ମାଲକାନଗିରିରୁ ଇଶ୍ୱର ପଟ୍ଟନାୟକ

ମାଲକାନଗିରି: ଜିଲ୍ଲା ପ୍ରଶାସନ ବରିଷ୍ଠ ଅଧିକାରୀଙ୍କୁ ଅଣଦେଖା। ଆଜି ମାଲକାନଗିରି ଅତିରିକ୍ତ ଜିଲ୍ଲାପାଳ ଚାଲି ଚାଲି ନିଜ କର୍ମକ୍ଷେତ୍ରକୁ ଯାଇଥିବା ଦେଖିବାକୁ ମିଳିଛି। ଏହି ଅଭାବନୀୟ ଘଟଣାକୁ ଦେଖି ଜିଲ୍ଲା ପ୍ରଶାସନ ଏବଂ ଅତିରିକ୍ତ ଜିଲ୍ଲାପାଳଙ୍କ ମଧ୍ୟରେ କୌଣସି ପ୍ରକାର ସାମଞ୍ଜସ୍ୟ ନଥିବା ଜଣାପଡ଼ିଛି। ତେବେ ଏହି ଘଟଣାକୁ ନେଇ ଅତିରିକ୍ତ ଜିଲ୍ଲାପାଳ ସତ ଲୁଚାଇବାକୁ ଯାଇ ସରକାରୀ ଗାଡ଼ି ଖରାପ ଥିବା କହିଛନ୍ତି।

ଗତ କିଛିଦିନ ତଳେ ମାଲକାନଗିରି ଏଡିଏମ୍ ଭାବେ ଯୋଗଦେଇଥିଲେ ଆଯୋଧ୍ୟାନାଥ ଶତପଥୀ। ଡିଆରଡିଏ ପ୍ରକଳ୍ପ ନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ୱ ଥିବାରୁ ତାଙ୍କୁ ଗାଡ଼ି ଯୋଗାଇ ଦିଆଯାଇଥିଲା। ଆଜି ଅନ୍ୟ ଜଣେ ଅଧିକାରୀ ପ୍ରକଳ୍ପ ନିର୍ଦ୍ଦେଶକ ଭାବେ ଯୋଗଦେଉଥିବାରୁ ଉକ୍ତ ଗାଡ଼ି ତାଙ୍କଠାରୁ ପ୍ରତ୍ୟାହାର କରିନିଆଯାଇଥିବା ଜଣାପଡ଼ିଛି। ହେଲେ ତାଙ୍କୁ ଯୋଗାଇ ଦିଆଯାଇଥିବା ଗାଡ଼ିଟି ଖରାପ ରହିଥିବା ଏଡିଏମ କହିଛନ୍ତି।

ବର୍ଷା ହେଉଥିବା ସତ୍ତ୍ୱେ ଏଡିଏମ୍‌ ଛତା ଧରି ଚାଲି ଚାଲି ଯାଇଥିଲେ ନିଜ କାର୍ୟ୍ୟାଳୟକୁ। ଅତିରିକ୍ତ ଜିଲ୍ଲାପାଳଙ୍କୁ ଏଭଳି ଅଣଦେଖା କରିବା ଘଟଣାକୁ ନେଇ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଦଶରଥ ପଡିଆମି ନିନ୍ଦା କରିଛନ୍ତି। ଜିଲ୍ଲା ପ୍ରଶାସନିକ ଅଧିକାରୀଙ୍କ ମଧ୍ୟରେ ତାଳମେଳ ନରହିବା ଜିଲ୍ଲା ପ୍ରତି ଶୁଭଙ୍କର ନୁହେଁ ବୋଲି ଅଧ୍ୟକ୍ଷ କହିଛନ୍ତି। ଏ ସମ୍ପର୍କରେ ଜିଲ୍ଲାପାଳଙ୍କ ମତାମତ ଲୋଡ଼ାଯାଇଥିଲା। ଘଟଣା ସମ୍ପର୍କରେ ଜିଲ୍ଲାପାଳ ଜାଣିନଥିବା କହିଛନ୍ତି।

Comment