ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ଅସ୍ୱାସ୍ଥ୍ୟକର ପରିବେଶରେ ଚାଲିଥିଲା ପାଠପଢ଼ା
  • ଅଙ୍ଗନବାଡ଼ି କର୍ମୀଙ୍କୁ ଡେଙ୍ଗୁ ପରେ ଅଭିଭାବକମାନଙ୍କ ମନରେ ଭୟ
  • କେନ୍ଦ୍ରାପଡ଼ା ମେଡିକାଲରେ ନାହିଁ ସ୍ୱତନ୍ତ୍ର ୱାର୍ଡ
  • ଡେଙ୍ଗୁ ୱାର୍ଡରେ ଚିକିତ୍ସିତ ହେଉଛନ୍ତି ଶିଶୁ ରୋଗୀ

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ନାନକାର ଅଙ୍ଗନବାଡ଼ି କେନ୍ଦ୍ରର କର୍ମୀ ନିତୁ ମହାନ୍ତିଙ୍କ ଦେହରେ ଡେଙ୍ଗୁ ଭୂତାଣୁ ଚିହ୍ନଟ ହୋଇଛି। ଅଙ୍ଗନବାଡ଼ି କେନ୍ଦ୍ରରେ ପାଠ ପଢ଼ୁଥିବା ୧୩ ଜଣ ଶିଶୁଙ୍କ ଦେହରେ ଡେଙ୍ଗୁ ଭୂତାଣୁ ଥିବା ତାକୁ ନେଇ ଆତଙ୍କରେ ରହିଛନ୍ତି ଶିଶୁ ମାନଙ୍କ ପରିବାର ବର୍ଗ।

କେନ୍ଦ୍ରାପଡ଼ା ବ୍ଲକର ଶ୍ୟାମସୁନ୍ଦରପୁର ଗ୍ରାମପଞ୍ଚାୟତର ନାନକାର ଗାଁର ହୃଦାନନ୍ଦ ଦାସଙ୍କ ସ୍ତ୍ରୀ ନିତୁ ମହାନ୍ତି ଆଠ ଦିନ ଧରି ଜ୍ୱରରେ ପୀଡ଼ିତ ଥିଲେ। ୪ ଦିନ ତଳେ ତାଙ୍କୁ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। ଜ୍ୱର ନଛାଡ଼ିବାରୁ ଗତକାଲି ନିତୁଙ୍କର ରକ୍ତ ନମୁନା ପରୀକ୍ଷା ପାଇଁ କଟକ ପଠାଯାଇଥିଲା। ଆଜି ରକ୍ତ ନମୁନା ପରୀକ୍ଷା ରିପୋର୍ଟ ଆସିବା ପରେ ଜଣାପଡ଼ିଲା କି ସେ ଡେଙ୍ଗୁରେ ସଂକ୍ରମିତ। ଏହାପରେ ନିତୁଙ୍କ ପରିବାର ଲୋକେ ଭୟଭୀତ ହୋଇପଡ଼ିଛନ୍ତି।

ନିତୁଙ୍କ ଅଙ୍ଗନବାଡ଼ି କେନ୍ଦ୍ରରେ ପାଠ ପଢ଼ୁଥିବା ୩ ରୁ ୬ ବର୍ଷର ୧୩ ଜଣ ଶିଶୁଙ୍କ ଦେହରେ ଏହି ଡେଙ୍ଗୁ ଭୂତାଣୁ ସଂକ୍ରମିତ ହୋଇଥିବା ନେଇ ଆଶଙ୍କା ଦେଖାଦେଇଛି। ଆଜି ନିତୁଙ୍କୁ ତାଙ୍କ ପରିବାର ଲୋକେ ପୁଣି କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି।

କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ନିତୁଙ୍କ ରକ୍ତ ପରୀକ୍ଷା କରାଯିବାରୁ ଜଣାପଡ଼ିଲା କି ତାଙ୍କ ରକ୍ତର ପ୍ଲେଟିଲେଟ ସଂଖ୍ୟା ଦ୍ରୁତ କମିବାରେ ଲାଗିଛି।

କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲା ମହିଳା ଓ ଶିଶୁ କଲ୍ୟାଣ ବିଭାଗର ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଓ କେନ୍ଦ୍ରାପଡ଼ା ବ୍ଲକର ସିଡିପିଓ ସ୍ୱର୍ଣ୍ଣ ମଞ୍ଜରୀ ନାୟକ ଡାକ୍ତରଖାନାରେ ପହଞ୍ଚି ନିତୁଙ୍କର ସ୍ୱାସ୍ଥ୍ୟ ସମ୍ପର୍କରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ସହିତ ଆଲୋଚନା କରିଛନ୍ତି।

କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଥିବା ଡେଙ୍ଗୁ ୱାର୍ଡକୁ ଶିଶୁ ବିଭାଗର ରୋଗୀମାନଙ୍କୁ ଚିକିତ୍ସା ପାଇଁ ବ୍ୟବହାର କରାଯାଇଛି। ଫଳରେ ନିତୁଙ୍କୁ ସାଧାରଣ ମହିଳା ଭେଷଜ ୱାର୍ଡରେ ଭର୍ତ୍ତି କରି ତଳେ ଶୁଆଇ ଚିକିତ୍ସା କରାଯିବାରୁ ଉତ୍ତେଜନା ପ୍ରକାଶ ପାଇଥିଲା। ଅନ୍ୟ ରୋଗୀ ଓ ତାଙ୍କ ସମ୍ପର୍କୀୟମାନେ ପାଟିତୁଣ୍ଡ କରିବାରୁ ନିତୁଙ୍କୁ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଡାକ୍ତରଖାନାରୁ କଟକ ସ୍ଥାନାନ୍ତର କରାଯାଇଛି।

ସବୁଠାରୁ ବଡ଼ କଥା ହେଉଛି ସରକାର ଡେଙ୍ଗୁ ରୋଗୀଙ୍କ ପାଇଁ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ସ୍ୱତନ୍ତ୍ର ୱାର୍ଡ କରିଥିବା କହୁଥିବା ବେଳେ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଡାକ୍ତଖାନରେ ୱାର୍ଡ ବ୍ୟବସ୍ଥା  ନକରିଥିବା ଅତ୍ୟନ୍ତ ଦୁର୍ଭାଗ୍ୟର ବିଷୟ।

ନାନକରା ଅଙ୍ଗବାଡ଼ି କେନ୍ଦ୍ରର ନିଜସ୍ୱ ଗୃହ ନଥିବାରୁ ଶିଶୁମାନଙ୍କୁ ନେଇ ଅଙ୍ଗନବାଡ଼ି କର୍ମୀ ନିତୁ ଜନୈକ ଲୋକଙ୍କ ଘର ବାରଣ୍ଡାରେ ପାଠ ପଢ଼ାଉଥିଲେ। ଅସ୍ୱାସ୍ଥ୍ୟକର ପରିବେଶରୁ ଏହି ଡେଙ୍ଗୁ ରୋଗ ନିତୁଙ୍କୁ ଆକ୍ରାନ୍ତ ହୋଇଥିବା ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି।

Comment