ଓଡ଼ିଶାଲାଇଭ୍ ବ୍ୟୁରୋ

- ଆଜିଠାରୁ ଆରମ୍ଭ ହେଲା ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା
- ଅକ୍ଟୋବର ୩୧ ଯାଏଁ ଚାଲିବ ପ୍ରକ୍ରିୟା
- ଜାନୁଆରୀ ୪ରେ ଚୂଡ଼ାନ୍ତ ଭୋଟର ତାଲିକା
ପାଖେଇ ଆସୁଛି ୨୦୧୯ ନିର୍ବାଚନ। ଏଥିପାଇଁ ତତ୍ପର ହୋଇ ଉଠିଛନ୍ତି ରାଜ୍ୟ ନିର୍ବାଚନ ଅଧିକାରୀ। ୨୦୧୯ ନିର୍ବାଚନକୁ ସୂଚାରୁରୂପେ ପରିଚାଳନା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ଏହି କ୍ରମରେ ଆଜିଠାରୁ ସାରା ରାଜ୍ୟରେ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ଆରମ୍ଭ ହୋଇଛି। ଅକ୍ଟୋବର ୩୧ ତାରିଖ ଯାଏଁ ଏହି ପ୍ରକ୍ରିୟା ଚାଲିବ।
୨୦୧୮ ଜାନୁଆରୀ ୪ ତାରିଖରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇବ ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର କହିଛନ୍ତି।
“ରାଜ୍ୟରେ ମୋଟ ୩ କୋଟି ୧୨ ଲକ୍ଷ ୫୨ ହଜାର ୩୩୩ ଜଣ ଭୋଟର ଅଛନ୍ତି। ଏହି ଭୋଟରମାନେ ୩୭ ହଜାର ୬୦୬ଟି ବୁଥ୍ରେ ଭୋଟ ଦେବେ। ଗ୍ରାମାଞ୍ଚଳରେ ଗୋଟିଏ ବୁଥ୍ରେ ୧୨ ଶହ ଭୋଟର ଭୋଟ ଦେବାର ବ୍ୟବସ୍ଥା ରହିଥିବା ବେଳେ ସହରାଞ୍ଚଳର ଗୋଟିଏ ବୁଥ୍ରେ ୧୪ ଶହ ଭୋଟର ଭୋଟ ଦେଇପାରିବେ।ଦୁଇଟି ସ୍ଥାନରେ ଭୋଟର ତାଲିକାରେ ନାଁ ରହିଥିଲେ ସଂପୃକ୍ତ ଭୋଟରଙ୍କ ନାଁ ଗୋଟିଏ ତାଲିକାରୁ କଟିବ”, କହିଛନ୍ତି ସୁରେନ୍ଦ୍ର କୁମାର।
ଭୁଲ୍ ତଥ୍ୟ ଦେଇଥିବା ଭୋଟରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ବ୍ୟବସ୍ଥା ରହିଛି। ଏହାସହ ଯଦି କୌଣସି ଯୋଗ୍ୟ ଭୋଟରଙ୍କୁ କୌଣସି ଅଧିକାରୀ ତାଲିକାରୁ ବାଦ୍ ଦେଇଥାନ୍ତି ତାହାଲେ ସେମାନଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ବ୍ୟବସ୍ଥା ରହିଛି। ଭୋଟରମାନେ ନିଜ ନିଜ ବୁଥ୍ରେ ଭୋଟର ତାଲିକା ସଂଶୋଧନ କରିପାରିବେ।
















