ଓଡ଼ିଶାଲାଇଭ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ବେଶ୍ କିଛିଦିନ ବ୍ୟବଧାନରେ ଓଲିଉଡ ସୁପରଷ୍ଟାର ଅନୁଭବ ‘ପ୍ରେମକୁମାର’ରେ ଦୁଇଜଣ ନାୟିକାଙ୍କ ସହ ରୋମାନ୍ସ କରୁଛନ୍ତି। ଆସନ୍ତୁ ଜାଣିବା ଆଗରୁ କେଉଁ ସିନେମାରେ ଏମିତି ହୋଇଛି…

ଓଲିଉଡର ଆଗଧାଡ଼ିର ନାୟକ ଅନୁଭବଙ୍କ ନୂଆ ସିନେମା ହେଲା ‘ପ୍ରେମକୁମାର’। ଏହି ସିନେମାରେ ତାଙ୍କୁ ଦର୍ଶକ ପ୍ରାୟ ତିନିବର୍ଷ ପରେ ପୁଣି ଦୁଇଜଣ ନାୟିକାଙ୍କ ସହ ରୋମାନ୍ସ କରୁଥିବାର ଦେଖିବାକୁ ପାଇବେ। ଏଥିରେ ଅନୁଭବଙ୍କ ବିପକ୍ଷରେ ଯେଉଁ ଦୁଇ ନାୟିକା ଅଛନ୍ତି, ସେମାନେ ହେଲେ ତମନ୍ନା ଓ ଶିବାନୀ। ଉଭୟ ନାୟିକା ପ୍ରଥମ ଥର ପାଇଁ ଅନୁଭବଙ୍କ ସହ ପ୍ରଥମ ଥର ପାଇଁ କାମ କରୁଛନ୍ତି।

ଏହି ସିନେମା ପୂର୍ବରୁ ତମନ୍ନା ଜ୍ୟୋତିଙ୍କ ସହ ’ନିଝୁମ୍ ରାତିର ସାଥୀ’, ବାଳକୃଷ୍ଣଙ୍କ ବିପକ୍ଷରେ ‘ଭାଇନା କ’ଣ କଲା ସେ’ରେ ଏବଂ ଅର୍ଦ୍ଦେନ୍ଦୁଙ୍କ ସହ ‘ବ୍ଲାକ୍‌ମେଲ୍‌’ରେ ନାୟିକା ସାଜିଛନ୍ତି।

ଅନ୍ୟପକ୍ଷରେ ଶିବାନୀଙ୍କର ଆଗରୁ କେବଳ ଗୋଟିଏ ସିନେମା ରିଲିଜ୍ ହୋଇଛି। ତାହା ହେଲା ‘ସିଷ୍ଟର ଶ୍ରୀଦେବୀ’, ଯେଉଁଥିରେ ଶିବାନୀ ସୁପରଷ୍ଟାର ବାବୁସାନଙ୍କ ସହିତ ଅନସ୍କ୍ରିନ୍‌ ରୋମାନ୍ସ କରିଥିଲେ।

ଓଲିଉଡର ଦୁଇ ଲୋକପ୍ରିୟ ନାୟିକା ହେଲେ ଝିଲିକ୍ ଓ ଏଲିନା। ଏ ଦୁହିଁଙ୍କ ସହିତ ଅନୁଭବ ରୋମାନ୍ସ କରିଛନ୍ତି ‘ଜଗା ହାତରେ ପଘା’ ସିନେମାରେ। ଏଥିରେ ଅନୁଭବଙ୍କୁ ଡବଲ ରୋଲରେ ଦେଖିବାକୁ ମିଳିଥିଲା। ଏଥିମଧ୍ୟରୁ ଗୋଟିକରେ ସେ ବନିଥିଲେ କ୍ରିଷ୍ଣା ଓ ଅନ୍ୟପକ୍ଷରେ ସାଜିଥିଲେ ଜଗା।

ସୀତାରାମ ଅଗ୍ରୱାଲଙ୍କ ପ୍ରଯୋଜିତ ତଥା ସୁଶାନ୍ତ ମଣିଙ୍କ ନିର୍ଦ୍ଦେଶିତ ସିନେମା ‘ଆମ ଭିତରେ କିଛି ଅଛି’ର କାହାଣୀ ତ୍ରିକୋଣୀୟ ପ୍ରେମ ଉପରେ ଆଧାରିତ ଥିଲା। ଏଥିରେ ଅନୁଭବଙ୍କ ସହ ଦୁଇଜଣ ନାୟିକାଙ୍କୁ ଦେଖିବାକୁ ମିଳିଥିଲା। ଏମାନଙ୍କ ଭିତରୁ ଜଣେ ହେଲେ ବର୍ଷା ପ୍ରିୟଦର୍ଶିନୀ ଓ ଆଉ ଜଣେ ଶ୍ରେୟା ଝା’।

ଏନ୍. ପାଢ଼ୀଙ୍କ ନିର୍ଦ୍ଦେଶିତ ‘ମୁନ୍ନା’ ସିନେମାରେ ଅନୁଭବଙ୍କ ସହିତ ନୈନା ଦାଶ ଓ ରୋମି ନାୟିକା ଭୂମିକାରେ ନଜର ଆସିଥିଲେ।

ପ୍ରଯୋଜକ ବିଜୟ କନ୍ଦୋଇ ଓ ନିର୍ଦ୍ଦେଶକ ହର ପଟ୍ଟନାୟକଙ୍କ ଫିଲ୍ମ ‘ଥ୍ୟାଙ୍କ୍‌ ୟୁ ଭଗବାନ୍’ରେ ମଧ୍ୟ ଅନୁଭବଙ୍କୁ ଦୁଇଜଣ ନାୟିକାଙ୍କ ସହିତ ରୋମାନ୍ସ କରିବାର ସୁଯୋଗ ମିଳିଥିଲା।

୨୦୦୬ରେ ରିଲିଜ୍ ହୋଇଥିବା ଏହି ସିନେମାରେ ଅନୁଭବଙ୍କର ଥିଲା ଡବଲ ରୋଲ୍। ଦୁଇଟି ବିପରୀତ ଧର୍ମୀ ଚରିତ୍ରରେ ନଜର ଆସିଥିଲେ ଅନୁଭବ। ଏ ଦୃଷ୍ଟିରୁ ସିନେମାରେ ବି ଦୁଇଟି ଚରିତ୍ର ପାଇଁ ଥିଲେ ଦୁଇଜଣ ନାୟିକା। ଗୋଟିକରେ ଅନୁଭବଙ୍କ ସହ ବର୍ଷା ପ୍ରିୟଦର୍ଶିନୀ ଥିଲେ, ଆଉ ନାୟିକା ଜଣକ ନବାଗତା ବଙ୍ଗୀୟା ଶାଲିନୀ ଦ୍ୱିବେଦୀ।

Comment