ତା ବିଧାନସଭାରେ ବିଧାନ ପରିଷଦ ଗଠନ ନେଇ ଏକ ସଙ୍କଳ୍ପ ଗୃହିତ ହେବ। ଏହାପରେ ପାଲ୍ୟାମେଣ୍ଟରେ ଅନୁମୋଦନ ପାଇଁ ପଠାଯିବ। ବିଧାନସଭା ସଦସ୍ୟ ପରି ବିଧାନ ପରିଷଦର ସଦସ୍ୟମାନେ ସମାନ ସୁବିଧା ପାଇବେ। ଏଥିପାଇଁ ୩୫ କୋଟି ଟଙ୍କା ଖର୍ଚ୍ଚ ହେବ। ପୁରୁଣା ବିଧାନସୌଧରେ ବିଧାନ ପରିଷଦର ସଭାକାର୍ଯ୍ୟ ଅନୁଷ୍ଠିତ ହେବ। ସମ୍ବିଧାନର ୧୬୯ ଧାରା ଅନୁସାରେ ବିଧାନ ପରିଷଦ ଗଠନ ହେବ। ସମ୍ବିଧାନର ବ୍ୟବସ୍ଥାନୁଯାୟୀ, ବିଧାନସଭା ସଭ୍ୟ ସଂଖ୍ୟାର ଦୁଇ ତୃତୀୟାଂଶ ବିଧାନ ପରିଷଦର ସଭ୍ୟ ରହିବେ”, କହିଛନ୍ତି ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ି।

Comment