ଓଡ଼ିଶାଲାଇଭ୍ ବ୍ୟୁରୋ

- ‘ମୁଁ ହିରୋ, ମୁଁ ଓଡ଼ିଶା’ ଅଭିଯାନ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
- ଜବାହରଲାଲ ନେହରୁ ଇନ୍ଡୋର୍ ଷ୍ଟାଡିୟମ୍ରେ ଶୁଭାରମ୍ଭ
- ୧୫ରୁ ୩୫ ବର୍ଷ ବୟସର ଯୁବତୀ ଯୁବକମାନଙ୍କୁ ଏହି ଅଭିଯାନରେ ସାମିଲ କରାଯିବ
- ଓଡ଼ିଶାରେ ପ୍ରତିଭା ଲୁଚିକି ଅଛି, ତା’କୁ ସ୍ଵୀକୃତି ଦେବା ମୂଳଲକ୍ଷ୍ୟ – ମୁଖ୍ୟମନ୍ତ୍ରୀ
- ୬ଟି ଭ୍ରାମ୍ୟମାଣ ଯାନ ୪ ମାସ ଭିତରେ ରାଜ୍ୟର ୩୧୪ଟି ବ୍ଲକ ପରିକ୍ରମା କରିବ।
- ‘ମୁଁ ହିରୋ ରଥ’ ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ
- ବିଜୁ ଯୁବ ବାହିନୀର ୱେବ୍ସାଇଟ୍ ଲୋକାର୍ପଣ
ଜବାହରଲାଲ ନେହରୁ ଇନ୍ଡୋର୍ ଷ୍ଟାଡିୟମ୍ରେ ‘ବିଜୁ ଯୁବ ବାହିନୀ’ର ସ୍ୱତନ୍ତ୍ର କାର୍ଯ୍ୟକ୍ରମ ‘ମୁଁ ହିରୋ, ମୁଁ ଓଡ଼ିଶା’ ଅଭିଯାନ ଆରମ୍ଭ ହୋଇଛି। ଏହି କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।
ଏହି କାର୍ଯ୍ୟକ୍ରମକୁ ଉଦ୍ଘାଟନ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, “ଡାକ୍ତର, ଇଞ୍ଜିନିୟର କିମ୍ବା ଚାଷୀ ହୁଅନ୍ତୁ ସମସ୍ତଙ୍କ ଭିତରେ ପ୍ରତିଭା ଲୁଚିକି ଅଛି। ସେ ସବୁ ପ୍ରତିଭାକୁ ଲୋକଲୋଚନକୁ ଆଣି ତା’କୁ ସ୍ଵୀକୃତି ଦେବା ମୁଖ୍ୟ ଲକ୍ଷ୍ୟ”
‘ମୁଁ ହିରୋ…ମୁଁ ଓଡ଼ିଶା’ କାର୍ଯ୍ୟକ୍ରମ ଶୁଭାରମ୍ଭ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜୁ ଯୁବ ବାହିନୀର ୱେବ୍ସାଇଟ୍ ଲୋକାର୍ପଣ କରିଛନ୍ତି।
‘ବିଜୁ ଯୁବ ବାହିନୀ’ ର ସ୍ୱତନ୍ତ୍ର କାର୍ଯ୍ୟକ୍ରମ ‘ମୁଁ ହିରୋ…ମୁଁ ଓଡ଼ିଶା’ ଅଭିଯାନର ଶୁଭାରମ୍ଭ ଅବସରରେ ‘ମୁଁ ହିରୋ ରଥ’ ଉଦ୍ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ରଥ ଆସନ୍ତା ୨ମାସ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ବ୍ଲକ ଓ ପୌରାଞ୍ଚଳ ଭ୍ରମଣ କରିବ।
ଶିକ୍ଷା, ସ୍ୱାସ୍ଥ୍ୟ, ପରିମଳ, ପରିବେଶ, ନାରୀ ସଶକ୍ତିକରଣ, ପ୍ରାକୃତିକ ବିପର୍ଯ୍ୟସ୍ତ, କଳା, ସଂସ୍କୃତି ଓ ସାହିତ୍ୟ କ୍ଷେତ୍ରରେ ଲୁକାୟିତ ପ୍ରତିଭାଙ୍କୁ ଖୋଜିବା କାର୍ଯ୍ୟରେ ନିୟୋଜିତ ହେବ।
‘ମୁଁ ହିରୋ…ମୁଁ ଓଡ଼ିଶା’ କାର୍ଯ୍ୟକ୍ରମ କ’ଣ?
ଗୋଷ୍ଠୀ ଭିତ୍ତିରେ ଯୁବ ନେତୃତ୍ୱ ଓ ସ୍ବେଚ୍ଛାସେବୀ ସୃଷ୍ଟି କରିବା ଯୋଜନାର ମୂଳ ଲକ୍ଷ୍ୟ ରହିଛି। ୧୫ରୁ ୩୫ ବର୍ଷ ବୟସର ଯୁବତୀ ଯୁବକମାନଙ୍କୁ ଏହି ଅଭିଯାନରେ ସାମିଲ କରାଯିବ। ସାମାଜିକ କ୍ଷେତ୍ରରେ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିଥିବା ଯୁବବର୍ଗଙ୍କୁ ‘ମୁଁ ହିରୋ’ ଭାବେ ସରକାରୀ ସ୍ତରରେ ପୁରସ୍କୃତ କରାଯିବାକୁ ସ୍ଥିର କରାଯାଇଛି। ପଞ୍ଚାୟତ ଏବଂ ପୌରାଞ୍ଚଳରେ ଏ ନେଇ ସରକାର ସଚେତନତା ସୃଷ୍ଟି କରିବେ।
୬ଟି ଭ୍ରାମ୍ୟମାଣ ଯାନ ୪ ମାସ ଭିତରେ ରାଜ୍ୟର ୩୧୪ଟି ବ୍ଲକ ପରିକ୍ରମା କରିବ। ପଥପ୍ରାନ୍ତ ନାଟକ, ସଂଗୀତ, କ୍ରୀଡ଼ା ଆଦି ଜରିଆରେ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବ। ଯୁବବର୍ଗଙ୍କ ମଧ୍ୟରେ ସମ୍ଭାବନା ସୃଷ୍ଟି ସହିତ ଭାବ ଆଦାନପ୍ରଦାନ, ବିକାଶ ପାଇଁ ନୂଆ ଭାବନା ସୃଷ୍ଟି, ସାମାଜିକ ପରିବର୍ତ୍ତନ ଆଣିବା ସହିତ ସେମାନଙ୍କ ସମସ୍ୟାର ସମାଧାନ ପାଇଁ ବାଟ ବାହାର କରାଯିବ।
ସଚେତନତା ଯାନ ପ୍ରଥମେ କଟକ ଜିଲା ସଦର ମହକୁମାରୁ ବାହାରି ରାଜ୍ୟର ବିଭିନ୍ନ ଅଞ୍ଚଳ ବୁଲିବ। ପରବର୍ତ୍ତୀ ପଦକ୍ଷେପ ସ୍ବରୂପ ବଚ୍ଛାଯାଇଥିବା ‘ମୁଁ ହିରୋ’ ମାନଙ୍କୁ ସ୍ଥାନୀୟ ବିଧାୟକ କିମ୍ବା ଏମ୍ପିଙ୍କ ଦ୍ୱାରା ସମ୍ବର୍ଦ୍ଧିତ କରାଯିବ। ଅତିକମ୍ରେ ପ୍ରତ୍ୟେକ ଜିଲାରୁ ୫ଜଣ ହିରୋଙ୍କୁ ଚୟନ କରାଯିବ।










