ଓଡ଼ିଶାଲାଇଭ୍ ବ୍ୟୁରୋ
ଆଦିବାସୀ ଅଧ୍ୟୁଷିତ ଜିଲ୍ଲା ମାଲକାନଗିରିର ଅନେକ ଗାଁକୁ ରାସ୍ତା ନାହିଁ। ରାସ୍ତା ଅବସ୍ଥା ଶୋଚନୀୟ ଥିବାରୁ ରୋଗୀ ଏବଂ ପ୍ରସୂତିମାନେ ମେଡିକାଲ ଯିବାରେ ଅସୁବିଧା ଭୋଗୁଛନ୍ତି। ଠିକ୍ ସମୟରେ ଆମ୍ବୁଲାନ୍ସ ପହଞ୍ଚି ପାରୁ ନଥିବାରୁ ରୋଗୀଙ୍କୁ କେତେବେଳେ ଖଟିଆରେ ତ ପୁଣି କେତେବେଳେ ଭାରରେ ବୁହାଯାଉଛି। ଫଳରେ ରୋଗୀର ସ୍ୱାସ୍ଥ୍ୟ ସଙ୍କଟାପନ୍ନ ହୋଇଯାଇଥାଏ।
ରାସ୍ତା ଖରାପ ଥିବାରୁ ଆଜି ପାପରମେଟଲା ପଞ୍ଚାୟତ ଅନ୍ତର୍ଗତ ସାରିଆଗୁଡ଼ା ଗ୍ରାମରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗତ ତିନିଦିନ ତଳେ ଜଣେ ମହିଳା ପ୍ରସବ ବେଦନାରେ ଛଟପଟ ହେଉଥିବା ବେଳେ ଆଶା କର୍ମୀ ସେହି ଗ୍ରାମରେ ପହଁଚି ଗର୍ଭବତୀଙ୍କୁ ତିନି କିଲୋମିଟର ଚଲାଇ ଆଣିଥିଲେ।
ଗାଁ ପାଖରେ ଥିବା ମଳିଗୁଡ଼ା ନାଳକୁ ଏକ ମାଛ ଡଙ୍ଗା ସାହାଯ୍ୟରେ ପାର କରାଇ ଆଉ କିଛି ବାଟ ଚାଲିବା ପରେ ଆମ୍ବୁଲାନ୍ସ ଯୋଗେ ଚିତ୍ରକୋଣ୍ଡା ହସ୍ପିଟାଲକୁ ଆସିଥିଲେ। ହସ୍ପିଟାଲରେ ଗର୍ଭବତୀ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଥିଲେ। ବର୍ତ୍ତମାନ ଉଭୟ ମା’ ଓ ଶିଶୁ ସୁସ୍ଥ ଅଛନ୍ତି।